ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଭୁବନେଶ୍ୱର ତମାଣ୍ଡୋ ସଭାରୁ ମୋଦି ଓ ନବୀନଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧି।

“ମିଛ ପ୍ରତିଶ୍ରୁତି ଦେବାକୁ ମୁଁ ଓଡ଼ିଶା ଆସିନି। ସମସ୍ତଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଦେବାକୁ ମୁଁ ପ୍ରତିଶ୍ରୁତି ଦେଇ ପାରିବିନି। ମୋ’ ଉପରେ ଆପଣ ରାଗିଲେ ବି ମୁଁ ଏଭଳି ମିଛ କଥା କହିବାକୁ ଆସିନି। କାରଣ ମୁଁ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କୁ ସମ୍ମାନ ଦିଏ”, ତମାଣ୍ଡୋ ସଭାରେ ଏହା କହି ମୋଦି ସରକାରଙ୍କୁ ତୀର ମାରିଛନ୍ତି ରାହୁଲ।

କଂଗ୍ରେସର ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ପାଇଁ ରାହୁଲ ଗାନ୍ଧି ଆଜି ଓଡ଼ିଶା ଆସିଥିଲେ। ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବା ସହ ତମାଣ୍ଡୋଠାରେ ଆୟୋଜିତ ପରିବର୍ତ୍ତନ ସଙ୍କଳ୍ପ ସମାବେଶରେ ଯୋଗଦେଇ ଉଭୟ ମୋଦି ଏବଂ ନବୀନଙ୍କୁ ଟାର୍ଗେଟ କରିଥିଲେ।

ତ’ଜୟ ଜଗନ୍ନାଥ’ରୁ ଭାଷଣ ଆରମ୍ଭ କରି ରାହୁଲ୍ ଗର୍ଜିଥିଲେ। ଅଧ୍ୟକ୍ଷ ହେବା ପୂର୍ବରୁ ରାହୁଲ ଅନେ ଥର ଓଡ଼ିଶା ଆସିଛନ୍ତି। ହେଲେ ତମାଣ୍ଡୋ ସଭାରେ ଯେଉଁଭଳି ଢଙ୍ଗରେ ମୋଦି ଓ ନବୀନଙ୍କୁ ଆକ୍ରମଣ କଲେ ତାହା ପୂର୍ବରୁ କେବେ ଦେଖିବାକୁ ମିଳି ନଥିଲା। ମୋଦି ଏବଂ ନବୀନଙ୍କୁ ସିଧାସଳଖ ଆକ୍ରମଣ କରି ରାହୁଲ ନିର୍ବାଚନ ବିଗୁଲ ଫୁଙ୍କିଛନ୍ତି।

ଓଡ଼ିଶା ଗରୀବ ନୁହେଁ, ଲୋକ ଗରୀବ

ରାହୁଲ ଗାନ୍ଧି ଭାଷଣ ଆରମ୍ଭରୁ ମୋଦି ଓ ନବୀନଙ୍କୁ ନିଶାନା କରିଥିଲେ। ମୋଦି ଏବଂ ନବୀନ ପଟ୍ଟନାୟକଙ୍କ ଭିତରେ ଭିତରି ବୁଝାମଣା ରହିଥିବା ରାହୁଲ ଆଜି ସ୍ପଷ୍ଟ କରିଛନ୍ତି। ସେ ପରୋକ୍ଷରେ ମୋଦି ଏବଂ ନବୀନଙ୍କୁ ଭାଇ ଭାଇ କହି ସମାଲୋଚନା କରିବାକୁ ପଛାଇ ନାହାନ୍ତି।

