ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

‘ପ୍ରିୟଙ୍କା ଲାଓ ଦେଶ ବଚାଓ’ – ୨୦୧୪ ନିର୍ବାଚନ ପରେ ସାରା ଦେଶରେ ଶୁଭିଥିଲା ଏହି ସ୍ଲୋଗାନ।

୨୦୧୪ ନିର୍ବାଚନର ସାଢ଼େ ଚାରି ବର୍ଷ କଂଗ୍ରେସ କର୍ମକର୍ତ୍ତାଙ୍କ ସ୍ଳୋଗାନ ସାକାର ହୋଇଛି। ଭାଇ ରାହୁଲ ଗାନ୍ଧିଙ୍କ ପାଇଁ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ ହେବା ସହ ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଦାୟିତ୍ୱରେ ରହିଛନ୍ତି ପ୍ରିୟଙ୍କା।

ସୋନିଆ ଗାନ୍ଧିଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ସକ୍ରିୟ ରାଜନୀତିକୁ ଆସିବେ କି ନାହିଁ ତାହା ପ୍ରଶ୍ନବାଚୀ ଘେରରେ ରହିଥିଲା। ଶେଷରେ ପ୍ରିୟଙ୍କା ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। କୁହାଯାଉଛି ମୋଦିଙ୍କ ଲୋକପ୍ରିୟତାକୁ ଚେକ୍ ଦେବା ପାଇଁ କଂଗ୍ରେସ ଏହି ରଣନୀତି କରିଛି।

ସାଇକୋଲୋଜିରେ ଡିଗ୍ରୀ ଏବଂ ବୁଦ୍ଧିଷ୍ଟ ଷ୍ଟଡିଜରେ ଏମ୍‌ଏ କରିଥିବା ପ୍ରିୟଙ୍କାକୁ ବିଗତ ଦିନରେ ପ୍ରଚାର ମଇଦାନରେ ଦେଖିବାକୁ ମିଳିଥିଲା। ସେ ଅଧିକାଂଶ ସମୟ ମା’ ସୋନିଆଙ୍କ ନିର୍ବାଚନମଣ୍ଡଳୀ ରାୟବରେଲୀ ଏବଂ ଭାଇ ରାହୁଲଙ୍କ ନିର୍ବାଚନମଣ୍ଡଳୀ ଆମେଥିକୁ ଯାଇଥିଲେ। ଲୋକଙ୍କ ସହ ସିଧାସଳଖ ମିଶୁଥିଲେ। ସେଥିପାଇଁ ପ୍ରତିଥର ନିର୍ବାଚନ ବେଳେ କଂଗ୍ରେସ କର୍ମୀ ଗୋଟିଏ ସ୍ଲୋଗାନ ଦେଉଥିଲେ। ତାହା ହେଉଛି ‘ଆମେଥିକା ଡଙ୍କା, ବେଟିଆ ପ୍ରିୟଙ୍କା’। ଭାଇ ଏବଂ ମା’ଙ୍କ ପାଇଁ ପ୍ରଚାର କରୁଥିବା ପ୍ରିୟଙ୍କା ଏବେ ସକ୍ରିୟ ରାଜନୀତିକୁ ଓହ୍ଲାଇ ଥିବାରୁ କଂଗ୍ରେସ ସଙ୍ଗଠନ ପୁଣି ମଜଭୁତ ହେବ ବୋଲି ଆଶା ବାନ୍ଧିଛନ୍ତି କର୍ମକର୍ତ୍ତା।

୨୦୦୪ ସାଧାରଣ ନିର୍ବାଚନ ବେଳେ ପ୍ରିୟଙ୍କା ମା’ ସୋନିଆଙ୍କ ପ୍ରଚାର କମିଟିର ମ୍ୟାନେଜର ରହିଥିଲେ। ଖାଲି ସେତିକି ନୁହେଁ, ଭାଇ ରାହୁଲଙ୍କୁ ବି ପ୍ରଚାରରେ ବି ସହଯୋଗ କରିଥିଲେ ପ୍ରିୟଙ୍କା। ୨୦୦୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଯେତେବେଳେ ରାହୁଲ ସାରା ରାଜ୍ୟର ପ୍ରଚାର ମଙ୍ଗ ଧରିଥିଲେ ସେତେବେଳେ ପ୍ରିୟଙ୍କା ହିଁ ରାୟବରେଲୀର ପ୍ରଚାର ଦାୟିତ୍ୱ ତୁଲାଇଥିଲେ।

କାହିଁକି ଆସିଲେ ପ୍ରିୟଙ୍କା?

