ଓଡ଼ିଶାଲାଇଭ୍‌ ବ୍ୟୁରୋ

‘କାଳିଆ’ ଯୋଜନାରେ ଯୋଗ୍ୟ ବିବେଚିତ ହୋଇଥିବା ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା। ପ୍ରଥମ ଦିନରେ ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ଆକାଉଣ୍ଟକୁ ୬୬୨ କୋଟି ଟଙ୍କା ଆସିଛି। ଡିବିଟି ଆକାଉଣ୍ଟ ମାଧ୍ୟମରେ ରାଜ୍ୟ ସରକାର ଏହି ଟଙ୍କା ପଠାଇଛନ୍ତି।

ପୁରୀ ମାଳତିପାଟପୁରଠାରେ ଆୟୋଜିତ ଚାଷୀ ସମାବେଶରେ କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ତଥା ସହାୟତା ରାଶି ଯୋଗାଇ ଦେବାର ପ୍ରକ୍ରିୟାକୁ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ କହିଥିଲେ, “ସାରା ଦେଶକୁ ବାଟ ଦେଖାଇବ କାଳିଆ ଯୋଜନା। କାଳିଆ ଯୋଜନାର ସଫଳ ଯାତ୍ରାକୁ କେହି ରୋକିପାରିବେ ନାହିଁ। ଓଡ଼ିଶାର ଅର୍ଥନୀତିକୁ ‘କାଳିଆ’ ଯୋଜନା ସମୃଦ୍ଧ କରିବ। ଭଲ ଚାଷ ପାଇଁ ଚାଷୀଙ୍କୁ ସହାୟତା କରିବା ସହିତ ଚାଷୀ ପରିବାରରେ ଖୁସି ପହଞ୍ଚାଇବ ଏହି ଯୋଜନା। ୯୨ ପ୍ରତିଶତ ଚାଷୀ ଏହି ଯୋଜନାରେ ଉପକୃତ ହେବେ।”

ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଯାଇଛି। ୫ଟି ପର୍ଯ୍ୟାୟରେ ୨୫ ହଜାର ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯିବ। ପୁରୀ ସମାବେଶରେ ଆଜି ହଜାର ହଜାର ଚାଷୀ ଯୋଗ ଦେଇଥିଲେ।

Comment