ଓଡ଼ିଶାଲାଇଭ୍‌ ଫିଚର

ବରଗଡ଼ ଧନୁଯାତ୍ରା କେବଳ ଏକ ମହାନ୍ ନାଟକୋତ୍ସବ ନୁହେଁ, ଏହାର ଅନେକଗୁଡ଼ିଏ ଦିଗ ରହିଛି। ସେ ଭିତରୁ ଏହାର ସାହିତ୍ୟିକ ମୂଲ୍ୟବୋଧ ଏକ ବିଶେଷ ଦିଗ।

ପୌରାଣିକ ସାହିତ୍ୟ ‘ମଥୁରାମଙ୍ଗଳ’ର ନାଟ୍ୟରୂପ ହେଉଛି ‘ଧନୁଯାତ୍ରା’। ଏହି ନାମକରଣ କରାଯିବାର କାରଣ ରହିଛି। ଧନୁକୁ ନେଇ ନାଟକ, ଅଥଚ ଧନୁନାଟକ ନ ହୋଇ ‘ଧନୁଯାତ୍ରା’ର ନାମକରଣ କରାଯିବାର କାରଣ ରହିଛି।

ଓଡ଼ିଶାରେ ଯାତ୍ରା କହିଲେ ଲୋକେ ଦୁଇଟା କଥାକୁ ବୁଝିଥାନ୍ତି। ଗୋଟିଏ ହେଉଛି ଅପେରା ବା ଯାତ୍ରା ନାଟକ। ଅନ୍ୟଟି କୌଣସି ଧର୍ମୀୟ ଉତ୍ସବରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଲୋକଙ୍କ ଯିବା ଆସିବାଟା ହେଉଛି ଯାତ୍ରା। ବରଗଡ଼ ଧନୁଯାତ୍ରା ହେଉଛି ଏ ଦୁଇଟିର ଏକ ସମନ୍ୱିତ ରୂପ।

ପୁଣି ଯେ କୌଣସି ଧର୍ମୀୟ ଉତ୍ସବରେ ଦେବାଦେବୀଙ୍କ ମୂର୍ତ୍ତି, ପ୍ରତୀକ କିମ୍ବା ବରୁଆଙ୍କୁ ନେଇ ଯାତ୍ରା କରୁଥାନ୍ତି। ଅଥଚ ବରଗଡ଼ ଧନୁଯାତ୍ରାରେ କଳାକାରମାନେ ହିଁ ବିଭିନ୍ନ ଦେବାଦେବୀ ଓ ଅନ୍ୟାନ୍ୟ ପୌରାଣିକ ଚରିତ୍ରରେ ଅଭିନୟ କରିଥାନ୍ତି। ଦର୍ଶକମାନେ ଧନୁଯାତ୍ରାର ଗୋଟିଏ  ରଙ୍ଗମଞ୍ଚରୁ ଅନ୍ୟ ଏକ ରଙ୍ଗମଞ୍ଚକୁ ଯାଆସ କରି ଭିନ୍ନ ଭିନ୍ନ ଦୃଶ୍ୟ ଦେଖିଥାନ୍ତି। ଏଇ ଦୃଷ୍ଟିକୋଣରୁ ବରଗଡ଼ ଧନୁଯାତ୍ରାକୁ ଏକ ‘ଚଳମାନ ଲୋକନାଟକ’ ବୋଲି କୁହାଯାଇପାରେ।

ନାଟ୍ୟଶାସ୍ତ୍ର ଅନୁସାରେ ଅନୁଧ୍ୟାନ କରିଲେ ନବରସର ପ୍ରୟୋଗ ସମଗ୍ର ନାଟ୍ୟଧାରାରେ ବିଭିନ୍ନ ଚରିତ୍ର ମାଧ୍ୟମରେ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ସୁନ୍ଦରଭାବେ କରାଯାଇଥାଏ। ଓଡ଼ିଆ ଭାଷାରେ କଳାକାରମାନେ ସଂଳାପ କହୁଥିଲେ ବି, ମଝି ମଝିରେ ସମ୍ବଲପୁରୀ, କୋଶଳି ଭାଷା, ହିନ୍ଦୀ, ଇଂରାଜୀ ଏପରିକି ସଂସ୍କୃତ ଭାଷା ସ୍ଥଳବିଶେଷରେ ବ୍ୟବହାର କରିଥାନ୍ତି।

ଧନୁଯାତ୍ରାରେ ପୌରାଣିକ ସାହିତ୍ୟର ଚିତ୍ରରୂପ

ଧନୁଯାତ୍ରା ଅବସରରେ ପୌରାଣିକ ସାହିତ୍ୟର ଚିତ୍ରରୂପ ମୁଖ୍ୟତଃ ଅମ୍ବାପାଲି ଗାଁର କାନ୍ଥରେ, ଦାଣ୍ଡରେ ଅନେକ ସଂଖ୍ୟାରେ ଦେଖିବାକୁ ମିଳିଥାଏ। ପୁଣି ଏ ବର୍ଷ ପ୍ରଥମଥର ପାଇଁ ଧନୁଯାତ୍ରାର ନାଟ୍ୟାବଳିକୁ ବରଗଡ଼ ସହରର ବିଭିନ୍ନ ପ୍ରାଚୀରରେ ଚିତ୍ରଶିଳ୍ପୀମାନେ ଜୀବନ୍ତ ରୂପଦେଇ ଧନୁଯାତ୍ରାର ଗାରିମା ବୃଦ୍ଧି ହେବାରେ ସହଯୋଗ କରିଛନ୍ତି।

