ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ହାତ ଛାଡ଼ିବା ପରେ ଶଙ୍ଖ ଫୁଙ୍କିବା ପାଇଁ ସଜବାଜ ହେଉଛନ୍ତି ଝାରସୁଗୁଡ଼ା ବିଧାୟକ ନବ ଦାସ।

କଂଗ୍ରେସ ସହ ସବୁ ସମ୍ପର୍କ ତୁଟାଇଲେ ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ। ବୁଧବାର ଦିନ ନବ ଦଳର ପ୍ରାଥମିକ ସଦସ୍ୟ ଏବଂ କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି।

କଂଗ୍ରେସ ଛାଡ଼ିବା ପରେ ନବଙ୍କୁ କିଏ ନବ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା। ହେଲେ ନବ ତାଙ୍କ ଇସ୍ତଫାପତ୍ରରେ ସ୍ପଷ୍ଟ କରିଛନ୍ତି ଯେ ସେ ବିଜେଡିକୁ ଯିବେ। ତେବେ ବିଜେଡି ନବଙ୍କୁ ନେବା ପାଇଁ କାହିଁକି ଆଗ୍ରହୀ ତାକୁ ନେଇ ମଧ୍ୟ କାରଣ ଖୋଜୁଛନ୍ତି ରାଜନୀତି ପଣ୍ଡିତ।

ନବଙ୍କୁ କାହିଁକି ନବ ବିଜେଡି?

ନବ ଦାସ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା। ୨୦୦୯ରୁ ଆଜି ପର୍ଯ୍ୟନ୍ତ ସେ କଂଗ୍ରେସ ଟିକେଟରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଯେତେବେଳେ ସାରା ରାଜ୍ୟରେ ନବୀନ ପଟ୍ଟନାୟକ ଏବଂ ବିଜେଡିର ହାୱା ବହୁଥିଲା ସେତେବେଳେ ନବ ହିଁ ଝାରସୁଗୁଡ଼ାରେ କଂଗ୍ରେସର ବିଜୟ ବାନା ଉଡ଼ାଇଥିଲେ।

ଝାରସୁଗୁଡ଼ାରେ ନବଙ୍କ ଦବ୍‌ଦବା ଏବଂ ଲୋକପ୍ରିୟତା ଯୋଗୁଁ ବିଜେଡିକୁ ଏଠାରେ ଲଗାତାର ଦୁଇ ଥର ପରାଜିତ ହେବାକୁ ପଡ଼ିଥିଲା। ନବଙ୍କ ଅମଳରେ ଝାରସୁଗୁଡ଼ାରେ ଏୟାରପୋର୍ଟ, କ୍ୟାନସର ହସ୍ପିଟାଲ ଆଦି ନିର୍ମାଣ ହୋଇଛି। ୨୦୧୯ରେ ମଧ୍ୟ ନବ ବିଜୟୀ ହେବାର ଅଧିକ ସମ୍ଭାବନା ରହିଛି।

ବିଜେଡି ତୃତୀୟ ଥର ପାଇଁ ଝାରସୁଗୁଡ଼ାରେ ପରାଜୟର ମୁହଁ ଦେଖିବାକୁ ଚାହୁଁନି। ଏଣୁ ନବଙ୍କୁ ଆପଣାଇବାକୁ ବିଜେଡି ଶିବିରରେ ଯୋଜନା ପ୍ରସ୍ତୁତ ହୋଇଛି। ଜାନୁଆରୀ ୨୪ରେ ନବ ବିଜେଡିରେ ଯୋଗ ଦେବେ ବୋଲି କୁହାଯାଉଛି।

“ମୋ’ ନିର୍ବାଚନମଣ୍ଡଳୀବାସୀ ଚାହୁଁଛନ୍ତି ମୁଁ ବିଜେଡି ଟିକେଟରୁ ନିର୍ବାଚନ ଲଢ଼େ। ଏଣୁ ସେମାନଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ମୁଁ କଂଗ୍ରେସରୁ ଇସ୍ତଫା ଦେଉଛି”, କହିଛନ୍ତି ନବ ଦାସ।

କିଶୋର କରିବେ କ’ଣ?

