ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଶ୍ରୀକାନ୍ତଙ୍କ ନଜରରେ ବିଜେପି, ବିଏସ୍‌ପି ଏବଂ ଆମ୍ ଆଦମୀ ପାର୍ଟି।

ଦଳରେ ବିଶୃଙ୍ଖଳା କରିବା ଅଭିଯୋଗରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଛି। କଂଗ୍ରେସରୁ ବିଦା ହେବା ପରେ ଶ୍ରୀକାନ୍ତ ଆଗାମୀ ଦିନରେ କେଉଁ ଦଳରୁ ତାଙ୍କର ରାଜନୀତିକ ଇନିଂସ୍ ଆରମ୍ଭ କରିବେ ତାକୁ ନେଇ ଚର୍ଚ୍ଚା ବଢ଼ିଛି।

ଶ୍ରୀକାନ୍ତଙ୍କ ପାଇଁ ଏବେ ତିନୋଟି ଦଳର ଦ୍ୱାର ଖୋଲା ରହିଥିବା ଚର୍ଚ୍ଚା ରହିଛି। ବିଜେପି, ବହୁଜନ ସମାଜବାଦୀ ପାର୍ଟି ଏବଂ ଆମ୍‌ ଆଦମୀ ପାର୍ଟି ଶ୍ରୀକାନ୍ତଙ୍କ ନଜରରେ ରହିଛି। ତେବେ ଏହି ତିନୋଟି ଦଳରୁ ଶ୍ରୀକାନ୍ତ କେଉଁଟିକୁ ଆପଣାଇବେ ତାହା ଜାନୁଆରି ୩୧ ତାରିଖ ପରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

ଜନତା ଦଳରୁ ରାଜନୀତି ଇନିଂସ୍ ଆରମ୍ଭ କରିଥିବା ଶ୍ରୀକାନ୍ତ ବିଜୁ ବାବୁଙ୍କ ଦେହାନ୍ତ ପରେ କଂଗ୍ରେସରେ ସାମିଲ ହୋଇଥିଲେ। ୨୦୦୪ରେ ସେ କଂଗ୍ରେସ ଟିକେଟରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ କେନ୍ଦ୍ରାପଡ଼ାରେ ଶ୍ରୀକାନ୍ତଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା।

୨୦୦୯ରେ ଶ୍ରୀକାନ୍ତ କେନ୍ଦ୍ରାପଡ଼ା ଛାଡ଼ି ବାଲେଶ୍ୱର ଯାଇଥିଲେ। କଂଗ୍ରେସ ଟିକେଟରେ ଲୋକସଭା ନିର୍ବାଚନ ଜିତିବା ପରେ ସାର ଓ ରସାୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ଖାଲି ସେତିକି ନୁହେଁ, ୨୦୧୪ ନିର୍ବାଚନରେ ଶ୍ରୀକାନ୍ତ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ରହିଥିଲେ। କିନ୍ତୁ ଏବେ କଂଗ୍ରେସରୁ ଶ୍ରୀକାନ୍ତଙ୍କୁ ବିଦା କରାଯାଇଛି। ଏଣୁ ଶ୍ରୀକାନ୍ତ କୁଆଡ଼େ ଯିବେ ତାକୁ ନେଇ ଆଲୋଚନା ଚାଲିଛି।

ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ବିଜେପି ଛାଡ଼ିବା ପରେ ତାଙ୍କ ସ୍ଥାନ ଏପର୍ଯ୍ୟନ୍ତ ବିଜେପି ପୂରଣ କରିପାରି ନାହିଁ। ଏଣୁ ଶ୍ରୀକାନ୍ତଙ୍କୁ ନେଇ ସେ ସ୍ଥାନ ପୂରଣ କରିବାକୁ ବିଜେପି ମ୍ୟାନେଜର ଚିନ୍ତା କରୁଛନ୍ତି।

ବିଜୟ, ଦିଲ୍ଲୀପ ଏବଂ ଶ୍ରୀକାନ୍ତ ବିଜୁ ପରିବାରର ସଦସ୍ୟ ଥିଲେ। ହେଲେ ବିଜୟ ଏବଂ ଦିଲ୍ଲୀପ ଗୋଟିଏ ରାସ୍ତାରେ ଚାଲିଥିବା ବେଳେ ଶ୍ରୀକାନ୍ତ ଆଉ ଗୋଟିଏ ରାସ୍ତାରେ ଯାଇଥିଲେ। ବିଜେଡି ଗଠନରେ ବିଜୟ ଏବଂ ଦିଲ୍ଲୀପଙ୍କ ଭୂମିକା ରହିଥିବା ବେଳେ ଶ୍ରୀକାନ୍ତ ଏହାକୁ ସମାଲୋଚନା କରି କଂଗ୍ରେସ ଆସିଥିଲେ। ଏବେ ବିଜୟ ଏବଂ ଦିଲ୍ଲୀପ ନଥିବାରୁ ଶ୍ରୀକାନ୍ତ ବିଜେପି ଯିବା ରାସ୍ତାରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି କୁହାଯାଉଛି।

ବିଜେପି ବାଦ୍ ଶ୍ରୀକାନ୍ତଙ୍କ ହାତରେ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ଏବଂ ଅରବିନ୍ଦ କେଜରିୱାଲଙ୍କ ଆମ ଆଦମୀ ପାର୍ଟିର ବି ଅଫର ରହିଛି। ଏହି ଦୁଇ ଦଳର ନେତାଙ୍କ ସହ ଶ୍ରୀକାନ୍ତ ଆଲୋଚନା କରିଥିବା କୁହାଯାଉଛି।

ଜାନୁଆରୀ ୩୧ରେ କେଜରିୱାଲ ଓଡ଼ିଶା ଆସୁଛନ୍ତି। ଏହି ସଭାରେ ଶ୍ରୀକାନ୍ତ ଯୋଗ ଦେବେ ବୋଲି ସ୍ପଷ୍ଟ କରିଛନ୍ତି। ତେବେ ଆପ୍‌ରେ ଯୋଗ ଦେବେ କି ନାହିଁ ସେ ସ୍ପଷ୍ଟ କରି ନାହାନ୍ତି। ଫଳରେ ଶ୍ରୀକାନ୍ତ କେଉଁଠୁ ପରବର୍ତ୍ତୀ ଇନିଂସ୍ ଆରମ୍ଭ କରିବେ ତାକୁ ନେଇ ଚର୍ଚ୍ଚା ବଢ଼ିଛି।

Comment