ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

‘କାଳିଆ’ ଯୋଜନାକୁ ନେଇ ବିରୋଧୀଙ୍କୁ କଡ଼ା ଜବାବ ଦେଲେ ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ।

‘କାଳିଆ’ ଯୋଜନାକୁ ନେଇ ରାଜ୍ୟ ରାଜନୀତି ସବୁବେଳେ ଗରମ ରହୁଛି। ଏହାକୁ ନେଇ ଶାସକ ବିଜେଡିକୁ ସବୁବେଳେ ଘେରୁଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି। ତେବେ ମଙ୍ଗଳବାର ବିଜେଡିର ସାମ୍ବାଦିକ ସମ୍ମିଳନୀରେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ମୁଖପାତ୍ର ତଥା ବିଜେଡି ଆଇଟି ସେଲ୍‌ର ମୁଖ୍ୟ ଅମର ପଟ୍ଟନାୟକ। ‘କାଳିଆ’ ଯୋଜନା କିପରି ରାଜ୍ୟବାସୀଙ୍କ ହିତରେ ରହିଛି ଏହି ସାମ୍ବାଦିକ ସମ୍ମିଳନୀରେ ଅମର ପଟ୍ଟନାୟକ କହିଛନ୍ତି।

“କାଳିଆ ଯୋଜନା ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ରହିଛି। ଏହି ଯୋଜନା ପାଇଁ ସାମ୍ବିଧାନିକ ନିୟମ ଅନୁସାରେ ବିପର୍ଯ୍ୟୟ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯାଉଛି। ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱଚ୍ଛ ଭାରତ ମିଶନ୍ ପାଇଁ ବିପର୍ଯ୍ୟୟ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯାଇଥିଲା” ଅମର ପଟ୍ଟନାୟକ କହିଛନ୍ତି।

ବିରୋଧୀ ଦଳ ରାଜ୍ୟର ସାଧାରଣ ଜନତାଙ୍କୁ ଭୁଲ ତଥ୍ୟ ଦର୍ଶାଇ ବିଭ୍ରାନ୍ତ କରୁଛନ୍ତି। କାଳିଆ ଯୋଜନା ସଂପୂର୍ଣ୍ଣ ରୂପେ ରାଜ୍ୟବାସୀଙ୍କ ହିତରେ ରହିଛି। ରାଜ୍ୟର ୩୦ଲକ୍ଷ କୃଷକଙ୍କ ପାଇଁ କାଳିଆ ଯୋଜନା ସଞ୍ଜୀବନୀ ସଦୃଶ। ‘କାଳିଆ’ ଯୋଜନା ଦ୍ୱାରା ଋଣ ବୋଝ ବଢ଼ିବା ଆଶଙ୍କା ନାହିଁ ବରଂ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଋଣବୋଝ କମ୍ ରହିବ ବୋଲି ବିଜେଡି କହିଛି।

Comment