ପ୍ରତିଦିନ ଜାତୀୟ ରାଜନୀତିର ଦୃଶ୍ୟପଟ୍ଟ ବଦଳୁଛି। ନୂଆ ସମୀକରଣ ସୃଷ୍ଟି ହେଉଛି। ହେଲେ କଂଗ୍ରେସ ସଙ୍ଗଠନ ଭଲଭାବେ ସୁଦୃଢ଼ ହେବା ବଦଳରେ ଦୁର୍ବଳ ହୋଇଯାଉଛି।  ସୋନିଆ ଗାନ୍ଧି ରାହୁଲଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିଥିଲେ ମଧ୍ୟ ତାଙ୍କ ଉପରେ ଭୋଟର ଆସ୍ଥା ପ୍ରକଟ କରିପାରୁ ନାହାନ୍ତି। ରାହୁଲ ଯୁବକ ହୋଇଥିଲେ ବି କଂଗ୍ରେସ ପ୍ରତି ଯୁବକମାନେ ଆକର୍ଷିତ ହେଉ ନାହାନ୍ତି।

ଗୋଟିଏ ପଟେ ସାରା ଦେଶରେ ମୋଦିଙ୍କ ଲୋକପ୍ରିୟତା ବଢ଼ି ଚାଲିଥିବା ବେଳେ ଉତ୍ତରପ୍ରଦେଶରେ ମାୟାବତୀ-ଅଖିଳେଶ ଯାଦବଙ୍କ ମେଣ୍ଟ କଂଗ୍ରେସକୁ ଚିନ୍ତାରେ ପକାଇଛି। ଏଣୁ ଏସବୁ ଅସୁବିଧାକୁ ସୂରେଇ ବା ପାଇଁ ଏବଂ କଂଗ୍ରେସ କର୍ମୀଙ୍କ ମନରେ ଉତ୍ସାହ ଭରିବା ପାଇଁ ପ୍ରିୟଙ୍କା ଶେଷରେ ସକ୍ରିୟ ରାଜନୀତିକୁ ଆସିଥିବା ଚର୍ଚ୍ଚା ହେଉଛି। ଭାଇ ରାହୁଲଙ୍କୁ ସଙ୍କଟରୁ ଉଦ୍ଧାର କରିବା ଲାଗି ପ୍ରିୟଙ୍କା ଅସ୍ତ୍ର ଭାବେ କାମ କରିବେ ବୋଲି କୁହାଯାଉଛି।

୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କେନ୍ଦ୍ରରେ ମନମୋହନ ସିଂହଙ୍କ ନେତୃତ୍ବରେ ଉପା ସରକାର ଚାଲିଥିଲା। ଏହି ସରକାର ଅମଳରେ ଅନେକ ଲୋକପ୍ରିୟ ଯୋଜନା ହୋଇଥିଲେ ବି ତାହା ଭୋଟରଙ୍କୁ ପ୍ରଭାବିତ କରିପାରି ନଥିଲା।

୨୦୧୪ ନିର୍ବାଚନରେ ରାହୁଲଙ୍କ ହାତରେ ପ୍ରଚାର ଦାୟିତ୍ୱ ସମର୍ପି ଦେଇଥିଲେ ସୋନିଆ। ରାହୁଲ ବିଭିନ୍ନ ରାଜ୍ୟ ବୁଲି କଂଗ୍ରେସ ପାଇଁ ପ୍ରଚାର କରିଥିଲେ। ଉପା ସରକାର ଅମଳର ସଫଳତା ବଖାଣିଥିଲେ। କିନ୍ତୁ ଭୋଟର ଏହାକୁ ଗ୍ରହଣ କଲେନି। ମୋଦି ମ୍ୟାଜିକ ଆଗରେ ରାହୁଲଙ୍କ ପ୍ରଚାର ଫିକା ପଡ଼ିଗଲା। ଫଳରେ କଂଗ୍ରେସକୁ ଶୋଚନୀୟ ପରାଜୟର ମୁହଁ ଦେଖିବାକୁ ପଡ଼ିଲା। ୪୬୪ ଆସନରେ କଂଗ୍ରେସ ପ୍ରାର୍ଥୀ ଦେଇଥିବା ବେଳେ ମାତ୍ର ୪୪ଟି ଆସନରେ ବିଜୟ ବାନା ଉଡ଼ାଇଥିଲା କଂଗ୍ରେସ।

