ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୪ରେ କଂଗ୍ରେସର ପ୍ରଚାର ମଙ୍ଗ ଧରିଥିବା ଶ୍ରୀକାନ୍ତ ଜେନା ୨୦୧୯ ନିର୍ବାଚନ ପୂର୍ବରୁ ବିଦା ହୋଇଛନ୍ତି।

ଶ୍ରୀକାନ୍ତ ଜେନାଙ୍କୁ କିଏ କହେ ଚକ୍ରାନ୍ତକାରୀ ତ ପୁଣି କିଏ କହେ କ୍ଷମତାଲୋଭୀ ନେତା। ହେଲେ ଏହି ନେତା ଏବେ ଦୋଛକିରେ। ୨୦୧୯ ନିର୍ବାଚନରେ ଏହି ନେତାଙ୍କ ରାଜନୀତିକ ଭାଗ୍ୟ କ’ଣ ହେବ ତାକୁ ନେଇ ଚାଲିଛି ସବୁଠି ଚର୍ଚ୍ଚା।

୨୦୧୪ ନିର୍ବାଚନରେ କଂଗ୍ରେସର ପାୱାରଫୁଲ୍‍ ନେତା ଥିଲେ ଶ୍ରୀକାନ୍ତ। ହେଲେ ୨୦୧୯ ନିର୍ବାଚନ ପୂର୍ବରୁ ଶ୍ରୀକାନ୍ତ ପାୱାରଲେସ୍‍ ହୋଇଯାଇଛନ୍ତି। ଖାଲି ପାୱାରଲେସ୍‍ ନୁହନ୍ତି, କଂଗ୍ରେସରୁ ବିଦା ହୋ ଇଛନ୍ତି। ଦଳରେ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ପିସିସି ସଭାପତି ଶ୍ରୀକାନ୍ତଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ନିର୍ବାଚନ ପୂର୍ବରୁ ଶ୍ରୀକାନ୍ତଙ୍କୁ କଂଗ୍ରେସ ଦୂରେଇ ଦେଇଛି।

୨୦୧୪ରେ ପ୍ରଚାର କମିଟି ଅଧ୍ୟକ୍ଷ

୨୦୦୯ ନିର୍ବାଚନରେ ବାଲେଶ୍ୱର ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଶ୍ରୀକାନ୍ତ ଜେନା। ସେତେବେଳେ କଂଗ୍ରେସର ଭକ୍ତ ଦାସ ଏବହ ହେମାନନ୍ଦ ବିଶ୍ୱାଳ ଲୋକସଭାକୁ ଯାଇଥିଲେ ମଧ୍ୟ ସେମାନଙ୍କୁ ପଛରେ ପକାଇ ଶ୍ରୀକାନ୍ତ ହୋଇଥିଲେ କେନ୍ଦ୍ରମନ୍ତ୍ରୀ। ଏହି ସୁଯୋଗରେ କଂଗ୍ରେସ ହାଇକମାଣ୍ଡଙ୍କ ନିକଟତର ହୋଇଥିଲେ ଶ୍ରୀକାନ୍ତ। ଶେଷରେ ଶ୍ରୀକାନ୍ତ ୨୦୧୪ ନିର୍ବାଚନ ପୂର୍ବରୁ ତାଙ୍କର ଅସଲ ଖେଳ ପ୍ରଦର୍ଶନ ଆରମ୍ଭ କରିଥିଲେ।

୨୦୧୪ ନିର୍ବାଚନ କଂଗ୍ରେସ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ  ଲଢ଼ିବ ବୋଲି ଏକ ପ୍ରକାର ସ୍ଥିର ହୋଇଥିଲା। ଏନେଇ ନିରଞ୍ଜନ ରଣନୀତି ମଧ୍ୟ ଆରମ୍ଭ କରିଦେଇଥିଲେ। ହେଲେ ନିର୍ବାଚନ ପୂର୍ବରୁ ନିରଞ୍ଜନ ପିସିସି ଗାଦିରୁ ହଟି ତାଙ୍କ ଜାଗାରେ ଜୟଦେବ ଜେନା ବସିଥିଲେ। ଏସବୁ କାମ ଶ୍ରୀକାନ୍ତ ଜେନାଙ୍କ ପ୍ରରୋଚନାରେ ହୋଇଥିବା ଚର୍ଚ୍ଚା ହୋଇଥିଲା।

ଜୟଦେବ ଏବଂ ଶ୍ରୀକାନ୍ତ ଜେନାଙ୍କ ଯୋଡ଼ି ନେତୃତ୍ୱରେ କଂଗ୍ରେସ ୨୦୧୪ ନିର୍ବାଚନ ଲଢ଼ିଥିଲା। ସେତେବେଳେ ଶ୍ରୀକାନ୍ତଙ୍କ ହାତରେ ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ଭାର ସମର୍ପି ଦେଇଥିଲେ ହାଇକମାଣ୍ଡ। ଶ୍ରୀକାନ୍ତ ଚାରିଆଡ଼େ ବୁଲି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। କଂଗ୍ରେସ ଏହି ନିର୍ବାଚନରେ ଶୋଚନୀୟ ଭାବେ ପରାଜିତ ହୋଇଥିଲେ ମଧ୍ୟ ଶ୍ରୀକାନ୍ତଙ୍କ ପ୍ରଭାବ ଦଳରେ କମି ନଥିଲା।

