ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରୀ ଯୋଜନାଠୁ ଯୋଜନ ଯୋଜନ ଦୂରରେ ପଦବସା ଗାଁ ଲୋକେ। ସ୍ୱାସ୍ଥ୍ୟ, ଶିକ୍ଷା, ବିଜୁଳି, ପାନୀୟ ଜଳରୁ ବଞ୍ଚିତ ଗାଁ ଲୋକେ।

(ନବରଙ୍ଗପୁରରୁ କୁନା ପାତ୍ର) : ଆଦିବାସୀ ଅଞ୍ଚଳରେ ବିକାଶ ପହଞ୍ଚାଇବା ଲାଗି ସରକାରଙ୍କ କେତେ କଣ ଯୋଜନା। ଏହି ଯୋଜନାକୁ ସଫଳ ରୂପାୟନ ଲାଗି ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ମାତ୍ର ସରକାରଙ୍କ ଏହି ଯୋଜନାରୁ ଯେମିତି ଯୋଜନ ଯୋଜନ ଦୂରରେ ଆଜି ବି ଅଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ପଦବସା ଗାଁ।

ଗାଁରେ ୧୦୦୦ରୁ ଅଧିକ ଲୋକ ବାସ କରନ୍ତି। କିନ୍ତୁ ସେମାନଙ୍କ ପାଖରେ କୌଣସି ମୌଳିକ ସୁବିଧା ପହଞ୍ଚିନଥିବା ସେମାନେ ଅଭିଯୋଗ କରିଛନ୍ତି। ଗାଁରେ ପିଲାଙ୍କ ପାଇଁ ନା ଅଛି ସ୍କୁଲ ନା ଅଙ୍ଗନୱାଡ଼ି। ପଦବସା ଗାଁଠାରୁ ୨ କିମି ଦୂରରେ ଅଛି ସ୍କୁଲ। ବାପା ମା’ ଛୋଟ ପିଲାଙ୍କୁ ଜଙ୍ଗଲ ରାସ୍ତାରେ ଛାଡିବାକୁ ଭୟ କରୁଥିବାରୁ ଅନେକ ପିଲା ଆଜି ବି ଶିକ୍ଷାରୁ ବଞ୍ଚିତ ହେଉଛନ୍ତି।

ଲୋକଙ୍କ ଯିବା ଆସିବା ଲାଗି ଭଲ ପାଦଚଲା ରାସ୍ତା ଟିଏ ନାହିଁ। ବର୍ଷା ଦିନେ ଯିବା ଆସିବା ଯୋଗୁଁ ଲୋକେ ଅନେକ ହଇରାଣ ହେଉଥିବା କହିଛନ୍ତି।

କେବଳ ରାସ୍ତା କି ଶିକ୍ଷା ନୁହଁ ଆଜି ବି ଏଠି ଗାଁ ଲୋକେ ଅନ୍ଧାରୀ ଜୀବନ ଜିଉଁଛନ୍ତି। ସୂର୍ଯ୍ୟ ଢଳିଲେ ଡିବି ଆଲୁଅ ଭରସାରେ ଏମାନଙ୍କର ରାତି କଟିଥାଏ। ଅନେକ ସମୟରେ ବନ୍ୟଜନ୍ତୁଙ୍କ ଭୟ ବି ରହୁଛି।

ଗାଁରେ ୨ଟି ନଳକୂପ ଅଛି ମାତ୍ର ଏହା କେବଳ ମାତ୍ର ନାମକୁ। କାରଣ ଏଥିରୁ କେବେ ବି ପାଣି ଆସୁନଥିବା ଗାଁ ଲୋକଙ୍କ ଅଭିଯୋଗ। ଖରାଦିନେ ୩କିମି ଦୂରରେ ଥିବା ପୋଖରୀ ନହେଲେ ପାଣି ଶୁଖିଲେ ଚୁଆ ଭରସା। ଗାଁର ସମସ୍ୟାକୁ ନେଇ ଗାଁ ଲୋକେ ଅନେକ ଥର ପ୍ରଶାସନ ପାଖରେ ଅନୁରୋଧ କରିଛନ୍ତି ମାତ୍ର ଗାଁର ଉନ୍ନତି ଲାଗି କୌଣସି ପଦକ୍ଷେପ ନିଆଯାଉନଥିବା ପଦପସା ଗାଁ ଲୋକେ କହୁଛନ୍ତି।

ମୌଳିକ ସୁବିଧାରୁ ବଞ୍ଚିତ ଥିବା ପଦବସା ଗାଁ ଲୋକେ ଆଜି ବି ସରକାରୀ ସାହାର୍ଯ୍ୟ ଅପେକ୍ଷାରେ। ତେବେ କେବେ ସରକାରଙ୍କ ଦୃଷ୍ଟି ଏ ଗାଁରେ ପଡୁଛି ଆଉ ଗାଁ ଲୋକେ ସେମାନଙ୍କ ହକ୍‌ ପାଉଛନ୍ତି ତାହା କେବଳ ସମୟ ହିଁ କହିବ।

Comment