ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କୁହାଯାଏ ଜ୍ୟାମିତିରେ ନହେଲେ ବି ରାଜନୀତିରେ ଦୁଇଟି ସମାନ୍ତରାଳ ରେଖା ଅନେକ ସମୟରେ ମିଶି ଯାଇପାରନ୍ତି। ଓଡ଼ିଶା ରାଜନୀତିରେ ଏହିଭଳି ଏକ ସମାନ୍ତରାଳ ରେଖାର ମିଶ୍ରଣକୁ ନେଇ ଢେର ଦିନ ଧରି ଆଲୋଚନା ଚାଲିଛି। ପ୍ରସଙ୍ଗଟି ହେଉଛି ବୈଜୟନ୍ତ ଓ ବିଜୟଙ୍କ ପାଖାପାଖି ହେବା ଘଟଣା।

ରାଜନୀତିର ମୁଖ୍ୟଧାରାରୁ ହଟିଯିବା ପରେ ବୈଜୟନ୍ତ ଯଦି ପୁଣି ଥରେ ପ୍ରାସଙ୍ଗିକ ହେବାକୁ ଉଦ୍ୟମ କରୁଛନ୍ତି ବିଜୟ ବି ଅବଶିଷ୍ଟ ସମୟତକ ରାଜନୀତିରେ ଅପ୍ରାସଙ୍ଗିକ ହୋଇ ନରହିବା ପାଇଁ ଚେଷ୍ଟା କରିବା ଆରମ୍ଭ କରିଛନ୍ତି।

ଗୋଟିଏ ଚର୍ଚ୍ଚା ଏବେ ଜୋର ଚାଲିଛି ଯେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ବିଜେପିରୁ ଇସ୍ତଫା ଦେଇ କୂଳ କିନାରା ଖୋଜୁଥିବା ବିଜୟ ମହାପାତ୍ର ଏକ ବୁଝାମଣାରେ ପହଞ୍ଚିଛନ୍ତି। ବୁଝାମଣାଟି ହେଉଛି ୨୦୧୯ ନିର୍ବାଚନ ପୂର୍ବରୁ ସମଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କୁ ଏକାଠି କରିବା।ପ୍ରସ୍ତାବିତ ବୈଜୟନ୍ତ-ବିଜୟ ସୂତ୍ର ହେଉଛି ଓଡ଼ିଶାରେ ଏଭଳି ଏକ ରାଜନୈତିକ ସଂଗଠନ ତିଆରି କରିବା ଯାହାକି ସେମାନଙ୍କର ସାଧାରଣ ଶତ୍ରୁକୁ ମୂଳରୁ ଓପାଡ଼ି ଫୋପାଡ଼ି ଦେଇପାରିବ। ଏଠି ଶତ୍ରୁମାନେ ହେଉଛନ୍ତି ନବୀନ ପଟ୍ଟନାୟକ।

ଯଦିଓ ଏହି ଉଦ୍ୟମଟି ଫଳବତୀ ହେବା ପାଇଁ ସମୟ ଲାଗିବ ଓ ଏହିକ୍ଷଣି ଏହା ଅପରିପକ୍ୱ ଅବସ୍ଥାରେ ଅଛି, ତେବେ ରାତାରାତି ବଦଳୁଥିବା ରାଜନୀତିକ ଘଟଣାବଳୀ ଉପରେ ଯେଉଁମାନେ ନଜର ରଖୁଛନ୍ତି ସେମାନଙ୍କ କହିବା ଅନୁଯାୟୀ ଯଦି ଏଭଳି ଏକ କଥା ଘଟେ ତାହା ୨୦୧୯ର ରାଜନୀତି ଖେଳକୁ ପୂରା ବଦଳାଇଦେବ। ଉଭୟେ ଗେମ ଚେଞ୍ଜରର ଭୂମିକା ଗ୍ରହଣ କରିବା ପାଇଁ ବଦ୍ଧ ପରିକର। ଏନେଇ ଗଣିତଟି ବାହାର କରାଯାଇନାହିଁ କାରଣ ଏଥିରେ ଅସୁବିଧା ମଧ୍ୟ ରହିଛି।

