ପ୍ରତିଭା ଶତପଥୀ

ଲେଖକ ଏବଂ ଇଂରାଜୀ ଭାଷାର ପ୍ରଫେସର ସ୍ୱର୍ଗତଃ ଗଣେଶ୍ୱର ମିଶ୍ରଙ୍କ ସମ୍ପର୍କରେ ସମାଜର ବିଭିନ୍ନ ବର୍ଗର ପରିଚିତ ବ୍ୟକ୍ତିଙ୍କ ସ୍ମୁତିଚାରଣ। ବର୍ତ୍ତମାନ ଓ ପରବର୍ତ୍ତୀ ପିଢ଼ି ସହ ଗଣେଶ୍ୱରଙ୍କୁ ଯୋଡ଼ିବା ଲାଗି ଓଡ଼ିଶାଲାଇଭର ଏହି କ୍ଷୁଦ୍ର ପ୍ରୟାସ।

‘ଜୀବନ ଅତି ସରଳ- ଆମେ ତାକୁ ଜଟିଳ କରି ପକାଉଛୁ। ସରଳ ଜୀବନ ବଞ୍ଚିବା କଷ୍ଟକର…।’ ସେହି କଷ୍ଟକର ଜୀବନର ସାଧକ ସୁଲେଖକ ପ୍ରଫେସର ଗଣେଶ୍ୱର ମିଶ୍ରଙ୍କର ପ୍ରୟାଣ ଘଟିଲା। ତାଙ୍କ ବିଷୟରେ କେତେ କଥା- ଦୀର୍ଘ ହୋଇଯିବ ଲେଖିଲେ। ଯଦିଓ ଗୋଟିଏ ଫ୍ଲାଟ୍‌ରେ ବାଣୀବିହାର କ୍ୟାମ୍ପସରେ ଆମେ ରହୁଥିଲୁ, ଉପର ମହଲାରେ ଆମେ- ତଳ ମହଲାରେ ପ୍ରଫେସର ମିଶ୍ରଙ୍କ ପରିବାର। କିନ୍ତୁ ମୁଁ ତାଙ୍କ ସହ କଥାଭାଷା ହୋଇନାହିଁ। ତା ପୂର୍ବରୁ ପଢ଼ିଥିଲି ତାଙ୍କ ଦ୍ୱାରା ଅନୂଦିତ ‘ଜାହାନ୍ନାରା ଆତ୍ମକାହାଣୀ’। ମୁଗ୍ଧ ହୋଇଥିଲି। ସେ ବହିଟି କାହିଁକି ଆଉ ଥରେ ଛପା ହେଉନାହିଁ?

ନିକଟ ଅତୀତରେ ତାଙ୍କର କେତେଗୁଡ଼ିଏ ପୁସ୍ତକ ପ୍ରକାଶ ପାଇଛି- ସବୁଗୁଡ଼ିକ ବଡ଼ ଆକର୍ଷଣୀୟ। ସେ ପ୍ରଫେସର ଲାଇନରେ ବଡ଼ଘର ପାଇଲେ ଓ ତାଙ୍କ ବଗିଚାରେ ରୀତିମତ ସାହିତ୍ୟ ଆସର ଚାଲିଲା। ସେହି ଅବସରରେ ମୁଁ କେତେଥର ଯୋଗ ଦେଇଛି। ତାଙ୍କ ଦ୍ୱାରା ସମ୍ପାଦିତ ‘ସତୀର୍ଥ’ ଓ ମୋର ସମ୍ପାଦନାର ‘ଉଦ୍‌ଭାସ’ ଆମେ ବରାବର ଦିଆନିଆ ହୋଇଛୁ।

ଗଣେଶ୍ୱରବାବୁଙ୍କ ସଂରଚନାଗୁଡ଼ିକୁ ମୁଁ ଭଲପାଏ ଏବଂ ସେ ମୋର ଗଦ୍ୟରଚନା, ପ୍ରବନ୍ଧ, ଫିଚରକୁ ପସନ୍ଦ କରିବା ମୁଁ ଜାଣେ। ସେ ନିଜେ ମୋତେ ନ କହିଲେ ବି ପରୋକ୍ଷ ଭାବେ ଶୁଣିବାକୁ ପାଏ।

୧୯୯୫-୯୬ରେ ମୋର ଦୁଇ ଜଣ ଲେଖକ, ଲେଖିକା ବନ୍ଧୁ, ବାନ୍ଧବୀ ବିଭିନ୍ନ ସମୟରେ ବାଣୀବିହାର ଆସିଥିଲେ। ଜଣେ ପ୍ରଫେସର ବିଜୟ ବାହାଦୂର ସିଂ (ପୂର୍ବତନ ଭାରତୀୟ ଭାଷା ପରିଷଦର ନିର୍ଦ୍ଦେଶକ) ଅପରଜଣକ ବାଂଗାଲୋରର କବି ଡକ୍ଟର ବିଜୟା ଡାବ୍‌ବେ। ମୁଁ ଗଣେଶ୍ୱର ସାର୍‌ଙ୍କୁ କହିଥିଲି – ‘ଏମାନଙ୍କ ପାଇଁ ଆପଣ ଇଂରାଜୀ ସେମିନାର ହଲରେ ଗୋଟିଏ ବନ୍ଧୁ ମିଳନ କରନ୍ତେ ନାହିଁ?’ ସେ ତତ୍‌କ୍ଷଣାତ୍‌ ସମ୍ମତ ହେଲେ ଓ ଦୁଇ ଥର ଯାକ ନିର୍ଦ୍ଧାରିତ ସମୟରେ ସାହିତ୍ୟ ଆସର ଅନୁଷ୍ଠିତ ହୋଇଥିଲା।

