ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ମାଦେଳି ମୁହାଣ ନିକଟରୁ କୋଷ୍ଟଗାର୍ଡ ଏକ ଟ୍ରଲର୍‌ ଜବତ କରିଛି। ଏହି ଟ୍ରଲରରୁ ୧୭୫ଟି ସାର୍କ ଜବତ ହୋଇଛି। ଯାହାର ଓଜନ ପ୍ରାୟ ୮ଟନ୍। ଏହାର ବଜାରରେ ମୁଲ୍ୟ ପ୍ରାୟ ୫୦ଲକ୍ଷ ଟଙ୍କାରୁ ଅଧିକ।

ଆନ୍ଧ୍ର ପ୍ରଦେଶର ନରସିଂହାଲୁ ନାମକ ଏକ ଟ୍ରଲର ଓଡ଼ିଶା ଉପକୂଳରୁ ଏହି ସାର୍କ ମାଛ ଧରୁଥିବା ବେଳେ ସମୁଦ୍ରରେ କଇଁଛ ସୁରକ୍ଷା ଦାୟିତ୍ୱରେ ଥିବା କୋଷ୍ଟଗାର୍ଡ ହାବୁଡ଼ରେ ପଡ଼ିଥିଲା। ଏହି ଟ୍ରଲରରେ ଥିବା ୭ଜଣ ମତ୍ସ୍ୟଜୀବୀଙ୍କୁ ଗହୀରମଥା ବନ ବଭାଗକୁ ହସ୍ତାନ୍ତର କରିଛି କୋଷ୍ଟଗାର୍ଡ।

ଓଡ଼ିଶାର ମାଦେଳି ମୁହାଣ ନିକଟରେ ଏହି ସାର୍କ ମାଛମାନଙ୍କ ଆବାସ ସ୍ଥଳୀ ରହିଛି। ଲକ୍ଷଲକ୍ଷ ସଂଖ୍ୟାରେ ସାର୍କମାନେ ଏଠାରେ ବିଚରଣ କରିଥାନ୍ତି। ଫିସ୍ ଫାଇଣ୍ଡର ଯନ୍ତ୍ର ଦ୍ୱାରା ଏହି ସାର୍କମାନଙ୍କର ଆବାସ ସ୍ଥଳୀକୁ ଠାବ କରି ଏହି ସାର୍କ ହଣ୍ଟରମାନେ ଆନ୍ଧ୍ର ଉପକୂଳରୁ ବେଆଇନ ଭାବରେ ଓଡ଼ିଶା ଉପକୂଳରେ ସାର୍କ ମାଛକୁ ଧରିବା ନେଇ ବନବିଭାଗ ଅଭିଯୋଗ କରିଛନ୍ତି।

ସମୁଦ୍ରରେ ଏହି ପ୍ରଜାତିର ମାଛକୁ ବନ୍ୟପ୍ରାଣୀ ଓ ଜଳଜୀବ ବିଭାଗରେ ସିଡ୍ୟୁଲ ୧ ପ୍ରଜାତିର ବୋଲି ବିବେଚନା କରାଯାଇଛି। ଏହି ଅପରାଧରେ ୭ ଜଣଙ୍କୁ ଗିରଫ କରି ବନବିଭାଗ କୋର୍ଟ ଚାଲାଣ କରିଛି। ଏହି ସାର୍କ ମାଛକୁ ସାର୍କ ମାଫିଆମାନେ କୋଟିକୋଟି ଟଙ୍କାରେ ବିକ୍ରୟ କରିଥାନ୍ତି।

ଜବତ ହୋଇଥିବା ଏହି ସାର୍କମାନଙ୍କ ମଧ୍ୟରେ ଅଛନ୍ତି ବୁଲ ସାର୍କ, ସ୍ପଟ୍ ଟେଲ ସାର୍କ ଓ ହାମର ହେଡ ସାର୍କ। ଏହି ୩ ପ୍ରଜାତିର ସାର୍କ ମାଛ ସମୁଦ୍ରରେ ବିରଳ ବୋଲି ଗହୀରମଥା ଏସିଏଫ ପଦାରବିନ୍ଦ ମିଶ୍ର ସୂଚନା ଦେଇଛନ୍ତି।

Comment