ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ରାହୁଲ ଗାନ୍ଧିଙ୍କ ତମାଣ୍ଡୋ ଭାଷଣ ଉପରେ ସମସ୍ତଙ୍କ ନଜର

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଜାନୁଆରୀ ୨୫ରେ ଓଡ଼ିଶା ଗସ୍ତରେ ଆସି କର୍ମୀ ଏବଂ ନେତାଙ୍କୁ ଦେବେ ଗୁରୁମନ୍ତ୍ର। ଭୁବନେଶ୍ୱର ତମାଣ୍ଡୋ ପଡ଼ିଆରେ ରାହୁଲଙ୍କ କାର୍ଯ୍ୟକ୍ରମ ଅଛି। ରାହୁଲଙ୍କ ଗସ୍ତକୁ ନେଇ ଏବେ ଉତ୍ସାହିତ ହୋଇପଡ଼ିଛି କଂଗ୍ରେସ ଶିବିର।

ଏଆଇସିସିର ମଙ୍ଗ ଧରିବା ପରେ ରାହୁଲ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଥିବାରୁ ଭୁବନେଶ୍ୱର ତମାଣ୍ଡୋରେ ହେବାକୁ ଥିବା ଜନସମାବେଶକୁ ସଫଳ କରିବା ପାଇଁ ଲାଗିପଡ଼ିଛନ୍ତି ନେତା ଓ କର୍ମୀ।

ଏହାସହ ରାହୁଲ ପ୍ରଥମ ଥର ପାଇଁ ଉପକୂଳ ଓଡ଼ିଶାରେ ବଡ଼ ଧରଣର ସମାବେଶ କରି ୨୦୧୯ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବେ। ତେବେ ରାହୁଲ ଏହି ସମାବେଶରେ କ’ଣ କହି କଂଗ୍ରେସକୁ ଓଡ଼ିଶା ଭୋଟରଙ୍କ ନିକଟତର କରିବେ ତା’ ଉପରେ ରହିଛି ସମସ୍ତଙ୍କ ନଜର।

ନବୀନଙ୍କୁ ମାରିବେ କି ବାଣ?

୧୮ ବର୍ଷ ହେଲା ଓଡ଼ିଶାରେ କଂଗ୍ରେସ, ବିରୋଧୀ ଆସନରେ ବସି ଆସିଛି। ପ୍ରତି ନିର୍ବାଚନରେ ଏହି ଜାତୀୟ ଦଳର ଆସନ ସଂଖ୍ୟା କମିଛି ପଛେ ବଢ଼ିବାର ନାଁ ଧରୁନି। ୧୮ ବର୍ଷ ହେଲା କଂଗ୍ରେସ ଯଦି ଓଡ଼ିଶାରେ କାହାକୁ ଟକ୍କର ଦେଇଛି ତାହାଲେ ସେ ହେଉଛି ବିଜେଡି। ହେଲେ କେନ୍ଦ୍ରରେ ଉପା ସରକାର ଚାଲିଥିବା ବେଳେ ବିଜେଡି କିମ୍ବା ନବୀନଙ୍କୁ କଂଗ୍ରେସ ନେତା ଟାର୍ଗେଟ କରୁ ନଥିଲେ। ନିକଟରେ କଂଗ୍ରେସରୁ ଜଣେ ଜଣେ ନେତା ହାତ ଛାଡି ବିଜେଡି ଆଡକୁ ମୁହାଁଇବା ପ୍ରସଙ୍ଗରେ ରାହୁଲ କଣ କହୁଛନ୍ତି ତାହା ଉପରେ ନଜର ରହିଛି।

ଉପା ସରକାରର ମନ୍ତ୍ରୀ ହୁଅନ୍ତୁ କି ଅଧ୍ୟକ୍ଷ ସୋନିଆ ଗାନ୍ଧି, ଯେତେଥର ଓଡ଼ିଶା ଆସିଛନ୍ତି ସବୁବେଳେ ନବୀନଙ୍କୁ ପ୍ରଶଂସା କରି ଯାଇଛନ୍ତି। ରାହୁଲ କଂଗ୍ରେସର ମଙ୍ଗ ଧରିବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଥିବାରୁ ନବୀନଙ୍କ ବିପକ୍ଷରେ କିଛି କହିବେ କି ନାହିଁ ତାକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି।

