ଗୌରହରି ଦାସ

ଲେଖକ ଏବଂ ଇଂରାଜୀ ଭାଷାର ପ୍ରଫେସର ସ୍ୱର୍ଗତଃ ଗଣେଶ୍ୱର ମିଶ୍ରଙ୍କ ସମ୍ପର୍କରେ ସମାଜର ବିଭିନ୍ନ ବର୍ଗର ପରିଚିତ ବ୍ୟକ୍ତିଙ୍କ ସ୍ମୁତିଚାରଣ। ବର୍ତ୍ତମାନ ଓ ପରବର୍ତ୍ତୀ ପିଢିସହ ଗଣେଶ୍ୱରଙ୍କୁ ଯୋଡ଼ିବାଲାଗି ଓଡ଼ିଶାଲାଇଭ୍ ପକ୍ଷରୁ ଏହି କ୍ଷୁଦ୍ର ପ୍ରୟାସ

ପ୍ରଫେସର ଗଣେଶ୍ୱର ମିଶ୍ରଙ୍କ ସମଗ୍ର ଜୀବନ ଏକ ଶୃଙ୍ଖଳିତ ଜୀବନ ଥିଲା। ସାଧାରଣ ଜୀବନରେ ସେ ଯେଉଁଭଳି ବ୍ୟବସ୍ଥିତ ଥିଲେ, ବୃତ୍ତିଗତ ଜୀବନରେ ସେହିପରି ନିଷ୍ଠାପର ଥିଲେ। ସମୟର ମୂଲ୍ୟ ସେ ଭଲ ଭାବରେ ବୁଝିଥିଲେ, ଏବଂ ମୋତେ ଲାଗୁଛି, ସେ କିଛିଟା ଆଗରୁ ଏଠୁ ଚାଲିଯିବେ ବୋଲି ହୁଏତ ଜାଣୁଥିଲେ। ସେହି କାରଣରୁ ସେ ସବୁତକ ସମୟ ସାହିତ୍ୟ ରଚନା, ସମ୍ପାଦନା, ସଂକଳନ ଏବଂ ସଙ୍ଗଠନରେ ବିତେଇ ଦେଇଥିଲେ, କୌଣସି ସମୟ ଅଯଥାରେ ନଷ୍ଟ କରି ନଥିଲେ।

ପ୍ରଫେସର ଗଣେଶ୍ୱର ମିଶ୍ରଙ୍କୁ ନେଇ ଅନେକ ସ୍ମୃତି ଅଛି। ଅନ୍ୟ ଅନେକଙ୍କ ପରି ସେ ମୋତେ ମଧ୍ୟ ଶ୍ରଦ୍ଧା କରୁଥିଲେ ଏବଂ ବରାବର ପରାମର୍ଶ ଦେଉଥିଲେ- ଅଯଥା ସମୟ ନଷ୍ଟ କରନାହିଁ। କାହାରି ସମାଲୋଚନା କରି ଲାଭନାହିଁ। ଯାହା ପାରୁଛ ନିଜେ ଲେଖ। ସେଇତକ ରହିବ। ଆଉ ସବୁ ବୃଥା।

ପ୍ରଥମେ ପ୍ରଥମେ ମୁଁ ତାଙ୍କୁ ଖୁବ୍‌ ଗମ୍ଭୀର ମଣିଷ ବୋଲି ଭାବୁଥିଲି; ମାତ୍ର ବାସ୍ତବରେ ସେ ଯାହା ଦିଶୁଥିଲେ, ସେଇଆ ନ ଥିଲେ। ତାଙ୍କ ଭିତରେ ଚଟୁଳ ରସିକତା ଏବଂ ସ୍ନେହୀ ଅଭିଭାବକପଣ ରହିଥିଲା। ଆଜି ଆମ ରାଜ୍ୟର ଅଧିକାଂଶ ଇଂରାଜୀ ପ୍ରଫେସର ଓଡ଼ିଆରେ ଲେଖା ହେଉଥିବା ଲେଖା ପ୍ରାୟ ପଢ଼ୁନାହାନ୍ତି।

ମାତ୍ର ପ୍ରଫେସର ଗଣେଶ୍ୱର ମିଶ୍ର ଥିଲେ ତାହାର ଉଜ୍ଜଳ ବ୍ୟତିକ୍ରମ। କହିବାକୁ ଗଲେ ସେ ଓଡ଼ିଆ ଏବଂ ଇଂରାଜୀ ସାହିତ୍ୟ ଭିତରେ ଏକ ସେତୁର ଭୂମିକା ନିର୍ବାହ କରୁଥିଲେ। ଖାଦ୍ୟପେୟ, ଆଚାରବିଚାର ଏବଂ ଯୁକ୍ତିତର୍କ ସବୁରେ ସେ ଖୁବ୍ ସଂଯତ ଥିଲେ। ଥରେ ଗୋଟିଏ ଭୋଜିରେ ମୁଁ ତାଙ୍କୁ ଅଧିକ ମିଠେଇଟିଏ ଖାଇବାକୁ ବାଧ୍ୟ କରିଥିଲି। ସେ ହସି ହସି ଘୁଞ୍ଚିଯାଇଥିଲେ ଏବଂ କହିଥିଲେ, ‘ସେଥିରେ ତୁମର ନାଁ ଲେଖାଥିଲା ପରି ଜଣାପଡ଼ୁଛି।’ ମୁଁ ଆଉ ବାଧ୍ୟ କରି ନ ଥିଲି। ଏଭଳି ଜଣେ ଶୃଙ୍ଖଳିତ ବ୍ୟକ୍ତିଙ୍କୁ କର୍କଟରୋଗ ଆକ୍ରମଣ କଲା, ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି।

