ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ର ଏହି ସ୍ତମ୍ଭ ମାଧ୍ୟମରେ ବିଭିନ୍ନ ବିଷୟରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଓଡ଼ିଶା ଓ ଓଡ଼ିଆ (୨)

ସିନ୍ଧୁ ଉପତ୍ୟକାରେ ବାସକରୁଥିବା ଲୋକମାନେ କୃଷି ଦିଗରେ ପାରଙ୍ଗମ ହୋଇଥିଲେ ବୋଲି ଇତିହାସ କହୁଛି। ବର୍ତ୍ତମାନର ସିନ୍ଧୁ ଦେଶର ଭାଷା ଓ ଓଡ଼ିଶା ଦେଶର ଭାଷାର ସାମଞ୍ଜସ୍ୟ ଥିବାରୁ ପ୍ରତ୍ନତାତ୍ତ୍ଵିକମାନେ ସିନ୍ଧୁ ଦେଶର ବାସିନ୍ଦା ଓଡ଼ିଶା ଆସିଥିବାର ଅନୁମାନ କରୁଛନ୍ତି। ନର୍ମଦା ନଦୀକୂଳ ଦେଇ ଆସିଥିବା ଆଫ୍ରିକୀୟ ଅଧିବାସୀ ଏବଂ ପଛକୁ ସିନ୍ଧୁ ଦେଶ ଛାଡ଼ି ଆସିଥିବା କୃଷିକାରୀ ବାସିନ୍ଦା ଓଡ଼ିଶାର ଅଧିବାସୀ ବୋଲି ବର୍ତ୍ତମାନର ସମାଧାନ। ଏହା ବାଦେ ଆଉ କିଛି ବାସିନ୍ଦା ଉତ୍ତର ପୂର୍ବରୁ ହିମାଳୟ ବାଟ ଦେଇ ଆସିଥିବାର ମଧ୍ୟ ନୂଆ ନଜିର ମିଳୁଛି। ଏମାନେ ଉତ୍ତର ପୂର୍ବରୁ ଧାନ ଚାଷର କାଇଦା ଆଣିଥିଲେ ବୋଲି ଐତିହାସିକମାନଙ୍କର ମତ। ସମଗ୍ର ଭାରବର୍ଷରେ ଓଡ଼ିଶାର ଉତ୍ତରାଞ୍ଚଳରେ ପ୍ରଥମ ଧାନ ଚାଷ ହୋଇଥିବାର ପ୍ରମାଣ ମିଳୁଛି। ମହାନଦୀ ଅବବାହିକାରେ ମୁଗଚାଷ ଏବଂ ଦକ୍ଷିଣକୁ ବାଜରା ଚାଷର ପ୍ରମାଣ ମିଳୁଛି।

ଉତ୍ତର ଭାରତର ଗଙ୍ଗା ଅବବାହିକାରେ ସମାଜ ବସତି ପୁର୍ବରୁ ଓଡ଼ିଶାର ମହାନଦୀ, ସୁବର୍ଣ୍ଣରେଖା ଓ ଋଷିକୁଲ୍ୟା ନଦୀ ଅବବାହିକାରେ ସମାଜ ବସତି ହୋଇଛି ବୋଲି ଐତିହାସିକମାନେ ଅନୁମାନ କରୁଛନ୍ତି। ସମାଜ ବସତିର ଅର୍ଥ ଏଠାରେ ହେଲା କୃଷି କର୍ମ ଓ ସ୍ଥାୟୀ ବସତି। ଉର୍ବରା ମାଟି, ପାଣି ଓ ଉପାଦେୟ ଜଳବାୟୁ ନେଇ ଲୋକମାନେ ଆପଣାର ଭିଟା ଗଢ଼ିଛନ୍ତି। କାଳକ୍ରମେ ଉତ୍ତର ଅଞ୍ଚଳକୁ ଉଡ୍ର, ପଶ୍ଚିମ ଅଞ୍ଚଳକୁ କୋଶଳ ଏବଂ ଦକ୍ଷିଣ ଅଞ୍ଚଳକୁ କଳିଙ୍ଗ ବୋଲି ନାମ ଦିଆଯାଇଅଛି। ଏ’ନାମକରଣ କେବେ ଓ କାହିଁକି ହେଲା ତା’ର ନଜିର ଜଣାପଡ଼ିନାହିଁ।

