ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଶୃଙ୍ଖଳିତ ନେତାଙ୍କୁ ଦଳରେ ଆଦୌ ବରଦାସ୍ତ କରାଯିବନି।

‘ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି’ – ପିସିସି ସଭାପତି ହେବା ପରେ ଏହା କହିଥିଲେ ନିରଞ୍ଜନ ପଟ୍ଟନାୟକ। ଏହକୁ ଏବେ ଦଳରେ ଲାଗୁ କରିଛନ୍ତି ସେ। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ଯୋଗେଶ ସିଂ।

କଂଗ୍ରେସର ବିଧାୟକ ଥାଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ଥିଲେ ଯୋଗେଶ। ଖାଲି ସେତିକି ନୁହେଁ, ରାହୁଲ ଗାନ୍ଧିଙ୍କ ସମାବେଶକୁ ମଧ୍ୟ ଆସିବାକୁ ମନା କରିଦେଇଥିଲେ।

ପିସିସି ସଭାପତି ଏହାକୁ ବିଶୃଙ୍ଖଳିତ ମନେକରି ଯୋଗେଶଙ୍କ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

କେବଳ ଯୋଗେଶ ନୁହନ୍ତି,  ଏହା ପୂର୍ବରୁ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଇସ୍ତାହାର କମିଟିର ଅଧ୍ୟକ୍ଷ ପଦରୁ ଶ୍ରୀକାନ୍ତଙ୍କୁ ହଟାଇ ନିରଞ୍ଜନ ଆକ୍ସନ ମୁଡ୍‌ରେ ରହିଥିବା ପ୍ରମାଣିତ କରିଛନ୍ତି।

ଶ୍ରୀକାନ୍ତଙ୍କ ପୂର୍ବରୁ କୃଷ୍ଣଚନ୍ଦ୍ର ଶଗରିଆଙ୍କୁ ମଧ୍ୟ ଶୃଙ୍ଖଳା ପାଠ ପଢ଼ାଇଥିଲେ ନିରଞ୍ଜନ। ଶଗରିଆ କଂଗ୍ରେସ ନେତୃବୃନ୍ଦଙ୍କ ଉପରେ ସବୁବେଳେ ବିରୋଧୀ ମନ୍ତବ୍ୟ ଦେଇ ଆସୁଥିଲେ।

ଏହାର ଜବାବରେ କୃଷ୍ଣଚନ୍ଦ୍ରଙ୍କୁ ପ୍ରଥମେ ଅନୁସୂଚିତ ଜାତି, ଜନଜାତି ସେଲର ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା। ତାଙ୍କୁ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ଶଗରିଆ ଏହି ପଦବୀକୁ ଗ୍ରହଣ କରି ନଥିଲେ।

ସାଧାରଣ ସମ୍ପାଦକ ପଦବୀ ଛାଡ଼ିବା ସହ ବିଧାୟକ ପଦବୀରୁ ନିଜ ଆଡୁ ଇସ୍ତଫା ଦେଇଥିଲେ। କୃଷ୍ଣଚନ୍ଦ୍ର, ଶ୍ରୀକାନ୍ତଙ୍କ ପରେ ଏବେ ଯୋଗେଶଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିରଞ୍ଜନ ବିଶୃଙ୍ଖଳିତ ନେତାଙ୍କୁ ସାବାଡ୍ ପାଇଁ ଉଦ୍ୟମ କରିଛନ୍ତି।

କଂଗ୍ରେସରୁ ବିଶୃଙ୍ଖଳା ଦମନ କାମରେ ଲାଗିଥିବା ନିରଞ୍ଜନଙ୍କ ପାଇଁ ୨୦୧୯ ବଡ଼ ଚାଲେଞ୍ଜ ହେବ ବୋଲି ଚର୍ଚ୍ଚା ହେଉଛି।

ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ଦଳରେ ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବନି। ଯେଉଁମାନେ ବିଶୃଙ୍ଖଳିତ ଆଚରଣ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ନିରଞ୍ଜନ ବିଜେଡିକୁ ମଧ୍ୟ ଟାର୍ଗେଟ କରିଛନ୍ତି। ବିଜେଡିରେ ନେତା ଅଭାବ ଥିବାରୁ ସେମାନେ ଅନ୍ୟ ଦଳର ନେତାଙ୍କ ଉପରେ ଆଖି ପକାଇଛନ୍ତି।

Comment