ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଞ୍ଚରୁ ପଡ଼ି ମାମୁ ମଲା…। ବରଗଡ଼ ଧନୁଯାତ୍ରା ଶେଷ।

ମଥୁରାନଗରୀରେ ଆଜି ଧର୍ମର ଜୟ ହୋଇଛି। ଭଣଜା କୃଷ୍ଣ ମାମୁ କଂସଙ୍କର ବଧ କରିଛନ୍ତି। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଅନ୍ତିମ ଦିନରେ ଏହି ନାଟକୀୟ ଦୃଶ୍ୟ ଦର୍ଶକମାନଙ୍କୁ ମନ୍ତମୁଗ୍ଧ କରିଥିଲା।

୧୧ ଦିନ ଧରି ବରଗଡ଼ରେ ଚାଲିଥିଲା କଂସ ମହାରାଜାଙ୍କ ରାଜୁତି। କଂସ ବଧ ସହ ଏହି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆଜି ଶେଷ ହୋଇଛି।

ଧନୁଯାତ୍ରାର ଶେଷ ଦିନରେ ଶ୍ରୀକୃଷ୍ଣ ଏବଂ ବଳାରାମ ସମଗ୍ର ମଥୁରା ନଗରୀ ଭ୍ରମଣ କରିଥିଲେ। ମଥୁରାର ଘରେ ଘରେ ପୂଜାର୍ଚ୍ଚନା କରାଯାଇ ସ୍ୱାଗତ କରାଯାଇଥିଲା।

କୃଷ୍ଣ ଏବଂ ବଳରାମ ମଥୁରା ନଗରୀରେ ପହଞ୍ଚି ଥିବାରୁ କଂସଙ୍କ ସମେତ ମନ୍ତ୍ରୀ, ସେନାପତି, ଅଷ୍ଟମଲ୍ଲ ପ୍ରମୁଖ ବ୍ୟସ୍ତ ବିବ୍ରତ ହୋଇପଡ଼ିଥିଲେ। କୃଷ୍ଣ ଶିବଧନୁ ଭାଙ୍ଗିବା ଖବର କଂସଙ୍କ ପାଖରେ ପହଞ୍ଚିବା ପରେ କଂସ ଭୟଭୀତ ହୋଇଯାଇଥିଲେ।

କୃଷ୍ଣଙ୍କୁ ନିହତ କରିବା ପାଇଁ କଂସ ମହରାଜା ଅଷ୍ଟ ମଲ୍ଲ, ମଦମସ୍ତ କୁବଳୟା ହସ୍ତୀ, ସୁବଳୟା ହସ୍ତୀଙ୍କୁ ଯୁଦ୍ଧରେ ଲଗାଇଥିଲେ। କୃଷ୍ଣ, ବଳାରାମ ଏମାନଙ୍କୁ ଯୁଦ୍ଧରେ ପରାଜିତ କରି କଂସ ଦରବାରରେ ପହଞ୍ଚିଥିଲେ। କଂସଙ୍କ ସହ ଯୁଦ୍ଧ କରିଥିଲେ କୃଷ୍ଣ, ବଳରାମ। ଶେଷରେ ଭୟଭୀତ ହୋଇ କଂସ ମଞ୍ଚରୁ ଖସିପଡ଼ିଥିଲେ।

୧୧ ଦିନ ପାଇଁ ବରଗଡ଼ ସହ ମଥୁରା ନଗରୀ ପାଲଟି ଯାଇଥିବା ବେଳେ ଅମ୍ବାପାଲ୍ଲି ଗାଁ ଗୋପପୁର ଏବଂ ଜୀରା ନଦୀ ପାଲଟିଥିଲା ଯମୁନା ନଈ। ୧୧ ଦିନ ଧରି ବଡ଼ ଜାକଜମକରେ ଧନୁଯାତ୍ରା ପାଳିତ ହୋଇଥିଲା। ଧନୁଯାତ୍ରା ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକ ବରଗଡ଼କୁ ଛୁଟି ଆସିଥିଲେ।

ମଙ୍ଗଳବାର ଦିନ କଂସ ମହାରାଜା ପୁରୀ ମହୋଦଧିରେ ସ୍ନାନ କରି ପାପର ପ୍ରାୟଶ୍ଚିତ କରିବେ।

Comment