ପ୍ରସାଦ ହରିଚନ୍ଦନ ପିସିସି ସଭାପତି ଥିବା ବେଳେ ବି ଶ୍ରୀକାନ୍ତଙ୍କ ହାତରେ ରହିଥିଲା ଅସଲ ଚାବିକାଠି। ହେଲେ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ଦିନରୁ ଶ୍ରୀକାନ୍ତଙ୍କ କଂଗ୍ରେସରେ ଅଲୋଡ଼ା ହୋଇ ଯାଇଥିବା ଚର୍ଚ୍ଚା ହେଲା।

ଶ୍ରୀକାନ୍ତଙ୍କୁ ପ୍ରଥମେ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବିଦା କରିବା ପରେ ଏବେ କଂଗ୍ରେସରୁ ବହିଷ୍କାର କରାଯାଇଛି। କଂଗ୍ରେସରେ ଶ୍ରୀକାନ୍ତଙ୍କ ଖେଳ ଖତମ୍ ବୋଲି ଚର୍ଚ୍ଚା ହେଉଛି।

ଜନତା ଦଳରୁ କଂଗ୍ରେସ, ନବୀନଙ୍କ ନେତୃତ୍ୱକୁ ଅଗ୍ରାହ୍ୟ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଶ୍ରୀକାନ୍ତ ଜନତାଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। ତାଙ୍କ ସମସାମୟିକ ନେତା ସମସ୍ତେ ନବୀନଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିଥିବା ବେଳେ ଶ୍ରୀକାନ୍ତ କିନ୍ତୁ ଏହାକୁ ଗ୍ରହଣ କରି ନଥିଲେ। ଅଭିଯୋଗ ଉଠାଇଥିଲେ ଯେ ବିଜେଡି ଏକ ସାମ୍ପ୍ରଦାୟିକ ଦଳ। ବିଜେପି ସହ ମେଣ୍ଟ କରିଛି। ତେଣୁ ସେ ବିଜେଡିକୁ ନଯାଇ କଂଗ୍ରେସକୁ ଲମ୍ଫ ମାରିଥିଲେ।

ଏହାଛଡା କଂଗ୍ରେସରେ ସେତେବେଳେ ନେତୃତ୍ୱକୁ ନେଇ ବିବାଦ ଦେଖା ଦେଇଥିଲା, ଲୋକେ ଧିରେଧିରେ କଂଗ୍ରେସଠାରୁ ମୁହଁ ଫେରାଉଥିଲେ। ତେଣୁ ଶ୍ରୀକାନ୍ତ  କ୍ଷମତା ଲୋଭରେ କଂଗ୍ରେସକୁ ଲମ୍ଫ ମାରିଥିବା ଚର୍ଚ୍ଚା ହୋଇଥିଲା।

କେନ୍ଦ୍ରାପଡ଼ାରୁ ବାଲେଶ୍ୱର

୨୦୦୪ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡା ଲୋକସଭା ଆସନରୁ ପରାଜିତ ହେବା ପରେ ୨୦୦୯ରେ ସେ ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ସେଠି ବିଜେଡି-ଏନସିପି ପ୍ରାର୍ଥୀଙ୍କୁ ହରାଇ ଶ୍ରୀକାନ୍ତ ଦିଲ୍ଲୀ ଯାଇଥିଲେ।

ଅତୀତରେ ଶ୍ରୀକାନ୍ତ ଜନତାଦଳ ଟିକେଟରେ କଟକ ଲୋକସଭା ଆସନରୁ ନିର୍ବାଚନ ଲଢି କଂଗ୍ରେସର ହାଇପ୍ରୋଫାଇଲ ନେତା ଜାନକୀ ଓ ଜୟନ୍ତୀ ପଟ୍ଟନାୟକଙ୍କୁ ପରାଜିତ କରିଥିଲେ।

ଏକଦା ବିଜୁ ପଟ୍ଟନାୟକଙ୍କ ତିନି ପଟ୍ଟଶିଷ୍ୟ ଥିଲେ। ଶ୍ରୀକାନ୍ତ ଜେନା, ବିଜୟ ମହାପାତ୍ର ଓ ନଳିନୀ ମହାନ୍ତି। ନଳିନୀ ଏବେ ସ୍ୱର୍ଗରେ। ବିଜୟ ବିଜେପି ଛାଡ଼ି ନୂଆ ଦଳ ଗଠନ ପାଇଁ ଯୋଜନା କରୁଛନ୍ତି। ଶ୍ରୀକାନ୍ତ ବି ଏବେ କଂଗ୍ରେସରୁ ଆଉଟ୍‍ ହୋଇଛନ୍ତି। ଏବେ ଶ୍ରୀକାନ୍ତ କ’ଣ କରିବେ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

Comment