ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ରାଜନଗରରେ ରାସ୍ତାତଳକୁ ଖସିଲା ଏକ ଯାତ୍ରୀବାହୀ ବସ୍‌। ଅଳ୍ପକେ ବଞ୍ଚିଲେ ୪୦ରୁ ଅଧିକ ଯାତ୍ରୀ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜନଗରରୁ ପୁରୀ ଯାଉଥିବାବେଳେ ଦ୍ୱିବେଦୀ ନାମକ ଏକ ଘରୋଇ ବସ୍‌ ବୁଧବାର ସକାଳେ ଘନ କୁହୁଡ଼ି ଯୋଗୁଁ ରାସ୍ତା ତଳକୁ ଖସି ଯାଇଥିବା ଜଣାପଡ଼ିଛି।

ବସ୍‌ଟି ଗୋପାଳପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଉଥିବା ବେଳେ ଡ୍ରାଇଭରଙ୍କର ଉପସ୍ଥିତ ବୁଦ୍ଧିରୁ ବସ୍‌ଟିକୁ ଅଟକାଯାଇ ପାରିଥିଲା। ଫଳରେ ବିପଦ ମୁହଁରୁ ବଞ୍ଚି ଯାଇଛନ୍ତି ପ୍ରାୟ ୪୦ରୁ ଅଧିକ ବସ୍ ଯାତ୍ରୀ। ଏଥିରେ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ରାଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ଗତ କିଛିଦିନ ଧରି ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। କୁହୁଡ଼ି ଯୋଗୁଁ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟୁଥିବା ଜଣାପଡ଼ିଛି।

Comment