୧୮ ବର୍ଷର ନବୀନ ସରକାରର ବିଫଳତାକୁ ଟାର୍ଗେଟ କରିପାରନ୍ତି ରାହୁଲ। କାରଣ ଓଡ଼ିଶାରେ ମୋଦି ଏବଂ ବିଜେପି ଅପେକ୍ଷା ବିଜେଡି ଓ ନବୀନଙ୍କ ଲୋକପ୍ରିୟତା ଅଧିକ।

ତେବେ ଏସବୁ ଭିତରେ ଗୋଟିଏ ଚର୍ଚ୍ଚା ଜୋର ଧରୁଛି ଯେ, ରାହୁଲ ଓଡ଼ିଶାରେ ବିଜେଡିକୁ ଟାର୍ଗେଟ କଲେ ହିଁ କଂଗ୍ରେସ କର୍ମୀଙ୍କ ମନୋବଳ ବୃଦ୍ଧି ପାଇବ ବୋଲି ରାଜନୀତି କରିଡରରେ ଚର୍ଚ୍ଚା ହେଉଛି।

କଂଗ୍ରେସ ନେତାଙ୍କୁ ଏକାଠି କରିପାରିବେ କି ରାହୁଲ?

ଓଡ଼ିଶାରେ ଯଦି କଂଗ୍ରେସର ଅବସ୍ଥା ଶୋଚନୀୟ ତାହାଲେ ଏଥିପାଇଁ ଗୋଷ୍ଠୀ କନ୍ଦଳ ଏବଂ ନେତା ନେତାଙ୍କ ଭିତରେ ସମନ୍ୱୟ ଅଭାବକୁ ଦାୟୀ କରାଯିବ। ୧୮ ବର୍ଷ ହେଲା ଏହି ଗୋଟିଏ କାରଣ ପାଇଁ କଂଗ୍ରେସ ବିଜେଡିକୁ କଡ଼ା ମୁକାବିଲା କରିପାରୁନି। ନିକଟରେ କଂଗ୍ରେସରୁ ନେତା ଦୁରେଇ ଯିବା ମଧ୍ୟ କଂଗ୍ରେସ ପାଇଁ ଏକ ବଡ ଚାଲେଞ୍ଜ ହେବ ଆଗାମୀ ଦିନରେ। ତେବେ ଦଳ ଛାଡିଥିବା ନେତା, ଦଳରେ ଅସନ୍ତୁଷ୍ଟ ଥିବା ନେତାଙ୍କ ପାଇଁ ରାହୁଲ କ’ଣ କହୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ପିସିସି ସଭାପତିରେ ପରିବର୍ତ୍ତନ କରିଛନ୍ତି ରାହୁଲ। ପ୍ରସାଦ ହରିଚନ୍ଦନଙ୍କୁ ହଟାଇ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ମୁଖିଆ କରିଛନ୍ତି। ହେଲେ ଦଳରୁ କନ୍ଦଳ ଦୂର ହୋଇପାରୁନି। ଶ୍ରୀକାନ୍ତ ଜେନା, କୃଷ୍ଣ ଚନ୍ଦ୍ର ଶଗରିଆ, ପ୍ରଣୟ ସାହୁ ଙ୍କ ଭଳି ନେତା ବିଭିନ୍ନ କାରଣ ପାଇଁ ଦଳରେ ବିଦ୍ରୋହର ବିଗୁଲ ଫୁଙ୍କିବା ସହ ଏବେ ଆଉ ଦଳରେ ନାହାନ୍ତି। ଆଉ କିଛି ନେତା ନେତୃବୃନ୍ଦଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ିଛନ୍ତି। ଓଡ଼ିଶା କଂଗ୍ରେସର ଘର ସଜାଡ଼ି ରାହୁଲଙ୍କୁ ୨୦୧୯ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ରାଜନୀତି କରିଡରରେ ଚର୍ଚ୍ଚା ହେଉଛି।

Comment