ଅସିତ ମହାନ୍ତି

ଲେଖକ ଏବଂ ଇଂରାଜୀ ଭାଷାର ପ୍ରଫେସର ସ୍ୱର୍ଗତଃ ଗଣେଶ୍ୱର ମିଶ୍ରଙ୍କ ସମ୍ପର୍କରେ ସମାଜର ବିଭିନ୍ନ ବର୍ଗର ପରିଚିତ ବ୍ୟକ୍ତିଙ୍କ ସ୍ମୁତିଚାରଣ। ବର୍ତ୍ତମାନ ଓ ପରବର୍ତ୍ତୀ ପିଢିସହ ଗଣେଶ୍ୱରଙ୍କୁ ଯୋଡ଼ିବାଲାଗି ଓଡ଼ିଶାଲାଇଭ୍ ପକ୍ଷରୁ ଏହି କ୍ଷୁଦ୍ର ପ୍ରୟାସ

ପ୍ରଫେସର ଗଣେଶ୍ୱର ମିଶ୍ର ପ୍ରତ୍ୟକ୍ଷ ଭାବେ ମୋର ଅଧ୍ୟାପକ ନଥିଲେ କି ମୁଁ ଇଂରାଜୀ ସାହିତ୍ୟର ଛାତ୍ର ନଥିଲି। ବରଂ ତାଙ୍କର ଗୋଟିଏ ବହି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶ ପାଇବା ପରେ ତା’ର ଏକ ବିରୋଧ ଆଲୋଚନା ମୁଁ କରିଥିଲି। ସେଇ ବହିର ନାଆଁ ଥିଲା ‘ଓଡ଼ିଆ ଉପନ୍ୟାସ ଗ୍ରନ୍ଥସୂଚୀ ପରିଚୟ’। ପୁସ୍ତକରେ ଥିବା ବହୁ ତଥ୍ୟଗତ ପ୍ରମାଦ ଥିଲା ମୋ’ ଲେଖାର ମୁଖ୍ୟ ସ୍ୱର।

ପରବର୍ତ୍ତୀ କାଳରେ ତାଙ୍କ ସହ ପରିଚିତ ଓ ଆତ୍ମୀୟତା ହେଲା। ଲକ୍ଷ୍ୟ କରିଥିଲି, ତାଙ୍କ ବହିର ତ୍ରୁଟିଗୁଡ଼ିକୁ ନିଷ୍ଠୁର ଭାବରେ ସୂଚାଇ ଦେଇଥିବା ନେଇ ସେ ମୋ ଉପରେ କ୍ଷୁବ୍ଧ ବା କ୍ଷୁର୍ଣ୍ଣ ନୁହନ୍ତି। ଏହା ହିଁ ଥିଲା ତାଙ୍କର ସହଜ ଓ ସହଜାତ ଗୁଣ। ସେଥିପାଇଁ ସେ ଥରେ କହିଥିଲେ, “ଜୀବନଟା ଜଟିଳ ନୁହେଁ; ଆମେ ନିଜେ ଜୀବନକୁ ଜଟିଳ କରିଦେଇଛୁ।”

ଗଣେଶ୍ୱର ମିଶ୍ରଙ୍କୁ ଜଣେ ସାହିତ୍ୟିକ ଭାବରେ ମୁଁ ଜାଣିଥିଲି ତାଙ୍କ ‘ସାମୁଦ୍ରିକ’ ଉପନ୍ୟାସରୁ। ମୁଁ କଲେଜରେ ପଢ଼ୁଥିଲା ବେଳେ ତାହା ପ୍ରକାଶ ପାଇଥିଲା ଏବଂ ତୁରନ୍ତ ତାହା ମୁଁ ପଢ଼ି ନେଇଥିଲି। ମୋ’ର ଜନ୍ମ ପୁରୀ ସହରରେ ଏବଂ ମାମୁଘର ପୁରୀର ଷ୍ଟେସନ ରୋଡ୍, ଘୋଡାବଜାରରେ ହୋଇଥିବାରୁ ମଝିରେ ମଝିରେ ପିଲାଦିନର କିଛି କିଛି ଅଂଶ ପୁରୀରେ କଟିଥିଲା। ମାମୁଘରୁ ସମୁଦ୍ରକୂଳ ଥିଲା ଖୁବ୍ ନିକଟ। ତେଣୁ ଉପନ୍ୟାସଟିର କିଛି କିଛି ଦୃଶ୍ୟ ସେଦିନର ସ୍ମୃତିକୁ ମନେ ପକାଇ ଦେଇଥିଲା। ତା’ର କିଛି ଧାଡ଼ି ଆଜି ବି ମୋର ମନେଅଛି। ବିଶେଷକରି ଗଲା ନବକଳେବରରେ ଯେତେବେଳେ ଦେବୀ ସୁଭଦ୍ରାଙ୍କ ଦାରୁ ପୋଲା ନେଇ ଗୋଟିଏ ଖବରକାଗଜରେ ବିବାଦ ଉଠିଲା- ସେଇ ସ୍ମୃତି ପୁନରୁଜ୍ଜୀବିତ ହୋଇଗଲା।

