ଓଡ଼ିଶାଲାଇଭ୍ ବ୍ୟୁରୋ

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ଜଣେ ସିଆରପିଏଫ୍ ଯବାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

ଯାଜପୁର ଜିଲ୍ଲାରେ ଜଣେ ସିଆରପିଏଫ୍ ଯବାନଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯବାନଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଘଟଣାର ବିରୋଧ କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ଅଭିଯୁକ୍ତଙ୍କ ଗିରଫ ଦାବିରେ ସ୍ଥାନୀୟ ଲୋକେ ବରୁହାଁ- ବାଲିଚନ୍ଦ୍ରପୁର ରାସ୍ତା ଅବରୋଧ କରିଛନ୍ତି।

ମୃତ ଯବାନ ଧର୍ମଶାଳା ଥାନା ନାଳକୁଳ ଗାଁର ସୌମ୍ୟରଞ୍ଜନ ପରିଡ଼ା। କିଛି ଦିନ ହେବ ଘରକୁ ଛୁଟିରେ ଆସିଥିଲେ। ସାଙ୍ଗମାନଙ୍କ ସହ ଏକ ବାହାଘର ଭୋଜି ଖାଇବାକୁ ଯାଇଥିଲେ। ଭୋଜି ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ପରେ ଯବାନଙ୍କ ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୋଲିସ ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଧ ରିପୋର୍ଟ ଓ ପୋଲିସର ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ କହିଛନ୍ତି ଧର୍ମଶାଳା ଥାନା ଆଇଆଇସି ଉମାକାନ୍ତ ନାୟକ।

ଯବାନ ପୁଅର ମୃତ୍ୟୁରେ ପୂରା ପରିବାରରେ ଦୁଃଖର ଲହରୀ ଖେଳିଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଦୁଃଖ ଭରି ଦେଇଛି। ଅନ୍ୟପକ୍ଷରେ ପୋଲିସର ବୁଝାସୁଝା ପରେ ଲୋକେ ରାସ୍ତା ଅବରୋଧରୁ ହଟିଛନ୍ତି।

Comment