ସାହିତ୍ୟର ଯେଉଁ ବିଧାରେ ସେ ହାତ ଦେଇଛନ୍ତି, ଝରି ଆସିଛି ଅମୃତ। ପିଲାଦିନୁ ଓଡ଼ିଆ ସାହିତ୍ୟ ପ୍ରତି ଅନୁରକ୍ତ, ଅଥଚ ପ୍ରଚାର ବିମୁଖ ଲେଖକ କେତେଜଣ ବା ଅଛନ୍ତି? ଇଂରାଜୀ ଓ ଓଡ଼ିଆ ଅଭ୍ୟ ଭାଷାରେ ସର୍ଜନଶୀଳ ଓ ଧୂରୀଣ ବ୍ୟକ୍ତି କେତେ ଜଣ ବା ଥିବେ? ଆଜି ମୁଁ ଅନୁଭବ କରୁଛି ଜଣେ ସରଳ, ସତ୍‌ ମଣିଷ ତଥା ସାହିତ୍ୟିକଙ୍କ ବିୟୋଗରେ ଆମ ଓଡ଼ିଆ ସାହିତ୍ୟ ଦରିଦ୍ର ହୋଇଗଲା।

ନିଜ ଦ୍ୱିତଳ ପ୍ରାସାଦର ଉପର ମହଲାଟିରେ ସାହିତ୍ୟ ଆସର ପାଇଁ ଉପଯୁକ୍ତ ସ୍ଥାନଟିଏ ମିର୍ମାଣିଥିଲେ। ତା ଆଉ କେତେ ଦିନ ବା ଘଟିପାରିଲା? ଥରେ ସେଠାରେ ଆମେ ଲେଖକ ଲେଖିକା ଏକତ୍ରିତ ହୋଇଥିଲୁ, ବିଶିଷ୍ଟ କବି ଜଗନ୍ନାଥ ପ୍ରସାଦଙ୍କ କବିତା ସଂକଳନର ଉନ୍ମୋଚନ ଉତ୍ସବରେ।

ତାଙ୍କ ସହ କଥା ହେଉ ହେଉ ଏକଦା ସେ କହିଥିଲେ ‘ମୁଁ ଆଜୀବନ ଔଷଧ ସେବନ କରିନାହିଁ।’ ମୁଁ ଆଶ୍ଚର୍ଯ୍ୟ ହେଲି। ଔଷଧ-ଲାଳିତ ଏଇ ଆୟୁଷ ଭୋଗୁଥିବା ଲୋକଟେ ଆଶ୍ଚର୍ଯ୍ୟ ହେବା କଥା। ଠିକ୍ ଅଳ୍ପଦିନ ପରେ ତାଙ୍କ ଅସୁସ୍ଥତାର ଖବର ପାଇଲି। ବୋହୂ ପ୍ରାଚୀକୁ କଦବା ପଚାରିଥାଏ। ରୋଗ ଚିହ୍ନଟ ହେଲା ଦିନୁ ପ୍ରତିଦିନ ମୁଁ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଥିଲି।

କେତେ ସ୍ମୃତି ରହିଚି- ବିଶେଷକରି ତାଙ୍କ ପତ୍ନୀ ସୁରଂଗିଣୀଙ୍କଠାରୁ ଶୁଣା କଥା। ଆମେ ରମାଦେବୀ କଲେଜରେ ଏକାଠି ଥାଉ। ଯିବାଆସିବା ବେଳରେ ସେ ବହୁତ ଗପନ୍ତି ଏବଂ ଗପର ମୂଳଉତ୍ସ ତାଙ୍କ ସ୍ୱାମୀ। ଅବଶ୍ୟ ସେ ପାରିବାରିକ, ବ୍ୟକ୍ତିଗତ କଥାରେ କ୍ରୋଧ ନଥାଏ, ଥାଏ କେବେ କେବେ ପରିହାସ।

ନିଜ ପୈତୃକ ଗ୍ରାମକୁ ଗଣେଶ୍ୱରବାବୁ ଗଲାବେଳେ ତାଙ୍କ ପତ୍ନୀ କହିଥାନ୍ତି- କିଛି ନଡ଼ିଆ ଚାଉଳ ପ୍ରଭୃତି ଆଣିବା ପାଇଁ। ନିଜ ବାପାଙ୍କ ଭାଗ ତ! କକେଇ ଖୁଡ଼ି ତାଙ୍କୁ ‘ଆମ ଗଣିଆଟି ଭଲପିଲା’ କହି ପଖାଳ କଂସାଏ ବାଢ଼ିଦିଅନ୍ତି। ତାପରେ ତ ଗଣିଆ ଖାଲି ହାତରେ ସହରକୁ ଫେରିଆସନ୍ତି। ଏସବୁ ଭାବିହେବାକୁ, ଭଲା ଆଉ କିଏ ରହିଲା?

ସୌଜନ୍ୟ-‘ଗଣେଶ୍ୱର ଗରିମା’

Comment