ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ରାଉରକେଲା ପୂର୍ବ ଷ୍ଟେସନ ତିଲ୍‌କା ନଗରରେ ଟ୍ରେନରେ ନିଆଁ ଲାଗିଯାଇଥିଲା। ଟ୍ରେନ ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ବେଳେ ତିଲକା ଠାରେ ଟ୍ରେନରେ ନିଆଁ ଲାଗିଯାଇଥିଲା।

ଟ୍ରେନର ବି-୭ ବଗିରେ ନିଆଁ ଲାଗିଥିଲା। ରେଳ ବିଭାଗର ଜଣେ କର୍ମଚାରୀଙ୍କ ସୂଚନା ଅନୁସାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି, କୌଣସି କ୍ଷୟକ୍ଷତି ହୋଇନାହିଁ। ଟ୍ରେନଟି ରାଉରକେଲା ଷ୍ଟେସନରେ ଆସି ପହଞ୍ଚିଛି। ଅଧିକାରୀ ମାନେ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ବଗିର ଟଏଲେଟ ପାଖରେ ଥିବା ବୋର୍ଡରୁ ନିଆଁ ବାହାରିଥିବା ଦେଖି ଯାତ୍ରୀମାନେ ରେଳ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ପ୍ରଥମେ ଏହି ନିଆଁକୁ ଲିଭାଇ ଦିଆଯାଇଥିଲା ମାତ୍ର ଏହାର କିଛି ସମୟ ପରେ ପୁଣି ଧୁଆଁ ବାହାରିବାରୁ ଯାତ୍ରୀମାନେ ଚେନ୍ ଟାଣି ଟ୍ରେନକୁ ଅଟକାଇଥିଲେ।

ତେବେ ଯାହା ସୂଚନା ମିଳିଛି ରାଉରକେଲା ଷ୍ଟେସନରେ ବି-୭ ବଗିକୁ କଟାଯାଇ ଅଲଗା କରାଯିବା ପରେ ଟ୍ରେନଟି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।

କେଉଁ କାରଣ ପାଇଁ ରାଜଧାନୀ ଏକ୍ସପ୍ରେସରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଜଣେ ଯାତ୍ରୀଙ୍କ କହିବା କଥା,”ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ରେଲ କର୍ତ୍ତୃପକ୍ଷ କହିଛନ୍ତି।” ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇପାରିବ ଯେ ସର୍ଟସର୍କିଟ , ଯାନ୍ତ୍ରିକ ତ୍ରୁଟି ଅବା ଅନ୍ୟ କେଉଁ କାରଣ ପାଇଁ ଟ୍ରେନରେ ନିଆଁ ଲାଗିଥିଲା।

Comment