ଜାନୁଆରୀ ୨୪ରେ ନବ ବିଜେଡିରେ ଯୋଗ ଦେବେ। ଏହା ସେ ତାଙ୍କ ଇସ୍ତଫାପତ୍ରରେ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି। ନବ ବିଜେଡି ଆସୁଥିବାରୁ ଝାରସୁଗୁଡ଼ାର ବିଜେଡି ନେତା କିଶୋର ମହାନ୍ତି କ’ଣ କରିବେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। କାରଣ ନବ-କିଶୋର ହେଉଛନ୍ତି ପରସ୍ପର ରାଜନୀତିକ ପ୍ରତିଦ୍ୱନ୍ଦ୍ୱୀ। ୨୦୦୯ରୁ ଉଭୟ ପରସ୍ପର ବିରୋଧରେ ଲଢ଼ି ଆସୁଛନ୍ତି।

କିଶୋର ୧୯୯୦ରେ ଜନତା ଦଳ ଟିକେଟରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ୨୦୦୦ ଏବଂ ୨୦୦୪ରେ ବି କିଶୋର ବିଧାୟକ ଜିତିଥିଲେ। ୨୦୦୯ରୁ ନବ ଦାସ କଂଗ୍ରେସରୁ ବାଜିମାତ୍ କରି ଆସୁଛନ୍ତି। ନବ ବିଜେଡି ଆସୁଥିବାରୁ ୨୦୧୯ରେ କିଏ ଟିକେଟ ନେବ ତାକୁ ନେଇ ଚର୍ଚ୍ଚା ବଢ଼ିଛି।

ଇସ୍ତଫାପତ୍ରରେ କ’ଣ ଦର୍ଶାଇଛନ୍ତି ନବ?

ନବ ଆଜି ତାଙ୍କ ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ଏଥିରେ କଂଗ୍ରେସର କୌଣସି ନେତାଙ୍କୁ ଦୋଷ ଦେଇ ନାହାନ୍ତି।

ସେ ଦର୍ଶାଇଛନ୍ତି, “ମତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଥିବାରୁ ମୁଁ ଆପଣଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ମୋର ସମ୍ପର୍କ ଭଲ ଥିଲା। ମୋ’ ନିର୍ବାଚନମଣ୍ଡଳୀବାସୀ ଚାହିଁଲେ ଯେ ମୁଁ ୨୦୧୯ ନିର୍ବାଚନ ବିଜେଡି ଟିକେରୁ ଲଢ଼େ। ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଯୋଜନାରେ ଆମ ଅଞ୍ଚଳକୁ ଯୋଡ଼ିବା ପାଇଁ ସେମାନେ ମତେ ପରାମର୍ଶ ଦେଲେ। ଏଣୁ ମୁଁ କଂଗ୍ରେସରୁ ଇସ୍ତଫା ଦେଉଛି।”

ଇସ୍ତଫାପତ୍ରରେ କଂଗ୍ରେସ ଛାଡ଼ୁଥିବାରୁ ନବ ସମସ୍ତଙ୍କୁ କ୍ଷମା ମାଗିଛନ୍ତି।

“ଏହା ଦୁଃଖଦାୟକ, କିନ୍ତୁ ଭଲ। ଯେଉଁମାନେ ଆଦର୍ଶହୀନ ରାଜନୀତି କରନ୍ତି ସେମାନେ ଚାଲିଯିବା ଦଳ ପାଇଁ ଭଲ”, କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ବିଗତ ଦିନରେ ଅନେକ ନେତା କଂଗ୍ରେସ ଛାଡ଼ି ବିଜେଡି ଯାଇଛନ୍ତି। କିଏ ବିଜେଡିରେ ନିଜ ସ୍ଥିତି ମଜଭୁତ କରିପାରିଛି ତ ଆଉ କିଏ ଅଲୋଡ଼ା ହୋଇ ରହିଛି। ନବ ବିଜେଡି ଯିବାକୁ ତୟାର ହୋଇ ରହିଥିବାରୁ ତାଙ୍କ ଭାଗ୍ୟ କ’ଣ ହେବ ତାହା ଅପେକ୍ଷା କରି ଦେଖିବାର କଥା।

Comment