ମାଟିରୁ ଶସ୍ୟ ଉତ୍ପନ୍ନ ହେଉଥିବାରୁ ମାଟି ପ୍ରତି ଓଡ଼ିଶା ଅଧିବାସୀଙ୍କର ମମତା ପୁରାତନ। ପୃଥିବୀର ଅନ୍ୟାନ୍ୟ ସମାଜ ବସତି ସ୍ଥାନ ଜଳାଭାବ ଓ ଦୁର୍ବିପାକର ସମ୍ମୁଖୀନ ହେଉଥିବା ସମୟରେ ଓଡ଼ିଶା ମାଟିର ଉର୍ବରା ଶକ୍ତି ଏଠାର ଅଧିବାସୀଙ୍କୁ ପ୍ରଭାବିତ କରିଥିଲା। ମାଟିକୁ ମା’ ବୋଲି ଗ୍ରହଣ କରିବା ଓଡ଼ିଶା ଅଧିବାସୀଙ୍କର ପ୍ରଥମ ଧାର୍ମିକ ପରମ୍ପରା। ମାଟି ହେଲା ଭୂଇଁ, ପାହାଡ଼ ଭୂଇଁର ଆଉ ଏକ ଅଙ୍ଗ। ବିଭିନ୍ନ ପ୍ରକାରର ଚେର, ମୂଳ, ଔଷଧ, ସ୍ଵାସ୍ଥ୍ୟପ୍ରଦଫଳ ଓ କୋଳି ପାହାଡ଼ରେ ମିଳେ। ତେଣୁ ପାହାଡ଼କୁ ମଧ୍ୟ ପୂଜା କରିବା ଉଚିତ ବୋଲି ଲୋକମାନେ ସ୍ଥିର କରି ନେଇଥିଲେ। ମାଟି, ପାଣି ଓ ପାହାଡ଼ର ପୂଜାରେ ଓଡ଼ିଶାର ପ୍ରଥମ ଧାର୍ମିକ ବିଶ୍ଵାସ ଆରମ୍ଭ ହୋଇଥିଲା।

ଭୂଇଁକୁ ମା’ପରି ପୂଜା କରିବା ପୁରୁଣା ସଂସ୍କୃତି। ମା’ ସଂସାର ସୃଷ୍ଟି କରେ, ଭୂଇଁ ଶସ୍ୟ ସୃଷ୍ଟି କରେ। ଉଭୟଙ୍କଠାରେ ସୃଜନ ଶୀଳତାର ପ୍ରଶସ୍ତି ଅନେକ। ତେବେ ଭୂଇଁର ଅନେକ ରୂପ ଅଛି, ବନ୍ୟା ଓ ଝଡ଼ିର କରାଳତା ବି ତା’ଭିତରେ ସାମିଲ୍! ବନ୍ୟାପରେ ପୁଣି ରୋଗ ଦେଖାଯାଏ, ରୋଗରୁ ମୁକ୍ତି ସହଜ ନୁହେଁ। ଓଡ଼ିଶାର ଅଧିବାସୀ ଭୂଇଁକୁ ଠାକୁରାଣୀ ବୋଲି ମାନିତା’କୁ ବିଭିନ୍ନ ରୂପ ଦେବାକୁ ଚେଷ୍ଟା କଲେ। ଶସ୍ୟ ଦେବାରେ ସେ ଠାକୁରାଣୀ, ରୋଗ ଓ ବନ୍ୟାରେ ସେ କରାଳୁଣୀ –  ପ୍ରତ୍ୟେକ ଅବସ୍ଥା ପ୍ରସଙ୍ଗରେ ଠାକୁରାଣୀର ନୂଆ ନାଁ ସୃଷ୍ଟିହେଲା। ଯେପରି ସବୁ ପଦାର୍ଥର ସୃଷ୍ଟିର ମୂଳ ହେଉଛି ଭୂଇଁ, ସେ’ପରି ସମସ୍ତ ସମସ୍ୟାର ରକ୍ଷାକାରୀ ହେଲା ମା’- ପ୍ରତିଗାଁରେ, ପ୍ରତିଅଞ୍ଚଳରେ ଏ ମା’ ଠାକୁରାଣୀ ଶାରଳା, ବିମଳା, ଶିତଳା, ଖଣ୍ଡୁଆ, ସମଲା ଆଦି ନାଁରେ ପୂଜା ପାଇଲା। ମା’  ଠାକୁରାଣୀକୁ ସର୍ବତ୍ର ପୂଜାକରିବାର ବିଧି ଓଡ଼ିଶାରୁ ହିଁ ଆରମ୍ଭ ହୋଇଥିବାର ପ୍ରତ୍ୟୟ ହେଉଅଛି।