ଏହି ଫଳାଫଳ କଂଗ୍ରେସ ଶିବିରରେ ହତାଶା ଖେଳାଇ ଦେଇଥିଲା। ରାହୁଲଙ୍କୁ ବିରୋଧ କରି ୨୦୧୪ରେ ଅନେକ ବରିଷ୍ଠ କଂଗ୍ରେସ ନେତା ଦଳ ଛାଡ଼ି ଚାଲି ଯାଇଥିଲେ। ଏହାସହ ବିଭିନ୍ନ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବି ରାହୁଲଙ୍କ ମ୍ୟାଜିକ କାମ କଲାନି। ଶେଷରେ କଂଗ୍ରେସରେ ଦୀର୍ଘ ଦିନ ଧରି ରହିଥିବା କର୍ମୀମାନେ ‘ପ୍ରିୟଙ୍କା ଲାଓ, ଦେଶ ବଚାଓ’ ସ୍ଲୋଗାନ ଦେଇଥିଲେ।

୨୦୧୯ରେ ପ୍ରିୟଙ୍କା ସାଜିବେ ଅସ୍ତ୍ର

ରାହୁଲ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷ ମୁକୁଟ ପିନ୍ଧିବା ପରେ ଗୁଜରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ହୋଇଛି। ଅଧ୍ୟକ୍ଷ ହେବା ପରେ ରାହୁଲ ଗୁଜରାଟରେ ପ୍ରଥମେ ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷାରେ ଯଦିଓ ରାହୁଲ ଫେଲ୍ ମାରିଥିଲେ, ହେଲେ ପୂର୍ବାପେକ୍ଷା କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲା।

୨୦୧୯ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ଛତିଗଶଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କଂଗ୍ରେସ ରାହୁଲଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିଥିଲା। ଏହି ତିନି ରାଜ୍ୟ ବିଜେପିର ଗଡ଼ ହୋଇଥିଲେ ମଧ୍ୟ କଂଗ୍ରେସ ଏଠାରେ ବିଜୟର ସ୍ୱାଦ ଚାଖିଥିଲା।

ହେଲେ ଏହି ତିନି ରାଜ୍ୟର ଫଳାଫଳ ପରେ ଜାତୀୟ ରାଜନୀତିର ସମୀକରଣ ବଦଳୁଛି। କଂଗ୍ରେସକୁ ଟକ୍କର ଦେବା ପାଇଁ ବିଜେପି ଶିବିରରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ଚାଲିଛି।

ନିର୍ବାଚନ ତାରିଖ ଘୋଷଣା ହୋଇ ନଥିଲେ ମଧ୍ୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟକୁ ଯାଇ ପ୍ରଚାରକୁ ସରଗରମ କରିଛନ୍ତି। ମୋଦି-ଶାହ ଯୁଆଡ଼େ ଯାଉଛନ୍ତି ସେଠି କଂଗ୍ରେସକୁ ଟାର୍ଗେଟ କରୁଛନ୍ତି। ସାଢ଼େ ଚାରି ବର୍ଷର ବିଜେପି ଶାସନର ସଫଳତା ମନ୍ତ୍ର ସାଧାରଣ ଲୋକଙ୍କ ଆଗରେ କହୁଛନ୍ତି। ହେଲେ ଏହାକୁ ରାହୁଲ ଏକୁଟିଆ କାଉଣ୍ଟର କରିବାରେ ସମର୍ଥ ହେଉ ନାହାନ୍ତି। ସୋନିଆ ଅସୁସ୍ଥ ଥିବାରୁ ପ୍ରଚାର ମଇଦାନକୁ ଓହ୍ଲାଇବା ଆଶା କମ୍ ରହିଛି। ଏଣୁ ଭାଇ ରାହୁଲଙ୍କୁ ୨୦୧୯ ନିର୍ବାଚନରେ ସହଯୋଗ କରିବା ପାଇଁ ପ୍ରିୟଙ୍କା ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ମୋଦିଙ୍କ ଲୋକପ୍ରିୟତାରେ ବ୍ରେକ୍ ଦେବା ପାଇଁ ପ୍ରିୟଙ୍କା କଂଗ୍ରେସର ଅସ୍ତ୍ର ସାଜିବେ ବୋଲି ଚର୍ଚ୍ଚା ହେଉଛି।

Comment