ଦୁଇବର୍ଷ ତଳେ, ତାଙ୍କର ଦ୍ୱିତୀୟ ସନ୍ତାନ ଚାଲିଯିବାପରଠାରୁ ସେ ଭାଙ୍ଗିପଡ଼ିଥିଲେ। ନିଜ ଦୁଃଖକୁ ଅନ୍ୟ ଆଗରେ କହିବା ଲୋକ ସେ ନ ଥିଲେ, ତେଣୁ ସେସବୁ କହି କାହାଠାରୁ ସହାନୁଭୂତି ଲୋଡୁ ନ ଥିଲେ। ମାତ୍ର ତାଙ୍କୁ ଦେଖିବା ବେଳକୁ ଜଣାପଡ଼ୁଥିଲା, ଭିତର ଦୁଃଖକୁ ଲୁଚେଇ ସେ ବାଟ ଚାଲୁଥିଲେ।

ନମ୍ର ମଣିଷ ମଧ୍ୟ ନିଷ୍ପତ୍ତିରେ ଦୃଢ଼ ରହିପାରନ୍ତି, ତାହାର ସାର୍ଥକ ଉଦାହରଣ ଥିଲେ ପ୍ରଫେସର ଗଣେଶ୍ୱର ମିଶ୍ର। ତଥା କହିବା ବେଳେ ସେ କେବେ ବି ସ୍ୱର ଉଚ୍ଚା କରୁନଥିଲେ; ମାତ୍ର ଶେଷ ପର୍ଯ୍ୟନ୍ତ ନିଜ ମତରେ ସେ ଅବିଚଳିତ ରହୁଥିଲେ।

ସେହିପରି ତାଙ୍କର ଆଉ ଗୋଟିଏ ଗୁଣ ଥିଲା ଭିଡ଼ ଭିତରେ ଏକଲା ରହିପାରିବାର ସାମର୍ଥ୍ୟ ଏବଂ ଆବଶ୍ୟକ ସ୍ଥଳେ ସଭିଙ୍କୁ ସଂପୃକ୍ତ କରିନେବାର ଆଗ୍ରହ। ଅନେକ ସମୟରେ- ବହିମେଳା କି ସଭାସମିତିରେ ଲକ୍ଷ୍ୟ କରିଛି, ସେ ନିରବରେ ଏକାକୀ ରହି ଦେଖୁଥାଆନ୍ତି କିମ୍ବା ଆଉ କାହା ସହ କିଛି ଆଲୋଚନା କରୁଥାଆନ୍ତି।

ସେତେବେଳେ ତାଙ୍କୁ ଦେଖିଲେ ମନେହେବ, ସେ କୋଳାହଳକୁ ଭଲ ପାଆନ୍ତି ନାହିଁ। ତେବେ, କୋଳାହଳ ତାଙ୍କର ପସନ୍ଦ ହୋଇନପାରେ, ମାତ୍ର ସେ ସମାବେଶକୁ ଭଲ ପାଉଥିଲେ। ସେଇଥିପାଇଁ କେହି ଜଣେ ବହିରାଗତ କବି, କଳାକାର କି ବୁଦ୍ଧିଜୀବୀ ଓଡ଼ିଶା ଆସିଲେ, ସେ ବ୍ୟକ୍ତିଗତ ଉଦ୍ୟମରେ ତାଙ୍କ ବାସଭବନରେ ଆସରର ଆୟୋଜନ କରି ବନ୍ଧୁମାନଙ୍କୁ ଆମନ୍ତ୍ରଣ କରୁଥିଲେ।

