ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତନ୍ତ୍ର ଦିବସକୁ ବିପ୍ଲବୀ ଦିବସ ଭାବେ ପାଳିଳେ ପଶ୍ଚିମ ଓଡ଼ିଶାର ଆଇନଜୀବୀ।

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ୭୦ତମ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆମରଣ ଅନଶନରେ ବସିଥିବା ଓକିଲମାନେ ସମାନ୍ତରାଳ ଭାବେ ବିପ୍ଲବୀ ଦିବସ ପାଳନ କରିଛନ୍ତି। ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥଳଠାରୁ ମାତ୍ର ଶହେ ମିଟର ଦୂରରେ ଆନ୍ଦୋଳନରତ ଓକିଲମାନେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ନାରାବାଜି କରିଥିଲେ। ମୁଖ୍ୟ ଅତିଥିଙ୍କୁ ସଭାସ୍ଥଳକୁ ଯିବାକୁ ଦେଇନଥିଲେ। ପରେ ନାରାବାଜି, ବିକ୍ଷୋଭ ଓ ଠେଲାପେଲା ମଧ୍ୟରେ ସାଧାରଣତନ୍ତ୍ର ଦିବସ ପରେଡ୍‌ ଶେଷ ହୋଇଥିଲା।

ଗୋଟିଏ ପଟେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ଓକିଲମାନେ ମାଇକ୍‌ ଯୋଗେ ନାରାବାଜି ଦେଉଥିବା ବେଳେ ଅନ୍ୟପଟେ ମୁଖ୍ୟ ଅତିଥିଙ୍କ ଭାଷଣ ଚାଲିଥିଲା। ଏଭଳି ଚିତ୍ର ଆଜି ଦେଖିବାକୁ ମିଳିଛି ସମ୍ବଲପୁର କଚେରୀ ଛକରେ।

ପଶ୍ଚିମଓଡ଼ିଶା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ସମାନ୍ତରାଳ ଭାବରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଜିଲ୍ଲାସ୍ତରୀୟ ପରେଡ୍‌ରେ ଯୋଗଦେବାକୁ ଆସିଥିବା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ସଭାସ୍ଥଳକୁ ଛାଡି ନଥିଲେ।

ନାରାବାଜି ଦେଇ ମନ୍ତ୍ରୀଙ୍କ ଗାଡି ସମ୍ମୁଖକୁ ମାଡି ଆସିଥିଲେ ଆନ୍ଦୋଳନରତ ଓକିଲ ଓ ସାଧାରଣ ଲୋକମାନେ। ଦୀର୍ଘ ୫ ମାସ ହେଲା ପଶ୍ଚିମଓଡିଶାର ୯ଟି ଜିଲ୍ଲାରେ ଓକିଲଙ୍କ ସହ ୨ ଶହରୁ ଅଧିକ ସଂଗଠନ ଆନ୍ଦୋଳନ କରି ଆସୁଥିଲେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାର ଏହି ଆନ୍ଦୋଳନକୁ ହେୟ ମନେ କରି ଆସୁଛନ୍ତି। ଫଳରେ ଆଜି ଓକିଲ ଓ ସାଧାରଣ ଲୋକମାନେ ମନ୍ତ୍ରୀଙ୍କୁ ଦେଖି ଅଧିକ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ। ମନ୍ତ୍ରୀ ତାଙ୍କ ଭାଷଣ ଆରମ୍ଭ କରିବା ମାତ୍ରେ ଓକିଲମାନେ ପ୍ରବଳ ନାରାବାଜି କରିଥିଲେ। ପଶ୍ଚିମଓଡିଶା ଓକିଲସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ପ୍ରବକ୍ତା ସୁରେଶ୍ବର ମିଶ୍ର। କହିଛନ୍ତି, “ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ରାଜ୍ୟ ସରକାର କେବଳ ଚିରାଚରିତ ଢଙ୍ଗରେ କେନ୍ଦ୍ରକୁ ଚିଠି ଟିଏ ଲେଖିଦେଇ ତାଙ୍କ ଦାୟିତ୍ୱ ସାରି ଦେଉଛନ୍ତି। ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ ଓ ବଜେଟ୍‌ରେ ମଧ୍ୟ କୌଣସି ବ୍ୟୟବରାଦ କରୁନାହାନ୍ତି।”

ମନ୍ତ୍ରୀ ତାଙ୍କ ଭାଷଣ ସରିବା ପରେ କଡ଼ା ସୁରକ୍ଷାବଳୟ ମଧ୍ୟରେ ମନ୍ତ୍ରୀଙ୍କୁ ବିଦାୟ ଦିଆଯାଇଥିଲା।

ଗଣମାଧ୍ୟମକୁ ମନ୍ତ୍ରୀ କହିଥିଲେ, “ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବା ରାଜ୍ୟ ସରକାରଙ୍କ କାମ ନୁହେଁ। ଏଥିରେ ବର୍ତ୍ତମାନ ସୁଦ୍ଧା ହାଇକୋର୍ଟ ନୀରବ ରହିଛନ୍ତି। କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ରିପୋର୍ଟ ମାଗୁଛି। ତେଣୁ ହୋଇପାରୁ ନାହିଁ। ସରକାର ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବା ଦିଗରେ ଯତ୍ନବାନ ଅଛନ୍ତି।”

Comment