ଓଡ଼ିଶାଲାଇଭ୍‌ ବ୍ୟୁରୋ

ହିମାଚଳପ୍ରଦେଶର ଜନଜାତୀୟ ଜିଲ୍ଲାର ଲାହୋଲସ୍ପିତିରେ ବରଫ ବର୍ଷା ସାଙ୍ଗକୁ ହାଡ଼ ଭଙ୍ଗା ଥଣ୍ଡା ଲାଗିରହିଛି।  ପାଣି ତ ପୂର୍ବରୁ ବରଫ ହେଉଯାଉଥିଲା ଏବେ ସୋରିଷ ତେଲ, କ୍ଷୀର ଏବଂ ଅନ୍ୟ ତରଳ ପଦାର୍ଥ ଥଣ୍ଡାରେ ବସିଯାଉଛି। ଗତ ୩୨ ବର୍ଷ ଭିତରେ ଏଭଳି ଥଣ୍ଡା କେବେ ବି ଅନୁଭୂତ ହୋଇନଥିବା କହିଛନ୍ତି ସ୍ଥାନୀୟ ଲୋକେ।

ଜିଲ୍ଲା ମୁଖ୍ୟାଳୟରେ ଥିବା ଏଟିଏମ ମେସିନ ବି ଥଣ୍ଡାରେ କାମ କରୁନି। ଏଟିଏମ ଭିତରେ ଦିନରାତି ହିଟର ଚାଲୁ ରଖିବାକୁ ପଡ଼ୁଛି । ଏଟିଏମରୁ ଟଙ୍କା କାଢ଼ିବା ପାଇଁ ଲମ୍ବା ଲାଇନ ଲାଗିରହିଛି। ଜବରଦସ୍ତ ଥଣ୍ଡା କାରଣରୁ ମୋବାଇଲ ବ୍ୟାଟେରୀ ବି ଜଲ୍‌ଦି ଡିସଚାର୍ଜ ହୋଇଯାଉଛି।

ଭାରି ମାତ୍ରାରେ ବରଫ ବର୍ଷା କାରଣରୁ ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଏପରିକି ଶୌଚାଳୟଗୁଡ଼ିକ ମଧ୍ୟ ପାଣି ନଥିବାରୁ କାରଣରୁ ବନ୍ଦ ହୋଇ ପଡ଼ିରହିଛି। ବିଶେଷକରି ମହିଳା କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଝିରେ ମଝିରେ ଟାଣ ଖରା ହେବା ସତ୍ତ୍ୱେ ବରଫ ତରଳିବାରେ ନାଁ ନେଉନି। ଅତ୍ୟଧିକ ଥଣ୍ଡା କାରଣରୁ ଖରାର ପ୍ରଭାବ ଜଣାପଡ଼ୁନାହିଁ। ଗ୍ରାମାଞ୍ଚଳରେ ତାପମାତ୍ରା ପାଖାପାଖି ମାଇନସ୍ ୨୬ ଡିଗ୍ରୀ ପର୍ଯ୍ୟନ୍ତ ଖସିଯାଉଛି।

Comment