ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନବୀନଙ୍କ ବିରୋଧରେ ମୋଦିଙ୍କ ସ୍ୱର ନରମୁଛି। ଲୋକସଭା ନିର୍ବାଚନରେ ବଦଳିଯିବ କି ସମୀକରଣ?

ଓଡ଼ିଶା ବିଜେପିର ଭରସା ହେଉଛନ୍ତି ନରେନ୍ଦ୍ର ମୋଦି। ମୋଦିଙ୍କ ନାଁ ଜପି ୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବାକୁ ଲକ୍ଷ୍ୟ ରଖିଥିଲେ ବିଜେପି ନେତା। ହେଲେ ମୋଦି ଓଡ଼ିଶାର ବିଜେପି ନେତା ଓ କର୍ମୀଙ୍କୁ ନିରାଶ କରିଥିବା ଚର୍ଚ୍ଚା ହେଉଛି।

ଖୋର୍ଦ୍ଧା, ବାରିପଦା ଏବଂ ବଲାଙ୍ଗିର ସମାବେଶରେ ମୋଦି ବିଜେଡି କିମ୍ବା ନବୀନ ପଟ୍ଟନାୟକଙ୍କ ବିରୋଧରେ ପଦିଏ କହି ନଥିବାରୁ ବିଜେପି ନେତାମାନେ ନିରୁତ୍ସାହିତ ରହିଥିବା କୁହାଯାଉଛି।

ଝାରସୁଗୁଡ଼ା ଏବଂ ତାଳଚେର ସମାବେଶରେ ଯେଉଁ ମୋଦି ନବୀନ ସରକାରକୁ ଆକ୍ରମଣ କରିଥିଲେ ବାରିପଦା ଓ ଖୋର୍ଦ୍ଧା ସମାବେଶରେ କାହିଁକି ସ୍ୱର ନରମିଗଲା ତାକୁ ନେଇ କାରଣ ଖୋଜା ଚାଲିଛି।

କାହିଁକି ନରମିଲେ ମୋଦି?

୨୦୧୯ ନିର୍ବାଚନ ପାଇଁ ଜାତୀୟ ରାଜନୀତିରେ ବଦଳୁଛି ସମୀକରଣ। କାଲି ଯିଏ ପରସ୍ପରର ବିରୋଧୀ ଥିଲେ ଆଜି ସେ ହାତ ମିଳାଉଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ।

ଦୀର୍ଘ ଦିନ ଧରି ରାଜନୀତିକ ପ୍ରତିଦ୍ୱନ୍ଦ୍ୱୀ ଥିବା ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ଭିତରେ ଆସନ ବୁଝାମଣା ହୋଇଛି। ଏହା କେବଳ ମୋଦିଙ୍କୁ ଚେକ୍ ଦେବା ପାଇଁ ବୋଲି କୁହାଯାଉଛି। ଉତ୍ତରପ୍ରଦେଶରେ ଆସନ ବୁଝାମଣା ହେବା ପରେ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ମଧ୍ୟ ଅଖିଳେଶଙ୍କ ସହ କଥା ହୋଇଛନ୍ତି।

୨୦୧୯ ପୂର୍ବରୁ ଅଖିଳେଶ ଏବଂ ମାୟାବତୀଙ୍କ ନେତୃତ୍ୱରେ ମହାମେଣ୍ଟ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଖାଲି ସେତିକି ନୁହେଁ, କଂଗ୍ରେସ ମଧ୍ୟ ମହାମେଣ୍ଟ ଗଠନ ରେସ୍‌ରେ ରହିଛି। ବିଜେପି ବିରୋଧୀ ଆଞ୍ଚଳିକ ଦଳମାନଙ୍କୁ ଏକାଠି କରି ରାହୁଲ ମହାମେଣ୍ଟ ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।

ଯଦି ମହାମେଣ୍ଟ ଗଠନ ସଫଳ ହୋଇଯାଏ ତାହାଲେ ବିଜେପି ପାଇଁ ୨୦୧୯ ରାସ୍ତା ସହଜ ହୋଇନପାରେ ବୋଲି ବିଜେପିର ମ୍ୟାନେଜରମାନେ ଗଣିତ କଷୁଛନ୍ତି।

ଜାତୀୟ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଥିବାରୁ ଏବଂ ମହାମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ମୋଦି ଯୁଆଡ଼େ ଯାଉଛନ୍ତି ମାପିଚୁପି ମନ୍ତବ୍ୟ ଦେଉଛନ୍ତି। ଏହାର ନମୁନା ଓଡ଼ିଶାରେ ଦେଖିବାକୁ ମିଳିଛି।

ଗୋଟିଏ ମାସରେ ମୋଦି ତିନି ଥର ଓଡ଼ିଶା ଆସିଥିଲେ ମଧ୍ୟ ନବୀନ କିମ୍ବା ବିଜେଡିକୁ ଆକ୍ରମଣ କରିନାହାନ୍ତି। କେବଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ନବୀନଙ୍କ ପିଠି ଥାପୁଡ଼ଉଛନ୍ତି।

ଯଦି ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ ନକରେ ତହାଲେ ମୋଦି ଏନଡିଏର ପୁରୁଣା ସାଥୀଙ୍କୁ ଖୋଜିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଦିଲ୍ଲୀର ଜବାବ ଦେଲେନି

ବାରିପଦା ସମାବେଶ ପରେ ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରିଥିଲା ବିଜେଡି। ମୋଦିଙ୍କ ଦରବାରରେ ଛିଡ଼ା ହୋଇ ନବୀନ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ। କେନ୍ଦ୍ର ସରକାରଙ୍କୁ ଚାଷୀଙ୍କ ହକ୍ ମାଗିଥିଲେ।

