ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

  • ବିଜେଡି, କଂଗ୍ରେସକୁ ତୀର ମାରିଲେ ଶାହ
  • ବିଜେଡି-କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ
  • ନବୀନ ସରକାରକୁ ହଟାଇବାକୁ ଆହ୍ୱାନ
  • ଓଡ଼ିଆ କହୁଥିବା ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବା ଦରକାର
  • ବିଜେପି କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର
  • କଠିନ ପରିଶ୍ରମ କରିବାକୁ ଆହ୍ୱାନ ଦେଲେ ଶାହ

“ଏଥର ନବୀନ ପଟ୍ଟନାୟକଙ୍କ ସରକାରର ଅନ୍ତ ଘଟିବ। ଆଗାମୀ ଦିନରେ ଓଡ଼ିଶାରେ ବିଜେପି ସରକାର ଗଠନ କରିବ। ୨୦୧୭ ପଞ୍ଚାୟତ ନିର୍ବାଚନ ଫଳାଫଳ ଏହା ସ୍ପଷ୍ଟ କରିଛି”, କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।

କଟକ ଜିଲ୍ଲାର ସାଲେପୁରର କୁଳିଆଠାରେ ବିଜେପିର ବୁଥ୍‌ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯୋଗ ଦେଇଥିଲେ। ଶାହ ଏହି ସମାବେଶରେ ଦଳୀୟ କର୍ମକର୍ତ୍ତାଙ୍କୁ ୨୦୧୯ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଇଥିଲେ।

“ନରେନ୍ଦ୍ର ମୋଦିଙ୍କୁ ଦ୍ୱିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ କରିବାକୁ ପଡ଼ିବ। ଏଥିପାଇଁ କର୍ମକର୍ତ୍ତାମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଭୋଟ ନସରିବା ଯାଏଁ ଆମେ ଆରାମ କରିବା ଭୁଲିଯିବା। ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପର୍ଯ୍ୟନ୍ତ ଆମକୁ ବୁଥ୍‌ ସ୍ତରରୁ କଠିନ ପରିଶ୍ରମ କରିବାକୁ ପଡ଼ିବ”, କହିଛନ୍ତି ଅମିତ ଶାହ।

ସାଲେପୁର ସମାବେଶରେ ଶାହ ବିଜେଡି ଏବଂ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଥିଲେ। ବିଜେଡି ଏବଂ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି କହିଥିଲେ ଅମିତ ଶାହ।

“କଂଗ୍ରେସ ଦେଶକୁ ୫୫ ବର୍ଷରୁ ଅଧିକ ସମୟ ଧରି ଶାସନ କରି ଆସିଛି। ହେଲେ ଦେଶରୁ ଦାରିଦ୍ର୍ୟ ଦୂର ହୋଇପାରିଲା ନାହିଁ। ଗରିବ ଲୋକଙ୍କ ଘରେ ଗ୍ୟାସ ପହଞ୍ଚି ପାରିଲା ନାହିଁ। ମୋଦି ଆସିବା ପରେ ଦେଶରେ ବିକାଶର ରାସ୍ତା ଖୋଲିଲା। ଘରେ ଘରେ ଗ୍ୟାସ ସଂଯୋଗ ପହଞ୍ଚିଲା”, କହିଛନ୍ତି ଶାହ।

ଅମିତ ଶାହ ଆହୁରି କହିଛନ୍ତି ଯେ ଓଡ଼ିଶାରେ ପ୍ରଚୁର ପରିମାଣର ଖଣିଜ ସମ୍ପଦ ରହିଛି। ହେଲେ ଏହାର ସୁବିନିଯୋଗ ହୋଇପାରୁ ନାହିଁ। ଓଡ଼ିଶାରେ ଯୁବଶକ୍ତି ରହିଥିଲେ ମଧ୍ୟ ସେମାନଙ୍କୁ ରୋଜଗାର ଦେଇପାରୁ ନାହାନ୍ତି ରାଜ୍ୟ ସରକାର। ଏଣୁ ନବୀନ ସରକାରଙ୍କୁ ହଟାଇ ବିଜେପି ଶାସନ ପ୍ରତିଷ୍ଠା କରିବାକୁ ଆହ୍ୱାନ ଦେଇଥିଲେ ଶାହ।

ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଶାହ ନବୀନ ସରକାରଙ୍କୁ ବାଣ ମାରିଥିଲେ।

ଶାହ କହିଥିଲେ, “ସାରା ଦେଶରେ ଗରିବ ରୋଗୀଙ୍କ ପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କଲେ। ହେଲେ ଓଡ଼ିଶା ସରକାର ଏହାକୁ ଗ୍ରହଣ କଲେ ନାହିଁ। କାଳେ ଏହି ଯୋଜନା ଲାଗୁ କଲେ ମୋଦିଙ୍କର ଲୋକପ୍ରିୟତା ବଢ଼ିଯିବ ସେଥିପାଇଁ ନବୀନ ବାବୁ ଭୟ କଲେ।”

ଶାହ ଆହୁରି କହିଥିଲେ ଯେ ଉପା ଶାସନ ଅମଳରେ ଓଡ଼ିଶାକୁ ୭୯ ହଜାର କୋଟି ଟଙ୍କା ମିଳିଥିଲା। କିନ୍ତୁ ମୋଦି ସରକାରଙ୍କ ଅମଳରେ ୫ ଲକ୍ଷ ୧୩ ହଜାର କୋଟି ଟଙ୍କା ଓଡ଼ିଶାକୁ ପ୍ରଦାନ କରାଯାଇଛି। କଂଗ୍ରେସ ଏବଂ ବିଜେଡି ଶାସନ ଅମଳରେ ଓଡ଼ିଶାର ବିକାଶ ହୋଇପାରିବ ନାହିଁ ବୋଲି କହିଥିଲେ ଶାହ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାଁ ନେଇ ଓଡ଼ିଶାରେ ପରିବର୍ତ୍ତନ ହେବା ଜରୁରୀ ବୋଲି କହିଥିଲେ ଅମିତ ଶାହ। ୨୦୧୯ରେ ଜଣେ ଓଡ଼ିଶା କହିପାରୁ ଥିବା ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଆସନରେ ବସିବା ଦରକାର ବୋଲି ଶାହ କହିଥିଲେ।

Comment