ଉଭୟ ନେତା ନିଜ ନିଜ ରାଜନୈତିକ ଅତୀତକୁ ନେଇ ଏତେ ପରିମାଣରେ ହତୋତ୍ସାହିତ ହୋଇ ପଡ଼ିଛନ୍ତି ଯେ ନୂଆ କିଛି କରିବା ପୂର୍ବରୁ ସେମାନେ ବାରମ୍ବାର ଚିନ୍ତା କରୁଛନ୍ତି। କ’ଣ କଲେ ଉଭୟଙ୍କର ଲାଭ ହେବ ସେ ନେଇ ସେମାନେ ଅଙ୍କ କଷୁଥିବା ଶୁଣାଯାଉଛି। ଅନ୍ଧ ଥରେ ବାଡ଼ି ହଜାଇବା ପରେ ଦ୍ୱିତୀୟ ଥର ସେହି ଭୁଲ କରେନି।

ଥରେ ଦଳରୁ ବିଦାୟ ହେଲେ ଓ ସକ୍ରିୟ ରାଜନୀତିରୁ ଦୂରେଇ ରହିଲେ କ’ଣ ଲାଗେ ସେ କଥା ବୈଜୟନ୍ତ ଓ ବିଜୟଙ୍କଠାରୁ ଅବା ଅଧିକ ଅନ୍ୟ କେହି ଜାଣିନଥିବେ। ଦୀର୍ଘ ବର୍ଷ ଧରି ବିଜେପିରେ ରହିବା ପରେ ବିଜୟଙ୍କୁ କିଭଳି ଏକଘରକିଆ କରି ଦିଆଯାଇଥିଲା ତାହା ସମସ୍ତେ ଜାଣନ୍ତି। ତା’ ଛଡ଼ା ବିଜୟଙ୍କ ବୟସ ବି ତାଙ୍କୁ ଆଉ ସାଥ ଦେଉନି। ଏଣୁ ସେ ପରବର୍ତ୍ତୀ ପଦକ୍ଷେପ ନେବା ପୂର୍ବରୁ ମାପି ଚୁପି ପାଦ ପକାଉଥିବା ଦେଖାଯାଉଛି। ଏଇଟି ହେଉଛି ବିଜୟଙ୍କ ପାଇଁ ରାଜନୀତିରେ ବଞ୍ଚି ରହିବା ପାଇଁ ଶେଷ ସୁଯୋଗ।

ଦୁଇ ମାସ ତଳେ ଯେତେବେଳେ ବିଜୟ ବିଜେପି ଛାଡ଼ିଲେ ସମସ୍ତେ ଆକଳନ କରୁଥିଲେ ଯେ ସେ ବିଜେଡିରେ ଯୋଗ ଦେବା ନିଶ୍ଚିତ। କିନ୍ତୁ ନବୀନ ନିବାସରୁ କୌଣସି ଖବର ନଆସିବା କାରଣରୁ ବିଜୟ ହତୋତ୍ସାହିତ ହେବା ସ୍ବାଭାବିକ।ବିଜୟଙ୍କ ଅବସ୍ଥା ଏବେ ମହରଗରୁ ଆସି କାନ୍ତାରରେ ପଡିବା ଭଳି ହୋଇଛି।

ବିଜେଡିରୁ ବହିଷ୍କୃତ ହେବା ପରେ ବୈଜୟନ୍ତଙ୍କ ଅବସ୍ଥା ବି ତଦ୍ରୁପ। ଦିଲ୍ଲୀ ରାଜନୀତିରେ ନିଜ ଦବଦବା ବଜାୟ ରଖିଆସିଥିବା ବୈଜୟନ୍ତ ନବୀନଙ୍କ ବିରୁଦ୍ଧରେ ଯେତେ ସବୁ ଅଭିଯୋଗ କରିଥିଲେ ତାହା କେବଳ ଫେସବୁକ ଓ ଟୁଇଟରରେ ସୀମିତ ରହିଗଲା। ଏଣେ ତାଙ୍କର ବିଜେପିରେ ଯୋଗ ଦେବା ବିଷୟ ମଧ୍ୟ ଆଉ ଚର୍ଚ୍ଚାରେ ନାହିଁ। ପ୍ରାକ୍ତନ ଆଇଏଏସ ଅଫିସର ଅପରାଜିତା ଷଡ଼ଙ୍ଗୀଙ୍କୁ ଦଳ ଭିତରକୁ ଅଣାଯିବା ପରେ ବିଜେପିରେ ବୈଜୟନ୍ତଙ୍କ ଯୋଗଦାନ ପ୍ରାୟ ଆଉ ସମ୍ଭବ ନୁହେଁ ଏହା ସ୍ପଷ୍ଟ। ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ ବୈଜୟନ୍ତଙ୍କ ଟିପ୍ପଣୀ ଏହାର ପ୍ରମାଣ।