ତାଙ୍କ ପୋଷାକ ପରି ତାଙ୍କ ବ୍ୟକ୍ତିତ୍ୱରେ ପରମ୍ପରା ଓ ଆଧୁନିକତାର ସମନ୍ୱୟ ଲକ୍ଷ୍ୟ କରିହେଉଥିଲା। ମୁଁ ଯେତେଥର ଦେଖିଛି, ଗାଢ଼ରଙ୍ଗର ପ୍ୟାଣ୍ଟ୍ ଉପରେ ଖଦଡ଼ ପଞ୍ଜାବିଟିଏ। ଅତି ସାଧାରଣ ପୋଷାକ। ପ୍ୟାଣ୍ଟଟି ପଶ୍ଚିମ ସଭ୍ୟତାର ଏବଂ ପଞ୍ଜାବିଟି ଭାରତୀୟ ଚଳଣିର। ତାଙ୍କ ବ୍ୟକ୍ତି୍ତ୍ୱରେ ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଚିନ୍ତାଧାରା ଥିଲା। ବିଦେଶରେ ତାଲିମ ବା ଅଧ୍ୟାପନା କରିଥିଲେ ବୋଲି ସେ ଗୋଟାପଣେ ସେପଟର ହୋଇଯାଇ ନଥିଲେ। ଭାରତୀୟ ପରମ୍ପରା ମୂଲ୍ୟବୋଧ ପ୍ରତି ସେ ଥିଲେ ଏକାନ୍ତ ଅନୁଗତ। କେତେକ ବିଷୟରେ ସେ ଥିଲେ ସମ୍ପୂର୍ଣ୍ଣ ଶାସନୀ ବ୍ରାହ୍ମଣ!

ତାଙ୍କ ବ୍ୟକ୍ତିତ୍ୱ ପରି ତାଙ୍କର ପ୍ରତିଟି ଲେଖା। ଭାଷା ସରଳ, ଭଙ୍ଗୀ ସାବଲୀଳ ଏବଂ ବକ୍ତବ୍ୟ ସ୍ପଷ୍ଟ। କୌଣସି କଥା ସେ ବୁଲେଇ ବଙ୍କେଇ କହିବାରେ ସେ ବିଶ୍ୱାସ କରୁ ନଥିଲେ। ସ୍ପଷ୍ଟ ଏବଂ ତୀକ୍ଷ୍ଣ ତାଙ୍କର ପ୍ରକାଶଭଙ୍ଗୀ। ସେଥିରେ ଅତିରଞ୍ଜନ କିମ୍ବା ଭାବୁକତା ନ ଥାଏ। ସେଥିପାଇଁ ତାଙ୍କର ଗଳ୍ପ ହେଉ କି ଉପନ୍ୟାସ ଅଥବା ସଂପାଦକୀୟ, ସେସବୁ ପଢ଼ିବାକୁ ଭଲ ଲାଗେ, ତାହାର ଆବେଦନ ତତ୍‌କ୍ଷଣାତ୍‌ ହୃଦୟକୁ ଛୁଇଁଯାଏ।

ପ୍ରଫେସର ଗଣେଶ୍ୱର ମିଶ୍ରଙ୍କ ଜୀବନ ସାଦାସିଧା ଓ ସରଳ ଥିଲା। ତାଙ୍କର ଏଇ ଗୁଣଟି ମୋତେ ଖୁବ୍‌ ପ୍ରଭାବିତ କରୁଥିଲା। ସେଥିପାଇଁ ସେ ସାଙ୍ଗରେ ଥିଲେ ମାଡ଼ିପଡ଼େ ନାହିଁ, ସହଜ ଲାଗେ ପରିବେଶ।

ତାଙ୍କ ସହ ଶେଷ ଦେଖା ଭୁବନେଶ୍ୱର ଏୟାରପୋର୍ଟରେ। ପୁଅ ସନ୍ଦୀପ ମିଶ୍ର ସାଙ୍ଗରେ ନେଇ ଫେରୁଥାଆନ୍ତି। ବୋଧହୁଏ ଚିକିତ୍ସା ପାଇଁ ବାହାରକୁ ଯାଇଥିଲେ। ଆମେ କେତେଜଣ ଲେଖକ ସାମ୍ବାଦିକ ବିହରାଗତ ଜଣେ ଅତିଥି ଲେଖକଙ୍କୁ ପାଛୋଟି ଆଣିବାକୁ ଯାଇଥିଲୁ। ଆମକୁ ଦେଖି ଖୁସି ହେଲେ। ସେହି ଅସୁସ୍ଥତା ଭିତରେ ସୁଦ୍ଧା ଉତ୍ସାହ ଦେଲେ- କାମ କରିଚାଲ। ସ୍ଥିର ହୋଇ ବସି ରୁହ ନାହିଁ।

ବିଶ୍ୱାସ କରିହେଉ ନଥିଲା, ସିଏ ସତରେ ଚିରନିଦ୍ରାରେ ଶୋଇଯାଇଛନ୍ତି, ଆଉ ଉଠିବେ ନାହିଁ। ପ୍ରଫେସର ଗଣେଶ୍ୱର ମିଶ୍ର ଏକ ସାର୍ଥକ ଜୀବନ ଜିଇ ଯାଇଛନ୍ତି। ତାଙ୍କୁ ନେଇଯାଇ ମୃତ୍ୟୁର ଗର୍ବ ବା ଅଭିମାନ କରିବାର କୌଣସି କାରଣ ନାହିଁ।

ସୌଜନ୍ୟ-‘ଗଣେଶ୍ୱର ଗରିମା’

Comment