ଓଡ଼ିଶାଲାଇଭ୍ ବ୍ୟୁରୋ

‘ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ପରୀକ୍ଷା ସହ ଜଡ଼ିତ ବିଭିନ୍ନ ଦିଗ ଉପରେ ଦିଗ୍‌ଦର୍ଶନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ‘ପରୀକ୍ଷା ପେ ଚର୍ଚ୍ଚା ୨.୦’ କାର୍ଯ୍ୟକ୍ରମରେ ଦେଶବ୍ୟାପି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ସହ ଜଡ଼ିତ ଟିପ୍ସ ଦେଉଛନ୍ତି। ପରୀକ୍ଷା ପେ ଚର୍ଚ୍ଚାର ଏହା ହେଉଛି ଦ୍ୱିତୀୟ ସଂସ୍କରଣ। ତେବେ ଏହି କାର୍ଯ୍ୟକ୍ରମରେ ପରୀକ୍ଷା ସହ ଜଡ଼ିତ ବିଭିନ୍ନ ଦିଗ ଉପରେ ଚର୍ଚ୍ଚା କରିଛନ୍ତି ମୋଦି।

“ଜୀବନର ଅର୍ଥ ଗତିଶୀଳ, ସ୍ୱପ୍ନମୟ, ଗତି ନଥିଲେ ଜୀବନ ମୂଲ୍ୟହୀନ, ଜୀବନର ଅର୍ଥ ଅଟକି ଯିବା ନୁହେଁ ଚାଲିବା”, ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେବାକୁ ଯାଇ ମୋଦି କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି।

“ପରୀକ୍ଷାକୁ ‘ଜୀବନର ପରୀକ୍ଷା’ ଭାବିବା ଉଚିତ ନୁହେଁ। ଦଶମ, ଦ୍ୱାଦଶ ପରୀକ୍ଷା ବାହାରେ ବି ବଡ଼ ଦୁନିଆଁ ରହିଛି। ଏମିତି ଭାବିବା ଦ୍ୱାରା ଚାପମୁକ୍ତ ହୋଇ ପଢ଼ାପଢ଼ି କରିହେବ। ବାପା, ମା’ ଓ ସମାଜର ଆଶାକୁ ଚାପ ନଭାବି ଚାଲେଞ୍ଜ ଭାବି ନିଅନ୍ତୁ”, ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଇଛନ୍ତି ମୋଦି।

ଅନ୍ୟପକ୍ଷରେ ଅଭିଭାବକଙ୍କୁ ବି ବଡ଼ ପରାମର୍ଶ ଦେଇଛନ୍ତି ମୋଦି। ନିଜ ସ୍ୱପ୍ନକୁ ପିଲାମାନଙ୍କ ଉପରେ ଲଦି ଦଅନ୍ତୁ ଦାହିଁ ବରଂ ପିଲାଙ୍କୁ ବୁଝିବାକୁ ପରାମର୍ଶ ଦେଇଛନ୍ତି। ପିଲା ବିଫଳ ହେଲେ ତାକୁ ଗାଳି ଦିଅ ନାହିଁ। ତାଙ୍କୁ ଆଶ୍ୱାସନା, ସାହସ ଦେବାକୁ କହିଛନ୍ତି ମୋଦି।

ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ୨୪ଟି ରାଜ୍ୟର ବିଦ୍ୟାର୍ଥୀ ଯୋଗ ଦେଇଛନ୍ତି। ଏଥିରେ ବିଦେଶୀ ବିଦ୍ୟାର୍ଥୀ ବି ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ଦିଲ୍ଲୀର ତାଳକୋଟ୍ରା ଷ୍ଟାଡିୟମରେ ଆୟୋଜିତ ହୋଇଛି।

Comment