ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁମ୍ଭମେଳାଠାରେ ଆୟୋଜିତ ଧର୍ମ ସଂସଦରେ ଆଜି ଏକ ବଡ଼ ଘୋଷଣା କରାଯାଇଛି। ଫେବ୍ରୁଆରି ୨୧ରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ କରାଯିବ। ସନ୍ଥ ମହାସଭାର ସଦସ୍ୟ କହିଛନ୍ତି ଯେ ଯଦି ଏଥିପାଇଁ ଜେଲ ବି ଯିବାକୁ ପଡ଼େ ସେମାନେ ଯିବାକୁ ପ୍ରସ୍ତୁତ।

ପ୍ରୟାଗରାଜରେ ଅନୁଷ୍ଠିତ ଧର୍ମ ସଂସଦରେ ହିନ୍ଦୁ ସନ୍ଥମାନେ ଘୋଷଣା କରିଛନ୍ତି ଯେ ରାମ ମନ୍ଦିର ନିର୍ମାଣ କାମ ଫେବ୍ରୁଆରି ୨୧ରୁ ଆରମ୍ଭ ହେବ। ସନ୍ଥ ସମାଜ କୁମ୍ଭମେଳାରୁ ସିଧାସଳଖ ଅଯୋଧ୍ୟା ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ‘ପରମ ଧର୍ମ ସଂସଦ’ ପକ୍ଷରୁ ଆଜି ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ମନ୍ଦିର ନିର୍ମାଣ ପାଇଁ ୨୧ ତାରିଖ ଦିନ ଧାର୍ଯ୍ୟ କରାଯାଇଛି।

ସୁପ୍ରିମକୋର୍ଟର ମତିଗତିକୁ ସମାଲୋଚନା କରି ସନ୍ଥମାନେ କହିଛନ୍ତି ଯେ ଏହା ଅତି ଦୁଃଖର ବିଷୟ। କୁକୁରକୁ ଏଠି  ତତ୍କାଳ ନ୍ୟାୟ ମିଳୁଥିବା ବେଳେ ରାମଙ୍କ ଦେଶରେ ରାମ ଜନ୍ମଭୂମି ପାଇଁ ନ୍ୟାୟ ମିଳୁନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର ସମ୍ପର୍କରେ ଧର୍ମ ସଂସଦ କହିଛି ଯେ ସେ ତାଙ୍କ ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଛନ୍ତି। ସୁପ୍ରିମକୋର୍ଟ ତାଙ୍କ ରାୟ ଦେବା ପରେ ସରକାର ତାଙ୍କ ଦାୟିତ୍ୱ ତୁଲାଇବେ ବୋଲି ନୂଆ ବର୍ଷରେ ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ମୋଦି କହିଥିଲେ।

ନିକଟରେ ମୋଦି ସରକାର ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି ଯେ ବିବାଦ ନଥିବା ଜମି ମନ୍ଦିର ନ୍ୟାସକୁ ଫେରାଇ ଦିଆଯାଉ। ଏହି ପ୍ରସଙ୍ଗରେ ଧର୍ମ ସଂସଦ କହିଛି ଯେ ପ୍ରକୃତରେ ମନ୍ଦିର ଟ୍ରଷ୍ଟ ପାଖରେ ମାତ୍ର ୧ ଏକର ଜମି ରହିଛି। ଅବଶିଷ୍ଟ ୪୭ ଏକର ଜମି ଉତ୍ତର ପ୍ରଦେଶ ସରକାରଙ୍କ ନିକଟରେ ରହିଛି।

ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ନେତୃତ୍ୱ ନେଇଥିବା ଶଙ୍କରାଚାର୍ଯ୍ୟ ସ୍ଵରୂପାନନ୍ଦ ସରସ୍ୱତୀ କହିଛନ୍ତି, “୨୧ରେ ଆମେ ମନ୍ଦିରର ପଥର ରଖିବୁ। ସକଳ ହିନ୍ଦୁ ସମାଜର ମନସ୍କାମନା ପୂରଣ ପାଇଁ ଆମେ ବଦ୍ଧ ପରିକର। ବସନ୍ତ ପଞ୍ଚମୀ ପରେ ଆମେ କୁମ୍ଭମେଳାରୁ ସିଧା ଅଯୋଧ୍ୟା ଯାତ୍ରା କରିବୁ ଓ ସେଠାରେ ମନ୍ଦିର ନିର୍ମାଣ ପାଇଁ ଶୁଭ ଦିଆଯିବ। ଯଦି ଏଥିପାଇଁ ଆମକୁ ଜେଲ ଯିବାକୁ ପଡ଼େ କିମ୍ବା ଗୁଳି ଖାଇବାକୁ ପଡ଼େ ସେଥିପାଇଁ ଆମେ ପ୍ରସ୍ତୁତ।”

ଶଙ୍କରାଚାର୍ଯ୍ୟଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, “ଯଦି ମନ୍ଦିର ନିର୍ମାଣ କାର୍ଯ୍ୟରେ କ୍ଷମତାର କୌଣସି ଅଙ୍ଗ ବାଧା ଦିଏ ଆମେ ହିନ୍ଦୁମାନଙ୍କ ପାଇଁ ଏକ ଧର୍ମାଦେଶ ଜାରି କରିବୁ ଓ କହିବୁ ଯେ ମନ୍ଦିର ପାଇଁ ଯଦି କୋଟି କୋଟି ଲୋକଙ୍କୁ ଜେଲ ଯିବାକୁ ହେବ ସେମାନେ ତାହା କରିବା ଦରକାର।”

Comment