ଓଡ଼ିଶାଲାଇଭ୍ ବ୍ୟୁରୋ

ପାରାକ୍ଵାଟ କୀଟନାଶକକୁ ଓଡ଼ିଶାରେ ନିଷିଦ୍ଧ କରିବାକୁ ଡାକ୍ତରମାନେ ସରକାରଙ୍କୁ ଦାବି କରିଛନ୍ତି।

(ସମ୍ବଲପୁର ଗୀତାଞ୍ଜଳି ମହାପାତ୍ର) ପାରାକ୍ଵାଟ କୀଟନାଶକକୁ ଓଡ଼ିଶାରେ ନିଷିଦ୍ଧ ଘୋଷଣା କରିବାକୁ ସରକାରଙ୍କ ନିକଟରେ ଦାବି ହୋଇଛି। ଏହି ଦାବି କରହିଛନ୍ତି ବୁର୍ଲା, ଭୀମ୍‌ସାର ମେଡିସିନ୍‌ ବିଭାଗର ବରିଷ୍ଠ ଡାକ୍ତର ଓ ମେଡିକାଲ୍‌ ଅଧୀକ୍ଷକଙ୍କ ସମେତ ଏମ୍‌କେସିଜି ଓ ଏସ୍‌ସିବି ମେଡିକାଲ୍‌ କଲେଜର ଡାକ୍ତର। ହେଲେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏ ଦିଗରେ ଗମ୍ଭୀର ଭାବରେ ଅନୁଧ୍ୟାନ କରିବା ପରେ ବିଶେଷଜ୍ଞଙ୍କ ମତ ନେଇ ଯାହା କିଛି ନିଷ୍ପତ୍ତି ଗ୍ରହଣ କରିବ ବୋଲି ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟ ସଚିବ।

ପାରାକ୍ଵାଟ ଏକ କିଲର୍‌ ପେଷ୍ଟିସାଇଡ୍‌। ଏମିତି କହିବାର ଅର୍ଥ ହେଲା ଏହି ପ୍ରକାର ଜୀବନ ନାଶକ କୀଟନାଶକ ପ୍ରୟୋଗ କରି ଶତପ୍ରତିଶତ ଲୋକ ମୃତ୍ୟୁ ମୁଖରେ ପଡିଛନ୍ତି। ଏହା ଏମିତି ପ୍ରକାର କୀଟନାଶକ ଯାହାକି ଘାସ ଓ ଲତାକୁ ସମୂଳେ ନଷ୍ଟ କରିବାକୁ ପ୍ରୟୋଗ କରାଯାଇଥାଏ। ହେଲେ ପ୍ରକୃତରେ ଦେଖିବାକୁ ଗଲେ ଏହାର ପ୍ରଭାବରେ ଆସି ମୁଖ୍ୟତଃ ଚାଷୀ ଓ କୃଷି ଶ୍ରମିକ ମାନେ ମୃତ୍ୟୁବରଣ କରୁଛନ୍ତି। ଏହି କୀଟନାଶକ ଦ୍ଵାରା ପ୍ରଭାବିତ ହୋଇ ବୁର୍ଲା ମେଡିକାଲ୍‌କୁ ଆସିଥିବା ସମସ୍ତ ରୋଗୀ ମୃତ୍ୟୁ ମୁଖରେ ପଡିଛନ୍ତି। ଯିଏ ବଞ୍ଚି ଯାଇଛି ତାର କିଡ୍‌ନୀ ଓ ଫୁସ୍‌ଫୁସ୍‌ ନଷ୍ଟ ହୋଇଯିବା ସହ ବିଭିନ୍ନ ଶାରୀରିକ ଅକ୍ଷମତା ଦେଖାଦେଇଛି।

ବରିଷ୍ଠ ଡାକ୍ତର ଓ ଗବେଷକଙ୍କ ଦାବି କିଲ୍‌ର ପେଷ୍ଟିସାଇଡ୍‌ସକୁ ବ୍ୟାନ୍‌ କରାଯାଉ।  ବୁର୍ଲା ଭୀମ୍‌ସାରର ବରିଷ୍ଠ ଡାକ୍ତର ଗବେଷକ ଓ ମେଡିକାଲ୍‌ ଅଧିକ୍ଷକ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଅନୁରୋଧ କରିଛନ୍ତି ଯେ,ଏହି କୀଟନାଶକର ବ୍ୟବହାର ଓ ବିକ୍ରି ଆମ ରାଜ୍ୟରେ ନିଷିଦ୍ଧ କରାଯାଉ। ଏମାନଙ୍କ କହିବା କଥା ଘାସମରା ବା ଲଟାମରା ପାଇଁ ମୁଖ୍ୟତଃ ବ୍ୟବହାର ହେଉଥିବା କୀଟନାଶକର ବ୍ୟବହାର ଯୋଗୁ ବହୁସଂଖ୍ୟାରେ ପ୍ରାଣହାନୀ ଘଟୁଛି।