ଦିଲ୍ଲୀରେ ନବୀନ ହଜାର ହଜାର କୃଷକମାନଙ୍କୁ ନେଇ ମୋଦି ବିରୋଧରେ ରଣହୁଙ୍କାର ଦେଇଥିବାରୁ ଆଶା କରାଯାଉଥିଲା ବଲାଙ୍ଗିର ସଭାରେ ମୋଦି ଏହାର ଜବାବ ଦେବେ। କିନ୍ତୁ ମୋଦି ଏ ପ୍ରସଙ୍ଗ ଉଠାଇଲେ ନାହିଁ କି ନବୀନଙ୍କୁ ସମାଲୋଚନା କଲେ ନାହିଁ। ମୋଦି ଚାହିଁଥିଲେ ଦିଲ୍ଲୀର ଜବାବ ବଲାଙ୍ଗିରରେ ଦେଇ ବିଜେପି କର୍ମୀଙ୍କୁ ଖୁସି କରିପାରିଥାନ୍ତେ। ହେଲେ ମୋଦି ଦିଲ୍ଲୀ ସିଂହାସନକୁ ଆଖିରେ ରଖି ନବୀନଙ୍କୁ ଟାର୍ଗେଟ କରି ନଥିବା ଚର୍ଚ୍ଚା ହେଉଛି।

ଓଡ଼ିଶା ପାଇଁ ବିଜେପିର ଭିନ୍ନ ଗଣିତ

୨୦୧୭ ପଞ୍ଚାୟତ ନିର୍ବାଚନ ପରେ ବିଜେପି ଶିବିର ଉତ୍ସାହିତ ହୋଇଯାଇଥିଲା। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓଡ଼ିଶା ଆସି ମିଶନ-୧୨୦ର ସ୍ୱପ୍ନ ଦେଖାଇଥଲେ। ନବୀନଙ୍କୁ ପୋଡ଼ା ଟ୍ରାନ୍ସଫର୍ମର କହି ସମାଲୋଚନା କଲେ। ହେଲେ ଏବେ ଗଣିତ ବଦଳୁଛି।

ଜାତୀୟ ସ୍ତରରେ ବିଜେପି ଭିନ୍ନ ଗଣିତ କଷୁଥିବା ବେଳେ ଓଡ଼ିଶା ପାଇଁ ଭିନ୍ନ ଗଣିତ କଷୁଛି। ବିଗତ ଦିନରେ ବିଜେଡି ବିରୋଧରେ ଶାଣିତ ଥିବା ମୋଦିଙ୍କ ସ୍ୱର ଏବେ ନରମ ହେଉଛି। ବିଜେଡି ପ୍ରତି ବିଜେପିର ଜାତୀୟ ସ୍ତରର ନେତାମାନେ କୋହଳ ମନୋଭାବ ଦେଖାଉଥିବା ମୋଦିଙ୍କ ଓଡ଼ିଶା ଗସ୍ତରୁ ସ୍ପଷ୍ଟ ହେଉଛି।

ରାଜ୍ୟ ବିଜେପିରେ ଭାଳେଣୀ

୨୦୧୭ ପଞ୍ଚାୟତ ନିର୍ବାଚନ ପରଠୁ ରାଜ୍ୟ ବିଜେପି ବିଜେଡିକୁ କଥା କଥାକେ ଘେରି ଆସୁଥିଲା। କେନ୍ଦ୍ରରୁ ଯେଉଁ ନେତା ଆସିଲେ ବି ସେମାନେ ନବୀନଙ୍କୁ ଟାର୍ଗେଟ କରୁଥିଲେ। କିନ୍ତୁ ଗୋଟିଏ ମାସରେ ମୋଦିଙ୍କ ହାଟ୍ରିକ ଓଡ଼ିଶା ଗସ୍ତ ଏବଂ ନବୀନଙ୍କ ପ୍ରତି ଆକ୍ରମଣ କୋହଳ କରିବାକୁ ନେଇ ବିଜେପି ଶିବିରରେ ଭାଳେଣୀ ପଡ଼ିଛି। ୨୦୧୯ରେ ବିଜେଡି ବିରୋଧରେ ବିଜେପି କେମିତି ସମ୍ମୁଖ ଯୁଦ୍ଧକୁ ଓହ୍ଲାଇବ ତାକୁ ନେଇ ଚର୍ଚ୍ଚା ବଢ଼ିଛି।

ନରେନ୍ଦ୍ର ମୋଦି ଏବଂ ବିଜେପିର ତୁଙ୍ଗ ନେତାଙ୍କ ପାଇଁ ଚାଲେଞ୍ଜ ହେଉଛି ୨୦୧୯ ଲୋକସଭା ନିର୍ବାଚନ। ବିରୋଧୀ ମେଳି ବାନ୍ଧୁଥିବାରୁ ଦିଲ୍ଲୀରେ କେମିତି ପୁଣି ବିଜେପି ସରକାର ଗଠନ କରିବ ତାକୁ ନେଇ ଅଙ୍କ କଷି ଚାଲିଛନ୍ତି। ଏଣୁ ଓଡ଼ିଶା ବିଧାନସଭା ନିର୍ବାଚନକୁ ବିଜେପିର ଜାତୀୟ ସ୍ତରର ନେତାମାନେ ଏତେ ଗୁରୁତ୍ୱ ଦେଉ ନଥିବା କୁହାଯାଉଛି। ଫଳରେ ମୋଦି ତାଙ୍କ ସ୍ୱରକୁ ନବୀନଙ୍କ ବିରୋଧରେ ନରମ କରିଥିବା ଚର୍ଚ୍ଚା ହେଉଛି।

Comment