ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବ ଦାସଙ୍କ ରାସ୍ତାରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ!

ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସଙ୍କ ଇସ୍ତଫା ପରେ ଏବେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂକୁ ନେଇ ଚର୍ଚ୍ଚା ବଢ଼ିଛି। ଯୋଗେଶ ଖୁବ୍‌ଶୀଘ୍ର କଂଗ୍ରେସ ଛାଡ଼ି ବିଜେଡି ଯାଇପାରନ୍ତି ବୋଲି ଆଲୋଚନା ହେଉଛି।

ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମକୁ ଯିବେ ନାହିଁ ବୋଲି ଯୋଗେଶ ଗଣମାଧ୍ୟମରେ ବିବୃତି ଦେବା ପରେ ଏହି ଚର୍ଚ୍ଚା ଜୋର୍ ଧରିଛି।

ଯୋଗେଶ କହିଛନ୍ତି, “ଅଳ୍ପଦିନ ଭିତରେ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଠିକ୍ ହୋଇଛି। ହେଲେ ରାହୁଲଙ୍କ ଓଡ଼ିଶା ଗସ୍ତ ଦିନ ହିଁ ମୁଁ ମୋ’ ଗାଁରେ ଏକ କାର୍ଯ୍ୟକ୍ରମ ବହୁତ ଦିନ ଆଗରୁ ଫିକ୍ସ କରିଛି। ନିର୍ବାଚନ ପାଖେଇ ଆସୁଥିବାରୁ ମୁଁ ମୋ’ କାର୍ଯ୍ୟକ୍ରମ ବାତିଲ କରିପାରିବି ନାହିଁ।”

ଯୋଗେଶ ଆହୁରି କହିଛନ୍ତି, “ଯେଉଁମାନେ ମତେ ନିର୍ବାଚନରେ ଜିତାଇଛନ୍ତି ସେମାନଙ୍କ କଥା ବୁଝିବା ମୋ’ ପାଇଁ ପ୍ରଥମ କାମ। ପ୍ରଥମେ ମାଟି ଏବଂ ପରେ ପାଟି।”

ବିଜେଡିରେ ଯୋଗଦେବା ସମ୍ପର୍କରେ ପ୍ରଶ୍ନ ହେବାରୁ ସେ କହିଲେ, “ମୁଁ ଏବେ କଂଗ୍ରେସରେ। ବର୍ତ୍ତମାନସୁଦ୍ଧା ଦଳ ଛାଡ଼ିନି। ଆଗକୁ ମୋ’ ନିର୍ବାଚନମଣ୍ଡଳୀବାସୀ ଯାହା ନିଷ୍ପତ୍ତି ନେବେ ତାହା ହିଁ କରିବି।”

Comment