ଗତ ୪ବର୍ଷ ୮ମାସର ଗବେଷଣାକୁ ଅନୁଧ୍ୟାନ କଲେ ଜଣାପଡିଛି ଯେ ପାରାକ୍ଵାଟ ନାମକ କୀଟନାଶକ ସଂସ୍ପର୍ଷରେ ଆସିଥିବା ୧୦ ୪ଜଣ ରୋଗୀ ବୁର୍ଲା ମେଡିକାଲ୍‌କୁ ଚିକିତ୍ସା ପାଇଁ ଆସି ମେଡିସିନ୍‌ ୱାର୍ଡରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୭ଜଣ ରୋଗୀ ଚିକିତ୍ସା ଚାଲିଥିବା ଅବସ୍ଥାରେ ମେଡିକାଲ୍‌ ଛାଡି ନିଜ ଇଚ୍ଛାରେ ଚାଲିଯାଇଥିଲେ।

ଅବଶିଷ୍ଟ ୯୭ଜଣଙ୍କ ମଧ୍ୟରୁ ୯୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ରୋଗୀର ଜୀବନ ବଞ୍ଚିଯାଇଥିଲେ ବି ସେ ବିଭିନ୍ନ ଶାରୀରିକ ଜଟିଳ ବେମାରି ଦେଇ ଗତି କରୁଛି। ଏହି ପାରାକ୍ଵାଟ କୀଟନାଶକ ସିଞ୍ଚନ ବେଳେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଯଦି ଏହା ଚାଷୀ ନିଶ୍ଵାସରେ ଚାଲିଯାଏ ତେବେ ଏହା ଏକା ସାଙ୍ଗରେ ଫୁସ୍‌ଫୁସ୍‌,ଲିଭର ଓ କିଡ୍‌ନୀକୁ ସଂକ୍ରମଣ କରିଦେଇଥାଏ। ଥରେ ଏହି କୀଟନାଶକ ସଂଷ୍ପର୍ଷରେ ଆସିଲେ ମୃତ୍ୟୁ ନିଶ୍ଚିତ ବୋଲି ଏହି କୀଟନାଶକ ଉପରେ ଗବେଷଣା କରୁଥିବା ବୁର୍ଲା ଭୀମ୍‌ସାରର ଡାକ୍ତରମାନେ କହିଛନ୍ତି।

ଏପରି କୀଟନାଶକକୁ ପୁର୍ବରୁ ଆମେରିକା, ଶ୍ରୀଲଙ୍କା ଭଳି ଦେଶରେ ନିଷିଦ୍ଧ କରାଯାଇଛି। ଆମ ଦେଶର ଆନ୍ଧ୍ରପ୍ରଦେଶ ଓ କେରଳରେ ଏହାକୁ ନିଷିଦ୍ଧ କରାଯିବାକୁ ଦାବି ଉଠିଥିବା ବେଳେ, ଏବେ ଆମରାଜ୍ୟରେ ଏଭଳି କୀଟନାଶକ ପାରାକ୍ଵାଟ କୁ ନିଷିଦ୍ଧ କରାଯିବାକୁ ବରିଷ୍ଠ ଡାକ୍ତର, ଗବେଷକ ଓ ଚିକିତ୍ସକ, ରାଜ୍ୟ ସରକାରଙ୍କ ନିକଟରେ ଲିଖିତ ଭାବରେ ଦାବି କରିଛନ୍ତି।

ବଜାରରେ ବର୍ତ୍ତମାନ ଏହି କମ୍ପୋଜିସନ୍‌ର ପାରାନେକ୍‌, ପାରାଗ୍ରାମ୍‌, ପାରାକ୍ଵେମ ଓ ପାରାଗ୍ରୀପ୍‌ ଭଳି ଅନେକ ବ୍ରାଣ୍ଡ୍‌ର କୀଟନାଶକ ଖୋଲାଖୋଲି ବିକ୍ରି ହେଉଛି। ଚାଷୀମାନେ ଏହାକୁ ଅନାବନା ଘାସ ଓ ଲତା ନଷ୍ଟ କରିବାକୁ ସ୍ପ୍ରେ କରିବା ବେଳେ ଏହା ଅସାବଧାନତା ବଶତଃ ଚାଷୀର ଶରୀରକୁ ପ୍ରବେଶ କରିଥାଏ।

ଏହି କୀଟନାଶକ ଉପରେ ଦାର୍ଘ ଦିନ ଗବେଷଣା କରିଛନ୍ତି ଡାକ୍ତର ଶଙ୍କର ରାମ୍‌ଚନ୍ଦାନୀ। ତାଙ୍କ ମତରେ ଏହି କୀଟନାଶରକ ମଣିଷ ସମାଜ ପାଇଁ ଅତ୍ୟନ୍ତ ଘାତକ। ଏପରିକି ଏହି କୀଟନାଶକ ପଡିଥିବା ଘାସ କି ଲତା ଗାଈକୁ ଖାଇବାକୁ ଦେଲେ ଗାଈର ମୃତ୍ୟୁ କିମ୍ବା ଗୁରୁତର ପାଲାଲେସିସ୍‌ ରୋଗରେ ଆକ୍ରାନ୍ତ ହେବା ଆଶଙ୍କା ରହିଛି।

Comment