ରାହୁଲ କହିଥିଲେ, “ଓଡ଼ିଶା ଗରୀବ ରାଜ୍ୟ ନୁହେଁ। କିନ୍ତୁ ଓଡ଼ିଶାବାସୀ ହେଉଛନ୍ତି ଗରୀବ। ଓଡ଼ିଶାରେ ପ୍ରଚୁର ପରିମାଣର ଖଣିଜ ସମ୍ପଦ ରହିଛି। ହେଲେ ଏଠାକାର ରାଜ୍ୟ ସରକାର ଏବଂ ଦିଲ୍ଲୀରେ ବସିଥିବା କେନ୍ଦ୍ର ସରକାର ଖଣିଜ ସମ୍ପଦର ସଠିକ୍ ବିନିଯୋଗ କରିପାରୁ ନାହାନ୍ତି। ଖଣିଜ ସମ୍ପଦକୁ ଲୁଟ୍ କରି କିଛି କତିପୟ ଉଦ୍ୟୋଗପତିଙ୍କ ହାତରେ ଟେକି ଦେଉଛନ୍ତି। ଫଳରେ ଓଡ଼ିଶା ଆଗକୁ ଆଗେଇ ପାରୁ ନାହିଁ।”

ମୋଦିଙ୍କ ଜୁନିଅର ପାର୍ଟନର ନବୀନ!

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁଆଡ଼େ ଯାଉଛନ୍ତି ସେଠି ଚାଷୀଙ୍କ ବିକାଶ କଥା କହୁଛନ୍ତି। ଚାଷୀଙ୍କ ପାଇଁ ତାଙ୍କ ସରକାର ଦିନ ରାତି ଚିନ୍ତା କରୁଛନ୍ତି ବୋଲି ଭାଷଣ ଦେଉଛନ୍ତି। ମୋଦି ଯାଉଥିବା ରାସ୍ତାରେ ତାଙ୍କ ଜୁନିଅର ପାର୍ଟନର୍ ନବୀନ ପଟ୍ଟନାୟକ ପାଦ ଦେଇଛନ୍ତି। ସେ ବି ଚାଷୀଙ୍କୁ ମିଛ ପ୍ରତିଶ୍ରୁତି ଦେଉଛନ୍ତି।

“ଓଡ଼ିଶାରେ ଦୀର୍ଘ ବର୍ଷ ହେଲା ନବୀନଙ୍କ ନେତୃତ୍ୱରେ ସରକାର ଚାଲିଛି। ଗତ ୧୫ ବର୍ଷ ଭିତରେ ଓଡ଼ିଶାରେ କେତେ ଜଳସେଚନ ପ୍ରକଳ୍ପ ନବୀନ ପଟ୍ଟନାୟକ କରିଛନ୍ତି? ବିନା ପାଣିରେ ଚାଷ କାମ ହୋଇପାରିବ କି?”, ତମାଣ୍ଡୋ ସମାବେଶରୁ ନବୀନଙ୍କୁ ଏହି ପ୍ରଶ୍ନ ପଚାରିଥିଲେ ରାହୁଲ।

ଖାଲି ସେତିକି ନୁହେଁ, ବେରୋଜଗାରୀ ପ୍ରସଙ୍ଗରେ ବି ମୋଦି ଓ ନବୀନଙ୍କୁ ନିଶାନା କରିଥିଲେ ରାହୁଲ।

ରାହୁଲ କହିଥିଲେ, “ପ୍ରତିବର୍ଷ ୨ କୋଟି ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବେ ବୋଲି ମୋଦି ପ୍ରତିଶ୍ରୁତି ଦେଇଥିଲେ। ୨୦୨୨ ଭିତରେ ଓଡ଼ିଶାର ୩୬ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବେ ବୋଲି ନବୀନ ପଟ୍ଟନାୟକ କହିଥିଲେ। କିନ୍ତୁ ବର୍ତ୍ତମାନସୁଦ୍ଧା ମୋଦି ଓ ନବୀନ କେତେ ନିଯୁକ୍ତି ଦେଇଛନ୍ତି?”

କଂଗ୍ରେସ କ୍ଷମତାକୁ ଆସିଲେ ଓଡ଼ିଶାର ଯୁବକ ଯୁବତୀଙ୍କୁ ଓଡ଼ିଶାରେ ହିଁ ରୋଜଗାର ଦେବ ବୋଲି ରାହୁଲ କହିଥିଲେ।

ମୋଦି-ନବୀନ ଭାଇଭାଇ!