ଖାସ୍‌ ଏହି କାରଣରୁ (ବିଜେପି ରାସ୍ତା ବନ୍ଦ) ବୈଜୟନ୍ତ ସବୁ ନବୀନ ବିରୋଧୀଙ୍କୁ ଏକାଠି କରି ନିର୍ବାଚନ ଆଗରୁ ରାଜନୀତିରେ କିଛି ହଟଚମଟ କରିବା ପାଇଁ ଉଦ୍ୟମ କରୁଛନ୍ତି। କେତେଦୂର ଏହି ନୂଆ ସମୀକରଣ କାମ ଦେବ ତାହା ଦେଖିବାକୁ ବାକି ରହିଲା। ଅତୀତରେ ନବୀନଙ୍କ ବିରୁଦ୍ଧରେ ଯିଏ ଯେତେ ମେଳି କରିଛନ୍ତି ତାହା କାମ କରିନାହିଁ। ନିର୍ବାଚନ ସମୟରେ ନୂଆ ରାଜନୈତିକ ସମୀକରଣ କିଛି ନୂଆ କଥା ନୁହେଁ ଓ କାନକୁ ବି ଏହା ଭଲ ଶୁଣାଯାଏ। କିନ୍ତୁ ବାସ୍ତବରେ ଏହା କେତେ ଦୂର କାମ ଦେବ ସେ କଥା କହିବା କଷ୍ଟ।

ବିଜୟ ମହାପାତ୍ରଙ୍କ କ୍ଷେତ୍ରରେ ଅସୁବିଧା ହେଉଛି ନା ତାଙ୍କର ଅର୍ଥବଳ ରହିଛି ନା ଲୋକବଳ, ଯାହାକି ଏବର ରାଜିନୀତି ପାଇଁ ଅତ୍ୟନ୍ତ ଜରୁରୀ। ବୈଜୟନ୍ତ ପଣ୍ଡାଙ୍କ ପାଖରେ ଅବଶ୍ୟ ଅର୍ଥ ଏକ ସମସ୍ୟା ନୁହେଁ କିନ୍ତୁ ତାଙ୍କ ପଛରେ ଲୋକ ନାହାନ୍ତି। ବୈଜୟନ୍ତ ଆଜି ପର୍ଯ୍ୟନ୍ତ କେବଳ ନବୀନଙ୍କ ଲୋକପ୍ରିୟତାକୁ ନଗଦ କରି ରାଜନୀତି ଚଳାଇ ଆସିଛନ୍ତି।

ଉଭୟ ବୈଜୟନ୍ତ ଓ ବିଜୟଙ୍କ କ୍ଷେତ୍ରରେ ଆଉ ଏକ ବଡ଼ ଅସୁବିଧା ହେଉଛି ସେମାନଙ୍କର ଅହଂକାର ବା ଘମଣ୍ଡ, ଯାହା କି ରାଜନୀତିରେ କାମ ଦିଏନାହିଁ (ବିଳମ୍ବରେ ହେଲେ ବି ଓ ବୟସ ଅତିକ୍ରାନ୍ତ ହୋଇଥିବା ସତ୍ତ୍ୱେ ନବୀନ ନିଜେ ଏହି ବିଷୟ ହୃଦୟଙ୍ଗମ କରିଥିଲେ)। ଏହି କାରଣରୁ ବିଜୟ ଓ ବୈଜୟନ୍ତଙ୍କ ପାଇଁ ଏକ ନୂଆ ଦଳ ଗଠନ କରିବା ଓ ଲୋକଙ୍କ ସମର୍ଥନ ଯୋଗାଡ଼ କାଠିକର ପାଠ ଭଳି ଲାଗୁଛି। ପ୍ରକୃତ କଥା ହେଲା ଏହି ଦୁଇ ତୁଙ୍ଗ ନେତା ବହୁ ପୂର୍ବରୁ ନିଜ ଘର ସଜାଡ଼ିନେବା ଦରକାର ଥିଲା। ଶେଷ ମୁହୂର୍ତ୍ତରେ ଅଣନିଃଶ୍ୱାସୀ ହୋଇ ରହିବା ଅପେକ୍ଷା ବେଳ ଥାଉଥାଉ ବନ୍ଧ ବାନ୍ଧିଥିଲେ ଦୁଇ ଭେଟେରାନ ଅବହେଳା, ନିଃସଙ୍ଗତା ଓ ରାଜନୀତିରେ ଅଚଳ ମୁଦ୍ରା ହୋଇଯିବାର ଭୟ ରହିନଥାନ୍ତା।

Comment