ସେତେବେଳେ ଗୋଟିଏ ଟେଲିଭିଜନ ଚାନେଲ୍‌ର ରାତି ୯ଟା ବିତର୍କ ଆଲୋଚନାରେ ମୁଁ ଯୋଗ ଦେଇଥିଲି। ସେତେବେଳକୁ ଶ୍ରୀସୁଦର୍ଶନଙ୍କ ପରେ ଦେବୀ ସୁଭଦ୍ରାଙ୍କ ଦାରୁଶଗଡ଼ି ଯାତ୍ରା ନେଇ ଜଗତ୍‌ସିଂହପୁର-ପୁରୀ ରାସ୍ତା ଉଚ୍ଛଳ ଥିଲା। ସେହି ବିତର୍କ ଆଲୋଚନାର ଅନ୍ତିମ ପର୍ଯ୍ୟାୟରେ ଯେତେବେଳେ ସଂଯୋଜକ (ଆଙ୍କର), ଆମର ଶେଷ ମନ୍ତବ୍ୟ ଚାହିଁଲେ, ଅକସ୍ମାତ୍‌ ମୋର ମନେପଡ଼ିଯାଇଥିଲା ‘ସାମୁଦ୍ରିକ’ ଉପନ୍ୟାସର ଏକ ବର୍ଣ୍ଣନା।

ତାହାର ଆଧାରରେ ମୁଁ କହିଥିଲି- ଯେପରି କେତେଜଣ ବାଳୁଙ୍ଗା ପିଲା ସମୁଦ୍ରର ଲହରୀରେ ଯେତେ ନାଚକୁଦ କଲେ ବି ଲହରୀର ଛନ୍ଦ ଭଙ୍ଗ କରିପାରିବେ ନାହିଁ-ସେପରି ଏମିତି କିଛି ମାମୁଲି ବିବାଦ ଶ୍ରୀଜଗନ୍ନାଥଙ୍କ ପ୍ରତି ଅଗଣିତ ଭକ୍ତଙ୍କର ଅନ୍ତରରେ ଯେଉଁ ଭକ୍ତିର ଲହରୀ ଚିର ତରଙ୍ଗିତ ତାହାର ଛନ୍ଦ ଭଙ୍ଗ କରି ପାରିବ ନାହିଁ।

ବିଗତ ଶତାବ୍ଦୀର ଅଶୀ ଦଶକ ବେଳକୁ ମନୋଜ ଦାସ ଓ ମହାପାତ୍ର ନୀଳମଣି ସାହୁ ପ୍ରମୁଖଙ୍କ ପରି ଗଣେଶ୍ୱର ମିଶ୍ର  ସମ୍ବାଦପତ୍ର ପୃଷ୍ଠାରେ  ଅବତୀର୍ଣ୍ଣ ହୋଇଥିଲେ; ଫିଚରଧର୍ମୀ ରଚନା ମାଧ୍ୟମରେ। ‘ଲାଲୁବାବୁଙ୍କ କୋଠି’, ‘ରୁଖି ପାହାଡ଼ର ବାଘ’ ଓ ‘ପ୍ରସଙ୍ଗକ୍ରମେ’ ଶୀର୍ଷକ ତିନିଟି ପୁସ୍ତକ ଏହାର ନିଦର୍ଶନ।

ତାଙ୍କ ଭାଷାରେ, “ଲେଖାଗୁଡ଼ିକ ନିଛକ ପ୍ରବନ୍ଧ ନୁହନ୍ତି; କାହାଣୀ ମଧ୍ୟ ନୁହନ୍ତି। ପ୍ରବନ୍ଧର ବୌଦ୍ଧିକତା ଓ କାହାଣୀର ପରିବେଷଣ ଶୈଳୀ ଉଭୟର ସମନ୍ୱୟରେ ଏଗୁଡ଼ିକ ଏକ ନୂତନ ଫର୍ମ ବା କଳାସୃଷ୍ଟିର ପ୍ରୟାସ।

ଏଇ ଲେଖାଗୁଡ଼ିକୁ ମୋଟାମୋଟି ଫିଚର ବୋଲି କୁହାଯାଇପାରେ। କୌଣସି କାରଣରୁ ଓଡ଼ିଆ ଭାଷାରେ ଫିଚର ସାହିତ୍ୟର ପରିମାଣ ସଂକ୍ଷିପ୍ତ। କିନ୍ତୁ ଓଡ଼ିଆ ପାଠକଙ୍କ ପାଇଁ ଏହାର ଆବେଦନ କମ୍ ନୁହେଁ। ମୋ ଲେଖାଗୁଡ଼ିକର ପାଠକୀୟ ପ୍ରତିକ୍ରିୟାରୁ ମୁଁ ନିଶ୍ଚିତ- ଓଡ଼ିଆ ଫିଚର ସାହିତ୍ୟ ଏକ ଉଜ୍ଜ୍ବଳ ଓ ବିସ୍ତୃତ ଭବିଷ୍ୟତରେ ଅପେକ୍ଷା ରଖୁଛି।”

ସୌଜନ୍ୟ:’ଗଣେଶ୍ୱର ଗରିମା’

Comment