ରବି କାନୁନ୍ଗୋ
ଲେଖକ ଏବଂ ଇଂରାଜୀ ଭାଷାର ପ୍ରଫେସର ସ୍ୱର୍ଗତଃ ଗଣେଶ୍ୱର ମିଶ୍ରଙ୍କ ସମ୍ପର୍କରେ ସମାଜର ବିଭିନ୍ନ ବର୍ଗର ପରିଚିତ ବ୍ୟକ୍ତିଙ୍କ ସ୍ମୁତିଚାରଣ। ବର୍ତ୍ତମାନ ଓ ପରବର୍ତ୍ତୀ ପିଢିସହ ଗଣେଶ୍ୱରଙ୍କୁ ଯୋଡ଼ିବା ଲାଗି ଓଡ଼ିଶାଲାଇଭର ଏହି କ୍ଷୁଦ୍ର ପ୍ରୟାସ।
ସାରସ୍ୱତ ସାଧକ ପ୍ରଫେସର ଗଣେଶ୍ୱର ମିଶ୍ରଙ୍କ ସ୍ମୃତିକୁ ପ୍ରଣତି ଜଣାଉଛି। ପାଠକ ପ୍ରଶଂସାରୁ ଲେଖକଙ୍କ ମାପ ଜାଣିବା ଟିକେ ସହଜ ଏବଂ ସମ୍ଭବ। ମୋର ଗୋଟେ ଛୋଟ ଅଭ୍ୟାସ ପାଇଁ ତାଙ୍କ ସହିତ ବାରମ୍ବାର ଗପ ହେବା ଦରକାର ହେଉଥାଏ। କୌଣସି ପାଠକ ଯଦି କୌଣସି ଲେଖା/ଲେଖକର ପ୍ରଶଂସା କରନ୍ତି, ମୁଁ ଯଥାସମ୍ଭବ ସେଇ ଅମୃତବାଣୀ ପଦକ ସଂପୃକ୍ତ ଲେଖକଙ୍କ କାନରେ ପକେଇଦିଏ। ଏହି କ୍ରମରେ ସାର୍ଙ୍କ ପାଖକୁ ଅଧିକ ପ୍ରଶଂସା ଆସେ। ଏ ଯୁଗରେ ଚିଠି ବନ୍ଦ ହୋଇଛି ସତ, ମାତ୍ର ଭାବ ଲେଣଦେଣ ପାଇଁ ବାଟ ବନ୍ଦ ହୋଇନି, ବରଂ ତାହା ଆହୁରି ମୁକୁଳା ଓ ସୁବିଧା ବି ହୋଇଛି।
ଲେଖକ ଦି’ ପ୍ରକାର। ବିଶିଷ୍ଟ ଓ ଲୋକପ୍ରିୟ। ଜଣେ ନିଜ ଜୀବନରେ ଉଭୟ ପରିଚୟ ହାସଲ କରିବା ଭାରି କଷ୍ଟ। ସାର୍ ଥିଲେ ଉଭୟ।
ପ୍ରଫେସର୍ ମିଶ୍ର ‘ବିଲାତରେ ବାପୁ ଓ ପାପୁ’ ପାଇଁ ୧୯୮୩ରେ ଓଡ଼ିଶା ସାହିତ୍ୟ ଏକାଡେମୀ (ଶିଶୁ- ସାହିତ୍ୟ) ପୁରସ୍କାର ପାଇଥିଲେ। ସେ ଜଣେ ପାରଦର୍ଶୀ ଶିକ୍ଷକ, ଶିକ୍ଷା ଓ ସାହିତ୍ୟର ଧୁରୀଣ ସାଧକ ତ ଥିଲେ ନିଶ୍ଚୟ, ତାଙ୍କ ସ୍ତମ୍ଭ ଲେଖାର ସରଳ ବକ୍ତବ୍ୟ ଅନେକଙ୍କୁ ଭଲ ଲାଗେ। ମୋ ପରି ଜଣେ ପାଠକର ଆକଳନରେ- ଲେଖା ପାଇଁ ସେ ବିସ୍ତର ଭୂମିକା ନିଅନ୍ତି ନାହିଁ। ଯେଉଁ ଚିତ୍ରଟି ଆଙ୍କନ୍ତି ତାହା ପାଠକକୁ ଜାଣିଲା ଶୁଣିଲା କଥା ପରି ଲାଗୁଥିବ। ନିଶ୍ଚୟ ହସଆଶ୍ରିତ ହୋଇଥିବ। ମାତ୍ର ଶବ୍ଦ ଶିଷ୍ଟାଚାର ମୋଟେ ଏକଡ଼ ସେକଡ଼ ହୋଇ ନ ଥିବ। ଲେଖା ଯେତିକି ଦରକାର, ମାତ୍ର ସେତିକି। ବନାନ ଭୁଲ ହୋଇ ନଥିବ। ବିନ୍ଦୁର ସୀମା ସ୍ପଷ୍ଟ, କଳ୍ପନାର ସୀମା ଆହୁରି ସ୍ପଷ୍ଟ। ବିଶେଷଣର ପ୍ରୟୋଗ ନାହିଁ କି ଭାଷାର କ୍ଳିଷ୍ଟତା ନାହିଁ।
ଖବରକାଗଜ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା – ସ୍ପେସ୍- ସାର୍ଙ୍କ ସ୍ତମ୍ଭ ପାଇଁ ‘ନୋ-ପ୍ରବ୍ଲେମ୍’। ଅଢ଼େଇ ତିନି ଶହ ଶବ୍ଦ ଭିତରେ। କହନି କଥ୍ନି ସବୁ ସରିଥିବ।
ସୌଜନ୍ୟ-‘ଗଣେଶ୍ୱର ଗରିମା’