ମା’ପୁଜାର କାହାଣୀ ଓଡ଼ିଆ ଭାଷାର କାହାଣୀଠାରୁ ବହୁପୁରାତନ। ପୁରୁଣାକାଳର କଥିତ ଭାଷାର ବର୍ତ୍ତମାନ ପ୍ରଚଳନ ନାହିଁ। ତେବେ ବର୍ତ୍ତମାନ ପ୍ରଚଳିତ ବିଭିନ୍ନ ଶବ୍ଦର ଭାବଗତ ଉତ୍ପତ୍ତି ପୁରୁଣାକାଳରେ ଓଡ଼ିଶା ଦେଶରେ ହୋଇଛି ବୋଲି ବିଶ୍ଵାସ କରାଯାଉ ଅଛି। ଏ’ ଭାଷାରେ କ୍ରିୟା ନଥାଇ କେବଳ ସଂଜ୍ଞା – ନଈ, ପାଣି, ପାହାଡ଼, ବିଲ–ଏ’ ପରିକିଛି। ଏମାନେ କାହିଁକି ଏହିପରି – ତା’ର ସନ୍ଧାନ ନୂଆ ନୂଆ ଆରମ୍ଭ ହେଉଛି।

ଏହି କୃଷି ଭିତ୍ତିକ ଭୂଇଁ ଧର୍ମୀ ସଂସ୍କୃତି କ୍ରମେ ସମସ୍ତ ଭାରତବର୍ଷରେ ପ୍ରସାରିତହୋଇଥିଲା- ଉତ୍ତରରେ ପ୍ରଥମେ, ଦକ୍ଷିଣରେ ପରେ। ପଞ୍ଜାବରେ ବୈଦିକ ସଭ୍ୟତା ଆରମ୍ଭ ହେଲା ବେଳକୁ ଦେଶ ଭିତରେ କୃଷିଭିତ୍ତିକ ଭୂଇଁଧର୍ମୀ ସଂସ୍କୃତି ମଜବୁତ ରହିଥିଲା। ବେଦର ଠାକୁର ସ୍ଵର୍ଗରେଥାନ୍ତି, କୃଷିର ଠାକୁରାଣୀ ଭୂଇଁରେ ଥାଏ। ବେଦ ହୋମ ଓ ପ୍ରାର୍ଥନାପନ୍ଥୀ, କୃଷିଭିତ୍ତିକ ଅଧିବାସୀ କାର୍ଯ୍ୟପନ୍ଥୀ। ଯଦିଓ ଉତ୍ତର ଭାରତରେ ବୈଦିକ ସଭ୍ୟତାର ପ୍ରସାର ହେଲା, କୃଷିର ଭିଟାଭୂଇଁ ଓଡ଼ିଶାରେ ବୈଦିକ ସଭ୍ୟତା ସହଜରେ ପ୍ରବେଶ କରିପାରିଲା ନାହିଁ!

(ଅଧ୍ୟାପକ ବିଜୟମୋହନ ମିଶ୍ର ଜଣେ ପଦାର୍ଥବିତ୍ ଏବଂ ଭାଷା ବିଶେଷଜ୍ଞ। କଟକ ସହରରେ ତାଙ୍କର ଜନ୍ମ। ରାଣୀହାଟ ହାଇସ୍କୁଲ, ରେଭେନ୍ସା କଲିଜିଏଟ୍ ସ୍କୁଲ ଓ ରେଭେନ୍ସା କଲେଜରେ ତାଙ୍କର ଶିକ୍ଷା। ୧୯୭୪ ମସିହାରୁ ସେ ଯୁକ୍ତରାଷ୍ଟ୍ର ଅମେରିକାରେ ବାସ କରୁଛନ୍ତି। ସେଠାରେ ମାସାଚୁସେଟସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଓ ହାଭାର୍ଡ ବିଶ୍ୱବିଦ୍ୟାଳୟ ସହ ସେ ସଂପୃକ୍ତ। ଇଣ୍ଡିଆ ଡିସ୍କୋଭରି ସେଣ୍ଟର୍​ର ସେ ସଭାପତି ଭାବରେ କାର୍ଯ୍ୟ କରନ୍ତି।)

Comment