ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀକୁ ବିରୋଧ
  • ସହରରେ ୧୪୪ ଧାରା
  • ଗୁରୁବାର କେନ୍ଦ୍ରାପଡ଼ା ବନ୍ଦ
  • ବୁଧବାର ସନ୍ଧ୍ୟାରୁ ଦୋକାନ ବଜାର ବନ୍ଦ କଲା ପ୍ରଶାସନ
  • ସହରରେ ଇଣ୍ଟରନେଟ ସେବା ଅଚଳ
  • ସ୍କୁଲ, କଲେଜ ଛୁଟି ଘୋଷଣା କଲା ପ୍ରଶାସନ

ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀକୁ ବିରୋଧ କରି ବୁଧବାର କେନ୍ଦ୍ରାପଡ଼ା ସହର ଅଶାନ୍ତ ହୋଇଯାଇଛି। ପରିସ୍ଥିତି ଅଣାୟତ୍ତ ହେବାରୁ ଜିଲ୍ଲା ପ୍ରଶାସନ ସାରା ସହରରେ ୧୪୪ ଧାରା ଜାରି କରିଛି।

କେନ୍ଦ୍ରାପଡ଼ା ହାଇସ୍କୁଲ ପଡ଼ିଆରେ ଆଜି ଆରଏସଏସ ପକ୍ଷରୁ ନେତାଜୀ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ହେବାକୁ ଥିଲା। ସରସ୍ୱତୀ ଶିଶୁ ମନ୍ଦିର ପରିସରରୁ ଆର୍‌ଏସ୍ଏସ୍‌ର ପଥ ସଂଚାଳନ ଯାତ୍ରା ଆସି ପଡ଼ିଆ ନିକଟରେ ପହଞ୍ଚିବା ସମୟରେ ଶତାଧିକ ଲୋକେ ଏହାକୁ ବିରୋଧ କରିଥିଲେ।

ପ୍ରଶାସନର ବିନା ଅନୁମତିରେ ଏଠାରେ ଏହି ଜୟନ୍ତୀ କରାଇ ଦେବେ ନାହିଁ କହି ପଥ ସଂଚାଳନକୁ ବନ୍ଦ କରି ଦେଇଥିଲେ। ଫଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋ ହଲ୍ଲା ଆରମ୍ଭ ହୋଇଥିଲା। ବିବାଦ ଆଗକୁ ନବଢ଼ାଇବାକୁ ପୋଲିସ ହସ୍ତକ୍ଷେପ କରିଥିଲା।

ଆରଏସ୍‌ଏସର ସ୍ୱୟଂସେବକମାନେ ହାଇସ୍କୁଲ ରାସ୍ତାରେ ବସିରହି ଏହାର ପ୍ରତିବାଦ କରିଥିଲେ। ରାସ୍ତାରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ କରିଥିଲେ।

ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ସାରା ସହରରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ୧୪୪  ଧାର ଜାରି କରିଥିବା କେନ୍ଦ୍ରାପଡ଼ା ଏସ୍ ପି ନିତିଶେଖର ସୂଚନା ଦେଇଛନ୍ତି। ସହରରେ ଶାନ୍ତି ଫେରିବା ଅନୁଭବ କଲେ ୧୪୪ ଧାରା ଉଠାଇବାକୁ ପ୍ରଶାସନ ଚିନ୍ତା କରିବ ବେଲି କହିଛନ୍ତି ଏସ୍‌ପି।

ଗଣ୍ଡଗୋଳ ଆଶଙ୍କା କରି ଆଜି ସଂଧ୍ୟାରେ ପୋଲିସ ସହରରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ କରିଦେଇଛି। ଫଳରେ ସହରରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହୋଇଯାଇଛି। ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କରେ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ନେତାଜୀ ଓ ବୀର  ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ କରାଇ ନଦେବା ପ୍ରତିବାଦରେ ଗୁରୁବାର ରାଷ୍ଟୀୟ ସୁରକ୍ଷା ସମିତି କେନ୍ଦ୍ରାପଡ଼ା ସହର ବନ୍ଦ ଡାକରା ଦେଇଛି। ଏନେଇ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଆରଏସ୍ଏସ୍ ଓ ବିଶ୍ୱ ହିନ୍ଦୁ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଆରଏସ୍ଏସ୍‌ର ପଥ ସଞ୍ଚାଳନ ଶୋଭାଯାତ୍ରା ଯାଉଥିବା ବେଳେ କେତେକ ନ୍ୟସ୍ତ ସ୍ୱାର୍ଥ ଲୋକେ ନେତାଜୀଙ୍କ ଜୟନ୍ତୀ କରାଇ ନଦେବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି।

୧୪୪ ଧାରା ଅନିର୍ଦ୍ଦିଷ୍ଟ ସମୟ ପାଇଁ ବଳବତ୍ତର ରହିଥିବାରୁ ଗୁରୁବାର ସହରର ସମସ୍ତ ସ୍କୁଲ କଲେଜକୁ ବନ୍ଦ ଘୋଷଣା କରିଛି ପ୍ରଶାସନ। କେନ୍ଦ୍ରାପଡ଼ା ସହରରେ ଆଜି ଯେଉଁ ଅପ୍ରୀତିକର ପରିସ୍ଥିତି ଘଟିଲା ତାହା ବାହରକୁ ସମ୍ପ୍ରସାରଣ ନହେବା ପାଇଁ ସହରରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି।

Comment