ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେପିର ଗଡ଼ ପୂର୍ବ ଉତ୍ତରପ୍ରଦେଶର ଦାୟିତ୍ୱରେ ପ୍ରିୟଙ୍କା।

ସାଧାରଣ ନିର୍ବାଚନର ଅଳ୍ପ କେତେ ସପ୍ତାହ ପୂର୍ବରୁ କଂଗ୍ରେସ ଦଳ ପକ୍ଷରୁ ଏକ ବଡ଼ ଧରଣର ନିଷ୍ପତ୍ତି ନିଆଯାଇଛି। ପ୍ରିୟଙ୍କା ଗାନ୍ଧିଙ୍କୁ ସିଧାସଳଖ ଦଳର ମହାସଚିବ ଭାବେ ନିଯୁକ୍ତି ଦିଆଯାଇଥିବା ସହିତ   ତାଙ୍କୁ ପୂର୍ବ ଉତ୍ତର ପ୍ରଦେଶର ଦାୟିତ୍ୱରେ ରଖାଯାଇଛି। ଏହି ଅଞ୍ଚଳକୁ ବିଜେପିର ଗଡ଼ ବୋଲି କୁହାଯାଉଛି।

‘କର ବା ମର’ ସ୍ଥିତିରେ ପହଞ୍ଚିଥିବା କଂଗ୍ରେସ ପାର୍ଟି ପାଇଁ ଏହି ରଣନୀତି କେତେଦୂର ସଫଳ ହେବ ସେ କଥା କହିବା ବର୍ତ୍ତମାନଠାରୁ କଷ୍ଟ। ତେବେ ୨୦୧୯ ନିର୍ବାଚନକୁ କଂଗ୍ରେସ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ନେଇଛି। ସକ୍ରିୟ ରାଜନୀତିରେ ପ୍ରିୟଙ୍କା ଯୋଗ ଦେବେ ବୋଲି ଅବଶ୍ୟ ବହୁ ଦିନରୁ ଶୁଣାଯାଉଥିଲା। ହେଲେ ଏଇଟା ହିଁ ଠିକ୍ ସମୟ ଭାବି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଭଉଣୀ ପ୍ରିୟଙ୍କା ଭଦ୍ରାଙ୍କୁ ମଇଦାନରେ ଅବତରଣ କରାଇବା ପାଇଁ ଉଦ୍ୟମ କରିଛନ୍ତି।

ବୁଧବାର ଦିନ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ଫେବ୍ରୁଆରୀ ପହିଲାରୁ ପ୍ରିୟଙ୍କା ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଏଥି ସହିତ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବି ଆଉ ଜଣେ ମହାସଚିବ କରାଯାଇଛି।

ସେ ଉତ୍ତରପ୍ରଦେଶର ପଶ୍ଚିମ ଜିଲ୍ଲାମାନଙ୍କର ଦାୟିତ୍ୱରେ ରହିବେ। ଏହି ଅଦଳବଦଳରେ ଉତ୍ତରପ୍ରଦେଶ ଦାୟିତ୍ୱରେ ଥିବା ଗୁଲାମନବି ଆଜାଦଙ୍କୁ ହରିୟାନାର ପ୍ରଭାରୀ କରାଯାଇଛି। କେସି ବେନୁଗୋପାଳଙ୍କୁ କଂଗ୍ରେସ ଦଳୀୟ ସଂଗଠନର ଦାୟିତ୍ୱରେ ରଖାଯାଇଛି।

ଅଚାନକ ପ୍ରିୟଙ୍କା ଗାନ୍ଧିଙ୍କୁ ସକ୍ରିୟ ରାଜନୀତି ଭିତରକୁ ଅଣାଯାଇ ଉତ୍ତରପ୍ରଦେଶ ଭଳି ଏକ ସମ୍ବେଦନଶୀଳ ରାଜ୍ୟର ରାଜନୀତି ସହିତ ଯୋଡ଼ିବା ଘଟଣାକୁ ରାହୁଲ ଗାନ୍ଧିଙ୍କ ଏକ ମାଷ୍ଟରଷ୍ଟ୍ରୋକ ବୋଲି କୁହାଯାଉଛି।

ଯେଉଁସବୁ ଜିଲ୍ଲା ଦାୟିତ୍ୱରେ ପ୍ରିୟଙ୍କାଙ୍କୁ ରଖାଯାଇଛି ସେଠି କଂଗ୍ରେସର ସ୍ଥିତି ଏକରକମ ଭଲ। ଫୁଲପୁର ଲୋକସଭା ନିର୍ବାଚନମଣ୍ଡଳୀରେ  ଏକଦା ପ୍ରଧାନମନ୍ତ୍ରୀ ନେହେରୁ ପ୍ରାର୍ଥୀ ହୋଇଥିଲେ ଓ ଏଠାରୁ ଜିତି ସାଂସଦ ହୋଇଥିଲେ। ଠିକ୍ ସେହିଭଳି ଆହ୍ଲାବାଦ, ମିର୍ଜାପୁର, ବାରଣାସୀ, ପ୍ରତାପଗଡ଼ ଆଦି ଆସନରେ କଂଗ୍ରେସର କିଛି ପ୍ରତିଶତ ଭୋଟ ଅଛି।

କୁହାଯାଉଛି ଯେ ପ୍ରିୟଙ୍କାଙ୍କ ରାଜନୀତିରେ ପ୍ରବେଶ କରିବା ପରେ ଉତ୍ତରପ୍ରଦେଶରେ କର୍ମୀ ଓ ନେତାଙ୍କ ମଧ୍ୟରେ ଏକ ପ୍ରକାର ନୂଆ ଉତ୍ସାହ ସୃଷ୍ଟି ହେବ। ପ୍ରିୟଙ୍କା ଗାନ୍ଧି ଭଦ୍ରା ଏଭଳି ସମୟରେ କଂଗ୍ରେସ ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି ଯେତେବେଳେ କି ଉତ୍ତର ପ୍ରଦେଶରେ ବହୁଜନ ସମାଜ ପାର୍ଟି ଓ ସମାଜବାଦୀ ପାର୍ଟି ମଧ୍ୟରେ ଆସନ ବୁଝାମଣା ହୋଇଛି। କିନ୍ତୁ ମହାମେଣ୍ଟରେ କଂଗ୍ରେସକୁ ଜାଗା ମିଳିନାହିଁ।

ବିଗତ କିଛି  ଦିନ ଧରି କଂଗ୍ରେସ ନେତାମାନେ କହିଆସୁଛନ୍ତି ଯେ ୨୦୧୯ରେ ଦଳ ତାର କରିସ୍ମା ଦେଖାଇବ। ପ୍ରିୟଙ୍କାଙ୍କ ରାଜନୀତିରେ ପ୍ରବେଶ ସେହି ରଣନୀତିର ଅଂଶବିଶେଷ ବୋଲି କୁହାଯାଉଛି। ରାଜନୈତିକ ଟିପ୍ପଣୀକାରଙ୍କ ମତରେ ପୂର୍ବ ଉତ୍ତରପ୍ରଦେଶରେ କଂଗ୍ରେସର ସ୍ଥିତି ଅପେକ୍ଷାକୃତ ଦୁର୍ବଳ ରହିଥିବାରୁ

ପ୍ରିୟଙ୍କା ଯୋଗ ଦେବା ପରେ ସେହି ସ୍ଥିତିରେ ନିଶ୍ଚିତ ଭାବରେ ପରିବର୍ତ୍ତନ ଆସିବ।

Comment