ବରଗଡ଼ ଧନୁଯାତ୍ରା ମହୋତ୍ସବ ପରିପ୍ରେକ୍ଷୀରେ ଆୟୋଜକ କମିଟି ତରଫରୁ ସ୍ମରଣିକା ପ୍ରକାଶ ପାଇଥାଏ। ଧନୁଯାତ୍ରାର ବିଭିନ୍ନ ପ୍ରସଙ୍ଗ ଉପରେ ଏଇଠି ଅନେକ ଲେଖକ/ଲେଖିକାଙ୍କର ଲେଖା ପ୍ରକାଶ ପାଇଥାଏ। ଓଡ଼ିଆ ସାହିତ୍ୟ ଏକାଡେମିର ‘କୋଣାର୍କ’ ପତ୍ରିକା ମଧ୍ୟ ବିଭିନ୍ନ ସମୟରେ ଧନୁଯାତ୍ରାକୁ ନେଇ ବିଶେଷ ସଂଖ୍ୟାନ ପ୍ରକାଶ କରିଥାଏ।

ବରଗଡ଼ ଧନୁଯାତ୍ରାର ସାହିତ୍ୟିକ ଦିଗ

ପ୍ରକୃତରେ ବରଗଡ଼ ଧନୁଯାତ୍ରାର ସାହିତ୍ୟିକ ଦିଗଟି ମଧ୍ୟ ବେଶ୍ ପରିବ୍ୟାପ୍ତ। ସେଥିପାଇଁ କବି, ଲେଖକ, ଗବେଷକ ଓ ଅନେକ ସମୀକ୍ଷକଙ୍କ ମଧ୍ୟ ଭିଡ଼ ଜମିଥାଏ ବରଗଡ଼ ଧନୁଯାତ୍ରାରେ।

ଧନୁକୁ ନେଇ ହିଁ ‘ଧନୁଯାତ୍ରା’ର ନାମକରଣ। ପୁରାଣରେ ଅନେକ ଧନୁର ବର୍ଣ୍ଣନା ରହିଛି। ଶ୍ରୀକୃଷ୍ଣଙ୍କ ସାରଙ୍ଗଧନୁ, ଶ୍ରୀରାମଙ୍କ କୋଦଣ୍ଡ ଧନୁ, ଅର୍ଜୁନଙ୍କ ଗାଣ୍ଡିବଧନୁ, ଶଙ୍କରଙ୍କ ପିନାକ ଧନୁ… ଏପରି ଧନୁମାନଙ୍କୁ ନେଇ ବିଭିନ୍ନ ପୁରାଣରେ ଅନେକ ବର୍ଣ୍ଣନା ରହିଛି। ଧନୁ ହେଉଛି ବୀରତ୍ଵର ପ୍ରତୀକ। କଂସାସୁର ଶିବଧନୁର ଶକ୍ତିରେ ଥିଲା ବଳୀୟାନ। ଭଗବାନ ଶ୍ରୀକୃଷ୍ଣ ସେ ଧନୁକୁ ଭାଙ୍ଗିଦେବା ପରେ କଂସ ଶକ୍ତିହୀନ ହୋଇପଡ଼ିଲା, ପରିଶେଷରେ ନିଷ୍ପ୍ରଭ ହୋଇଗଲା।

ବରଗଡ଼ ଧନୁଯାତ୍ରାର ନାମକରଣ ନେଇ ଅନେକ କଥା ଉଠିଥାଏ। ପୌଷମାସରେ ଧନୁସଂକ୍ରାନ୍ତି ପଡ଼ିଥାଏ। ଏଥିସହିତ ପଶ୍ଚିମ-ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ‘ପୁଷ୍‌ପୁନି’ ଏଇ ମାସରେ ପାଳିତ ହୋଇଥାଏ। ବୋଧହୁଏ ଧନୁସଂକ୍ରାନ୍ତିରୁ ଧନୁକୁ ନେଇ ‘ପୁଷ୍‌ପୁନି’ ଦିନ ହିଁ କଂସର ମୃତ୍ୟୁ ଦିବସକୁ ସ୍ଥିର କରାଯାଇ ଉତ୍ସବକୁ ବେଶ୍ ଉତ୍ସାହପ୍ରଦ କରାଯିବା ପାଇଁ ଯାତ୍ରାର ନାମ ‘ଧନୁଯାତ୍ରା’ ରଖାଯାଇଛି।

 

Comment