ରାହୁଲ ପୂରା କଡ଼ା ମିଜାଜରେ ମୋଦି ଏବଂ ନବୀନଙ୍କୁ ଆକ୍ରମଣ କରି ଦିଲ୍ଲୀ ଫେରିଛନ୍ତି। ଓଡ଼ିଶାରେ କ’ଣ ତାହା ଦିଲ୍ଲୀ ଏବଂ ନାଗପୁରରୁ କଣ୍ଟ୍ରୋଲ କରାଯାଉଥିବା ରାହୁଲ କହିଛନ୍ତି।

“କେନ୍ଦ୍ରରେ ଯେଉଁ ବିଲ୍ ପାସ୍ ହେଉଛି ସେଥିରେ ନବୀନ ବାବୁ ସମର୍ଥନ କରୁଛନ୍ତି। ଜିଏସ୍‌ଟି ଏବଂ ବିମୁଦ୍ରାକରଣ ପାଇଁ ସାରା ଦେଶରେ ଅରାଜକତା ଦେଖାଦେଲା। ଛୋଟ ବ୍ୟବସାୟୀମାନେ ବ୍ୟବସାୟ କରିବାକୁ ସମର୍ଥ ହେଲେ ନାହିଁ। କିନ୍ତୁ ଏହି ନୀତିକୁ ନବୀନ ବାବୁ ସମର୍ଥନ କଲେ। ମୋଦି ଯେତେବେଳେ ଯାହା ମାଗିଛନ୍ତି ସେଥିରେ ନବୀନ ବାବୁ ସମର୍ଥନ ଦେଇଛନ୍ତି”, କହିଛନ୍ତି ରାହୁଲ।

ଚିଟଫଣ୍ଡ କଥା କହିଲେ ରାହୁଲ

ଓଡ଼ିଶାରେ ହୋଇଥିବା ଚିଟଫଣ୍ଡ ସ୍କରାମ କଥା ଉଠାଇ ରାହୁଲ ମୋଦି ଓ ନବୀନ ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ନବୀନ ବାବୁ ଏବଂ ତାଙ୍କ ମନ୍ତ୍ରୀମାନେ ଚିଟ୍‌ଫଣ୍ଡ ସ୍କାମରେ ଜଡ଼ିତ ଥିଲେ ମଧ୍ୟ ଏହାକୁ ଘଣ୍ଟା ଘୋଡ଼ାଉଛନ୍ତି ମୋଦି ସରକାର। କାରଣ ମୋଦିଙ୍କ ବିଭିନ୍ନ ପ୍ରସ୍ତାବକୁ ନବୀନ ବାବୁ ସମର୍ଥନ କରି ଆସୁଛନ୍ତି। ଓଡ଼ିଶାର ରିମୋଟ୍ କଣ୍ଟ୍ରୋଲ ଦିଲ୍ଲୀରୁ ହେଉଥିବାରୁ ଓଡ଼ିଶାବାସୀଙ୍କ ଦାବି ପୂରଣ ହୋଇପାରୁ ନାହିଁ।

ଓଡ଼ିଶାରେ ବ୍ୟୁରୋକ୍ରାଟଙ୍କ ସରକାର

ଓଡ଼ିଶାରେ ବିଭିନ୍ନ ସେକ୍ଟରରେ ଦୁର୍ନୀତି ହେଉଛି। ହେଲେ ଏହାକୁ ରୋକିବ କିଏ? ସାଧାରଣ ଲୋକଙ୍କ ସ୍ୱର ସରକାରଙ୍କ ପାଖରେ ପହଞ୍ଚି ପାରୁ ନାହିଁ। କାରଣ ଏଠାରେ ଜନତାଙ୍କ ସରକାର ନୁହେଁ, ବ୍ୟୁରୋକ୍ରାଟଙ୍କ ଶାସନ ଚାଲିଛି। ଏହାକୁ କଂଗ୍ରେସ ପାର୍ଟି ହିଁ ଶେଷ କରିବ।

ଓଡ଼ିଶାରେ କଂଗ୍ରେସ ଶାସନ କରିବ। ସବୁ ବର୍ଗର ଲୋକଙ୍କୁ ନ୍ୟାୟ ଦେଇ ଓଡ଼ିଶାର ବିକାଶ କରିବ କଂଗ୍ରେସ ବୋଲି ରାହୁଲ କହିଛନ୍ତି।

Comment