ଓଡ଼ିଶାଲାଇଭ୍ ବ୍ୟୁରୋ
କଡ଼ାସୁରକ୍ଷା ଘେରରେ ଶିମିଳିପାଳରୁ ସାତକୋଶିଆ ପହଞ୍ଚିଲେ ରାଜକୁମାର ଓ ମହେନ୍ଦ୍ର।
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ) ଶିମିଳିପାଳ ଅଭୟାରଣ୍ୟର ଦୁଇ ପୋଷାହାତୀ ରାଜକୁମାର ଏବଂ ମହେନ୍ଦ୍ରଙ୍କୁ ଅସ୍ଥାୟୀ ଭାବରେ ସାତକୋଶିଆ ଅଭୟାରଣ୍ୟକୁ ସ୍ଥାନାନ୍ତର କରାଯାଇଛି। ଶିମିଳିପାଳ ଅଭୟାରଣ୍ୟର ଗୁଡୁଗୁଡ଼ିଆଠାରେ ଥିବା ଏହି ଦୁଇହାତୀଙ୍କୁ ରବିବାର ଭୋରରୁ ଦୁଇଟି ଟ୍ରକରେ ସାତକୋଶିଆ ପଠାଯାଇଛି।
ରାଜ୍ୟ ମୁଖ୍ୟ ବନସଂରକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏହି ଦୁଇ ହାତୀଙ୍କ ସହିତ ସେମାନଙ୍କ ଦାୟିତ୍ଵରେ ଥିବା ମାହୁନ୍ତଙ୍କୁ ବି ସାଙ୍ଗରେ ପଠାଯାଇଛି ବୋଲି କହିଛନ୍ତି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦ୍ଦେଶକ ଯଜ୍ଞଦତ୍ତ ପତି।
ଏହି ହାତୀମାନଙ୍କୁ ସାତକୋଶିଆ ପଠାଯିବାର କାରଣ ସମ୍ପର୍କରେ ବନବିଭାଗ ନିରବ ରହିଛନ୍ତି। ମାତ୍ର ସେଠାରେ ଏହି ତାଲିମ ପ୍ରାପ୍ତ ହାତୀମାନଙ୍କୁ ବନ୍ୟଜନ୍ତୁ ପରିଚାଳନା କାର୍ଯ୍ୟରେ ଲଗାଯାଇପାରେ ବୋଲି ପରିବେଶପ୍ରେମୀମାନେ ଅନୁମାନ କରୁଛନ୍ତି। ଗତ କିଛି ଦିନ ପୂର୍ବରୁ ମଧ୍ୟ ଏହି ହାତୀମାନଙ୍କର ସ୍ଥାନାନ୍ତର କରାଯାଉଥିବା ସମୟରେ ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କରିଥିଲେ। ଯାହାଫଳରେ ସ୍ଥାନାନ୍ତରକୁ ସ୍ଥଗିତ ରଖିଥିଲେ ଶିମିଳିପାଳ କର୍ତ୍ତୃପକ୍ଷ।
ଏହି ସ୍ଥାନାନ୍ତର କାର୍ଯ୍ୟକ୍ରମକୁ ବନବିଭାଗର ଅଧିକାରୀମାନେ ପ୍ରତ୍ୟକ୍ଷଭାବେ ପରିଚାଳନା କରୁଥିଲେ, ଯେପରି ହାତୀମାନଙ୍କର କିଛି ସମସ୍ୟା ନହୁଏ। ଗତ ୨୦୦୦ ମସିହାରେ କର୍ଣ୍ଣାଟକରୁ ୩ଗୋଟି ହାତୀଙ୍କୁ ଶିମିଳିପାଳ ଅଣାଯାଇଥିଲା। ଅଭୟାରଣ୍ୟ ପରିଚାଳନା ସୁରକ୍ଷା କ୍ଷେତ୍ରରେ ଏମାନେ ସହଯୋଗ କରିବା ଥିଲା ସରକାରଙ୍କ ଉଦ୍ଦେଶ୍ୟ। ଅଣ୍ଡିରା ହାତୀ ମହେନ୍ଦ୍ର ସହ ଦୁଇଟି ମାଇ ହାତୀ ଶୋଭା ଏବଂ ଭବାନୀଙ୍କୁ କର୍ଣ୍ଣାଟକରୁ ଅଣାଯାଇଥିଲା। ସେମାନଙ୍କ ପିଲା ହେବା ପରେ ଏବେ ଶିମିଳିପାଳରେ ପୋଷାହାତୀଙ୍କ ସଂଖ୍ୟା ୫। ମାତ୍ର ଗତ ୬ମାସ ପୂର୍ବେ ଉଦ୍ଧାର କରାଯାଇଥିବା ଆଉ ଏକ ହାତୀ ଛୁଆ ବବଲୁକୁ ମିଶାଇ ଶିମିଳିପାଳରେ ୬ଟି ପୋଷାହାତୀ ଥିଲେ। ଏବେ ଶିମିଳିପାଳରେ ଆଉ ୪ଗୋଟି ପୋଷାହାତୀ ଅଛନ୍ତି। ସେମାନେ ହେଲେ ଭବାନୀ ଓ ତାର ୮ବର୍ଷର ପିଲା ଭବାନୀ, ଶୋଭା ଏବଂ ୫ବର୍ଷର ହାତୀ ଛୁଆ ବବଲୁ।