ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଭୁଶୁଡୁଛି କଂଗ୍ରେସ ଘର। ଗୋଟିଏ ସପ୍ତାହରେ କଂଗ୍ରେସ ଗଲେଣି ୫ ନେତା।

ପ୍ରଥମେ ନବ ଦାସ ଛାଡ଼ିଲେ କଂଗ୍ରେସ। ପରେ ଯୋଗେଶ ସିଂ, ଶ୍ରୀକାନ୍ତ ଜେନା, କୃଷ୍ଣଚନ୍ଦ୍ର ଶଗରିଆଙ୍କୁ ଦଳରୁ ନିଲମ୍ବନ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଆଜି ପୁଣି ପ୍ରଣୟ ସାହୁ କଂଗ୍ରେସରୁ ଦେଇଛନ୍ତି ଇସ୍ତଫା।

ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ପାଞ୍ଚ ପାଞ୍ଚ ଜଣ ନେତା କଂଗ୍ରେସରୁ ଯିବା ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। ରାହୁଲଙ୍କ ଗସ୍ତ ପୂର୍ବରୁ ଦଳରୁ ଅଳିଆ ହଟାଯାଉଛି ବୋଲି କିଛି ନେତା ମତ ରଖିଥିବା ବେଳେ ରାଜନୀତି ପଣ୍ଡିତ କିନ୍ତୁ ଏହାକୁ କହୁଛନ୍ତି ବଡ଼ ଝଟ୍‌କା।

କଂଗ୍ରେସର ଅଧ୍ୟକ୍ଷ ହେବା ପରେ ଜାନୁଆରୀ ୨୫ରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି। ୨୦୧୯ ପାଇଁ କର୍ମୀ ଏବଂ ନେତାଙ୍କୁ ଦେବେ ଗୁରୁମନ୍ତ୍ର। ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିର ଉତ୍ସାହିତ। ଭୁବନେଶ୍ୱର ସଭାକୁ ସଫଳ କରିବା ପାଇଁ ନେତାମାନେ ରାତି ଦିନ ଏକ କରିଦେଇଥିବା ବେଳେ ଜଣକ ପରେ ଜଣେ ନେତା ଦଳ ଛାଡ଼ିବା କଂଗ୍ରେସ ପାଇଁ ଚିନ୍ତାର କାରଣ ପାଲଟିଛି।

ରାହୁଲ ଗାନ୍ଧି ଓଡ଼ିଶା ଆସିବେ ବୋଲି ଜାନୁଆରି ୭ରେ ସ୍ପଷ୍ଟ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ହେଲେ ଏହାର ତିନି ଦିନ ପରେ ଝାରସୁଗୁଡ଼ା ବିଧାୟକ ନବ ଦାସ ରାହୁଲଙ୍କ ସଭାକୁ ଆସିବେ ନାହିଁ ବୋଲି କହି କଂଗ୍ରେସ କ୍ୟାମ୍ପରେ କମ୍ପନ କଲେ। ଶେଷରେ ୧୬ ତାରିଖରେ ଦଳର ପ୍ରାଥମିକ ସଦସ୍ୟ ଏବଂ କାର୍ଯ୍ୟକାରୀ କମିଟି ସଭାପତି ପଦରୁ ଇସ୍ତଫା ଦେଇ ନବ ଚର୍ଚ୍ଚାରେ ରହିଥିଲେ।

ନବଙ୍କ ରାସ୍ତାରେ ପାଦ ଦେଲେ ଯୋଗେଶ ସିଂ। ଯୋଗେଶ ଥିଲେ କଂଗ୍ରେସର ସୁନ୍ଦରଗଡ଼ ବିଧାୟକ। ସେ ବି ରାହୁଲଙ୍କ ସଭାକୁ ଆସିବେ ନାହିଁ ବୋଲି ଗଣମାଧ୍ୟମରେ ବିବୃତି ଦେଲେ। ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ ଯୋଗେଶ। ଶେଷରେ ୧୭ ତାରିଖରେ କଂଗ୍ରେସ ଯୋଗେଶଙ୍କୁ ସସ୍‌ପେଣ୍ଡ କରିବାକୁ ବାଧ୍ୟ ହେଲା। ଦଳ ବିରୋଧୀ ମନ୍ତବ୍ୟ ଅଭିଯୋଗରେ ଯୋଗେଶଙ୍କୁ ନିଲମ୍ବନ କଲେ ପିସିସି ସଭାପତି।

୧୯ ତାରିଖରେ କଂଗ୍ରେସ ଭବନରୁ ଆଉ ଏକ ବଡ଼ ଖବର ଆସିଲା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳର ଆଉ ଦୁଇ ଜଣ ହେଭିୱେଟ ନେତାଙ୍କ ବିରୋଧରେ ଆକ୍ସନ ନେଲେ। ଦଳର ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କୁ ବହିଷ୍କାର କଲେ। ଗତ ଦୁଇ ଦିନ ଧରି ଏହି ଖବରକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ଆଉ ଏକ ଦୁଃଖଦ ଖବର କଂଗ୍ରେସ ପାଇଁ ଆସିଛି।

ବିଜେପୁର ଉପ-ନିର୍ବାଚନରେ ଯେଉଁ କଂଗ୍ରେସ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରିଥିଲା ସେ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।

ପ୍ରଣୟ କହିଛନ୍ତି, “ବିଜେପୁର ଉପ-ନିର୍ବାଚନରେ ପରାଜୟର କାରଣ ଖୋଜିବାକୁ ଦଳର ନେତୃବୃନ୍ଦଙ୍କୁ କହିଥିଲି। କିନ୍ତୁ ସମୀକ୍ଷା ହେଲାନି। କଂଗ୍ରେସ ଟିମ୍ ପୁନର୍ଗଠରେ ମୋର କିଛି ଭୂମିକା ରହିଲା ନାହିଁ। ଫଳରେ ଦଳରୁ ଇସ୍ତଫା ଦେଲି।”

ଗୋଟିଏ ସପ୍ତାହ ଭିତରେ ପାଞ୍ଚ ଜଣ ନେତା ବିଭିନ୍ନ କାରଣ ପାଇଁ ଦଳ ଛାଡ଼ିଲେଣି। କିଏ ନିଜ ଆଡୁ ଇସ୍ତଫା ଦେଇଛନ୍ତି ତ ଆଉ କାହାକୁ ପିସିସି ସଭାପତି ବିଦା କରିଛନ୍ତି। ଫଳରେ ରାହୁଲ ଗାନ୍ଧିଙ୍କ ସଭା କେମିତି ସଫଳ ହେବ ତାକୁ ନେଇ ଚିନ୍ତା ବଢ଼ିଛି।

Comment