ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁରରେ ବିଜେପି ପକ୍ଷରୁ ‘ଜବାବ ମାଗୁଛି ଓଡ଼ିଶା ‘କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି।

ନବରଙ୍ଗପୁରସ୍ଥିତ ଚାମୁରିଆ ଗୁଡ଼ା ପଡ଼ିଆଠାରେ ସୋମବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ହୋଇଛି  ‘ଜବାବ ମାଗୁଛି ଓଡିଶା ‘ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ଉପରେ ଗର୍ଜିଛନ୍ତି।

“ନବରଙ୍ଗପୁର ଜିଲ୍ଲାରେ କାମର ଅଭାବ ଯୋଗୁଁ ଲୋକେ ଜିଲ୍ଲା ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଜିଲ୍ଲାରେ ଇନ୍ଦ୍ରାବତୀ, ଭସ୍କେଲ, ତେଲନଦୀ ଆଦି ରହିଥିବାବେଳେ ତାହାର ସଦୁପଯୋଗ ୧୯ବର୍ଷ ହେଲା କରାଯାଇ ପାରୁନାହିଁ। ଜଳସେଚନ ବିଭାଗରେ ୨୪ କୋଟି ଟଙ୍କାର ଟେଣ୍ଡର ଦୁର୍ନୀତି ହୋଇଛି । କୃଷି ପ୍ରଧାନ ନବରଙ୍ଗପୁର ଜିଲ୍ଲାରେ କୃଷି ଭିତ୍ତିକ ଶିଳ୍ପ ନାହିଁ , ଜିଲ୍ଲାରେ ରାଜ୍ୟ ସରକାର ଶୁଭ ପକାଇଥିବା  ଚିନି କାରଖାନା ଆଜି ଯାଏଁ ହୋଇ ପାରିଲା ନାହିଁ”, ଏଭଳି ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ମୁଖ୍ୟମନ୍ତ୍ରୀ ୨୦୦୮  ମସିହାରୁ ନଡ଼ିଆ ଭାଙ୍ଗି ଶୁଭ ଦେଇ ୨୫୦କୋଟି ବ୍ୟୟରେ ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ନବରଙ୍ଗପୁର ଜିଲ୍ଲାରେ ଜଳସେଚନ ପ୍ରକଳ୍ପ ଆଜି ଯାଏଁ ହୋଇପାରିଲା ନାହିଁ କାହିଁକି ? ସେ ରାଜ୍ୟ ସରକାରଙ୍କୁ ସେ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି ରାଜ୍ୟ ସରକାର ଘୋଷଣା କରିଥିବା ବିଜୁ ହାଇୱେ ଏକ୍ସପ୍ରେସ ରାସ୍ତା ନିର୍ମାଣ ୫ ବର୍ଷ ପରେ ମଧ୍ୟ ନବରଙ୍ଗପୁର ଏଯାଏଁ ପହଞ୍ଚି ପାରିଲା ନାହିଁ। ହରିଚନ୍ଦ୍ର ଯୋଜନାରେ ଜିଲ୍ଲାରେ ମୃତକଙ୍କ ପରିବାରକୁ ସହାୟତା ରାଶି ମିଳୁନି କାହିଁକି। ନବରଙ୍ଗପୁର ଜିଲ୍ଲାର ବେକାରୀ ଯୁବକ ଯୁବତୀଙ୍କ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ପୂରଣ କରାଯାଉନାହିଁ।

ନବରଙ୍ଗପୁର ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକାରୀ ହେଉନାହିଁ କାହିଁକି?  ନବରଙ୍ଗପୁର ଜିଲ୍ଲାରେ ୮୭ ଟି ଡାକ୍ତର ପଦବୀ ଖାଲି ପଡ଼ିଛି କାହିଁକି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରି ରାଜ୍ୟ ସରକାର ଏହାର ଜବାବ ଦିଅନ୍ତୁ ବୋଲି ଦାବି କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଗୋବିନ୍ଦ ଜୈନ ସଭାପତିତ୍ୱ କରିଥିବାବେଳେ ପର୍ବତନ ସାଂସଦ ପର୍ଶୁରାମ ମାଝି , ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର , ରମେଶ ସାହୁ , ଝାଡେଶ୍ୱର ଖ।ଡଙ୍ଗା , କାହ୍ନୁ ଦାସ , ନିଲୁ ମିଶ୍ର , ମିଟୁ ମହାରଣା ପ୍ରମୁଖ ମଞ୍ଚ।ସୀନ ଥିଲେ ।

ଏହି ଅବସରରେ ଜିଲ୍ଲା ହାବିଲଦାର ସଂଘ ଓ କନେଷ୍ଟବଳ ସଂଘ ପୂର୍ବତନ ସଭାପତି ଗୌରୀ ମାଝୀ, ପୂର୍ବତନ ବିଜେଡି କାଉନସିଲର ଶ୍ରୀଧର ପାତ୍ର (ସିରୁ) , ମଧୁ ଗ।ଦବା ତାଙ୍କର ଶତାଧିକ ସମର୍ଥକ ଙ୍କ ସହ ଭାଜପାରେ ଯୋଗଦେଇଥିଲେ । ଏହି ଅବସରରେ ବୁଲୁ ତ୍ରିପାଠୀଙ୍କ ସମେତ ନବରଙ୍ଗପୁରର ୧୫ ଜଣ ଆଇନଜୀବୀ ଭାଜପାରେ ଯୋଗ ଦେଇଥିଲେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ପ୍ରଧାନ ହେଲିକେପ୍ଟର ରେ ଆସି ସର୍କିଟ ହାଉସ ସୁମ୍ମୁଖରେ ଥିବା ପଡ଼ିଆରେ ଅବତରଣ କରିଥିଲେ। ସେଠାରୁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ସଭାସ୍ଥଳକୁ ଯାଇଥିଲେ ।

Comment