ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାହାଘର ବେଳେ ରକ୍ତଦାନ ଶିବିର ଆୟୋଜନ କରି ନବଦମ୍ପତ୍ତିଙ୍କୁ ୪୦ ୟୁନିଟ୍ ରକ୍ତ ଉପହାର ଦେଲେ ସାଙ୍ଗସାଥୀ।

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଏମିତି ବାହାଘର କେବେ ଆପଣ ଦେଖି ନଥିବେ କି ଶୁଣି ନଥିବେ। ଯେଉଁ ବାହାଘରରେ ନବ ଦମ୍ପତ୍ତି ନିଜ ଶରୀରକୁ ଦାନ କରିବାକୁ ବିବାହ ବେଦିରେ ଦେଇଛନ୍ତି ସ୍ୱୀକୃତି। ଖାଲି ନବ ଦମ୍ପତ୍ତି ନୁହନ୍ତି, ତାଙ୍କ ପରିବାରର ସଦସ୍ୟ ଓ ସାଙ୍ଗସାଥୀ ମଧ୍ୟ ଏହି ପବିତ୍ର ବିବାହ ତିଥିରେ ଅଙ୍ଗଦାନ କରିବାକୁ ଶପଥ କରିଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ଓସ୍ତପୁର ଗାଁର ସୁର୍ଯ୍ୟକାନ୍ତ ପରିଡ଼ା କଲେଜରେ ପାଠ ପଢୁଥିବା ବେଳେ ସହପାଠୀ ଶିଳ୍ପା ବୋଷଙ୍କୁ ପ୍ରେମ କରିଥିଲେ। ୧୨ ବର୍ଷର ପ୍ରେମ ସଫଳ ହୋଇଛି। ପ୍ରେମିକ ପ୍ରେମିକାରୁ ଉଭୟ ସାତ ଜନମର ସାଥୀ ପାଲଟିଛନ୍ତି। ଗତ ରବିବାର ଦିନ ହୋଇଥିଲା ଶିଳ୍ପା ଏବଂ ସୂର୍ଯ୍ୟଙ୍କର ବାହାଘର। ହେଲେ ଏହି ବିବାହ ଥିଲା ସମ୍ପୂର୍ଣ୍ଣ ନିଆରା।

ବିବାହ ଉତ୍ସବରେ ସାଙ୍ଗସାଥି ଯେଉଁମାନେ ଆସିଥିଲେ ସେମାନେ ବରକନ୍ୟାଙ୍କ ପାଇଁ କେହି ଉପହାର ଆଣି ନଥିଲେ। ବାହାଘର ବେଳେ ରକ୍ତଦାନ ଶିବିର କରି ୪୦ ୟୁନିଟ ରକ୍ତ ଦାନ କରିଥିଲେ ବନ୍ଧୁ ବାନ୍ଧବ ଓ ସାଙ୍ଗସାଥୀ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନବଦମ୍ପତ୍ତି ଶିଳ୍ପା ଓ ସୂର୍ଯ୍ୟ ମୃତ୍ୟୁ ପରେ ନିଜର ଅଙ୍ଗଦାନ କରିବାକୁ ବିବାହ ବେଦୀରେ ଶପଥ କରିଛନ୍ତି। ଶିଳ୍ପା ଓ ସୂର୍ଯ୍ୟଙ୍କର ୮ ଜଣ ସାଙ୍ଗ ମଧ୍ୟ ମୃତ୍ୟୁ ପରେ ନିଜର ଅଙ୍ଗଦାନ କରିବାକୁ ଅଙ୍ଗିକାର କରିଛନ୍ତି।

ସେମାନେ ହେଲେ ସୂର୍ଯ୍ୟଙ୍କର ସାନଭାଇ ଚନ୍ଦ୍ରକାନ୍ତ ପରିଡ଼ା, ସାଥୀ ଅବିନାଶ ରାଉତ, ଗୌତମ ସାହୁ, ଦୀପକ ବେହେରା, ମାସ୍ ରିଙ୍କି, ମିଷ୍ଟର ନାଥଶର୍ମା। ପରିବର୍ତ୍ତନ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ଉଦ୍ୟମରେ ଏହି ନିଆରା ବିବାହ ଉତ୍ସବ ସମ୍ପନ୍ନ ହୋଇଛି।

Comment