ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଭାରତରେ ସେଲିବ୍ରିଟିଙ୍କ ବିବାହ ଏବଂ ସେମାନଙ୍କ ଖର୍ଚ୍ଚ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ହୋଇଥାଏ। ଗତବର୍ଷ ଈଶା ଅମ୍ବାନୀ, ଦୀପିକା-ରଣବୀର, ପ୍ରିୟଙ୍କା-ନିକ୍ ଏବଂ ସୋନମଙ୍କ ବିବାହ ବହୁ ଆଡମ୍ବରରେ ସମ୍ପନ୍ନ ହୋଇଛି। ଏହି ସେଲିବ୍ରିଟିଙ୍କ ବିବାହରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି।

କିନ୍ତୁ ବଲିଉଡରେ ଏଭଳି ସେଲିବ୍ରିଟି ଅଛନ୍ତି ମାତ୍ର ୧୦ ଟଙ୍କାରେ ବିବାହ କରିଛନ୍ତି। ବଲିଉଡ ଷ୍ଟାର ଆମୀର ଖାନ ନିଜ ବାହାଘର ସମ୍ପର୍କରେ ଏକ ଖୁଲାସା କରିଛନ୍ତି। ତାଙ୍କର ପ୍ରଥମ ବିବାହ ଖର୍ଚ୍ଚ ମାତ୍ର ୧୦ ଟଙ୍କାରେ ହୋଇଥିଲା। ବିବିସିକୁ ଏକ ସାକ୍ଷାତକାରରେ ଆମୀର କହିଛନ୍ତି ଯେ, ୧୯୮୬ରେ ରୀନା ଦତ୍ତଙ୍କ ସହ ପ୍ରଥମ ବିବାହ ଗୁପ୍ତରେ କରିଥିଲେ।

ଋୀନାଙ୍କ ସହିତ ବହୁତ କମ୍ ଖର୍ଚ୍ଚରେ ବିବାହ ହୋଇଥିଲା। କିପରି ବିବାହ ହୋଇଥିଲା ତାର ପୂରା କାହାଣୀ ମଧ୍ୟ କହିଛନ୍ତି ଆମୀର। ଆମିର କହିଛନ୍ତି,”ଘରୁ ବାନ୍ଦ୍ରା ଷ୍ଟେସନ ଯିବା ପାଇଁ ପ୍ରଥମେ ବସରେ ଯାଇଥିଲି, ସେଥିପାଇଁ ମୋତେ ୫୦ ପଇସା ଖର୍ଚ୍ଚ କରିବାକୁ ପଡ଼ିଥିଲା । ପଶ୍ଚିମ ବାନ୍ଦ୍ରାରେ ବସରୁ ଓହ୍ଲାଇ ପୂର୍ବ ବାନ୍ଦ୍ରାକୁ ପାଦରେ ଚାଲିଚାଲି ଯାଇଥିଲି। ସବରେଜିଷ୍ଟ୍ରାର ଅଫିସରେ ପହଞ୍ଚି ତିନି ଜଣ ସାକ୍ଷୀଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ହୋଇଥିଲା। ମାତ୍ର ୧୦ ଟଙ୍କା ଭିତରେ ମୋ ବାହାଘର ହୋଇଛି”।

କିନ୍ତୁ ଏହି ଗୁପ୍ତ ବିବାହ ସମ୍ପର୍କରେ ଆମୀରଙ୍କ ବାପା-ମା’ଙ୍କୁ ବି ଜଣାନଥିଲା। ରୀନା ଦତ୍ତଙ୍କ ତରଫରୁ ଗୁପ୍ତ ବିବାହ ପାଇଁ ବନ୍ଧୁ ସତ୍ୟଜିତ ଭଟ୍ଟକଲ, ତାଙ୍କ ପତ୍ନୀ ସ୍ୱାତୀ ଭଟ୍ଟକଲ ଏବଂ ସତ୍ୟଜିତଙ୍କ ଭାଇ ଆନନ୍ଦ ଥିଲେ। ସ୍ୱାତୀ ଭଟ୍ଟକଲଙ୍କ ସହିତ ଆମୀର ‘ସତ୍ୟମେବ ଜୟତେ’ରେ ଅଭିନୟ କରିଛନ୍ତି।

ବ୍ୟକ୍ତିଗତ ଜୀବନରେ କାହାକୁ କ୍ଷମା ଦେବାକୁ କୁଣ୍ଠାବୋଧ କରନ୍ତି ଆମୀର। ଜୁହି ଜାୱଲାଙ୍କ ସହ ଏକ ଛୋଟ ଝଗଡ଼ା ପାଇଁ ୭ ବର୍ଷ କଥା ହୋଇନଥିବା କହିଛନ୍ତି ଆମୀର। ୧୯୯୭ରେ ‘ଇସ୍କ’ ଫିଲ୍ମ ସୁଟିଂ ସେଟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କେବଳ କାମ ଛଡ଼ା ହାଲୋ ହାଏ ବି ହୋଇନଥିବା କହିଛନ୍ତି ଆମୀର। ଯେତେବେଳେ ଆମୀର ଏବଂ ରୀନାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା, ସେ ସମୟରେ କଥା ହୋଇଥିଲେ ଜୁହିଜାୱଲା। ଆମୀରଙ୍କ ଘରକୁ ଆସି ଛାଡପତ୍ର ନଦେବାକୁ ପରାମର୍ଶ ଦେଇଥିଲେ ଜୁହି।

Comment