ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ୫ଲକ୍ଷ ଭୁମିହୀନ ଚାଷୀ ପରିବାରକୁ ମିଳିବ କାଳିଆ ଯୋଜନା ଦ୍ୱାରା ଆର୍ଥିକ ସହାୟତା।

ଚାଷୀମାନଙ୍କ କଲ୍ୟାଣ ଓ ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରୁ କୌଣସି ହିତାଧିକାରୀ ବାଦ୍‌ ପଡ଼ିବେ ନାହିଁ। ଯୋଜନାର ଅବଧି ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯିବ। ଭୂମିହୀନ ଚାଷୀ ପରିବାରଙ୍କୁ ଜୀବନ ଜୀବିକା ସହାୟତା ବ୍ୟବସ୍ଥାରେ ଚାଷୀ ପରିବାର ସଂଖ୍ୟା ୧ଲକ୍ଷରୁ ୫ଲକ୍ଷ ବୃଦ୍ଧି କରାଯାଇଛି।

ପ୍ରତିଟି ପରିବାରକୁ ୧୨, ୫୦୦ ଟଙ୍କା ପ୍ରଦାନ ବ୍ୟବସ୍ଥା ଥିବା ବେଳେ ଏଥିରେ ସଂଶୋଧନ କରାଯାଇ ପ୍ରଥମ ପର୍ଯ୍ୟାୟରେ ସେମାନଙ୍କୁ ୫ ହଜାର ଟଙ୍କା ଦିଆଯିବ। ବଳକା ଅର୍ଥରାଶି ସେମାନଙ୍କୁ ଦୁଇଟି କିସ୍ତିରେ ଦିଆଯିବ। ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଗଣମାଧ୍ୟମରେ କହିଥିଲେ ଯେ ରାଜ୍ୟ କ୍ୟାବିନେଟରେ ଗତ ଡିସେମ୍ବର ୨୧ରେ କୃଷକ କଲ୍ୟାଣ ନିମନ୍ତେ କାଳିଆ ଯୋଜନା ଅନୁମୋଦନ ଲାଭ କରିଥିଲେ। ପ୍ରଥମ ପର୍ଯ୍ୟୟରେ ୧୩.୦୩ ଲକ୍ଷ କ୍ଷୁଦ୍ର, ନାମମାତ୍ର, ଭାଗ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏଁ ପଠାଯିବ।

କାଳିଆ ଯୋଜନା ସମ୍ପର୍କିତ ୱେବସାଇଟକୁ ୧ କୋଟି ଲୋକ ଦେଖିଛନ୍ତି। ୬୭ଲକ୍ଷ ଆବେଦନ କରିଛନ୍ତି ଓ ୮ଲକ୍ଷ ଚାଷୀ କାଳିଆ ବାର୍ତାରେ ଯୋଗାଯୋଗ କରିଛନ୍ତି। ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିଲେ, ୧ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ଜୀବନ ଜୀବିକା ପ୍ରଦାନ କରିବାକୁ ୧୨ ହଜାର ୫୦୦ ଟଙ୍କା ଦିଆଯିବ।

ଏଥିରେ ସେମାନେ ରୋଜଗାର ବାଟ ଖୋଲିବେ। କିନ୍ତୁ ମଙ୍ଗଳବାର ସ୍ଥିର ହୋଇଛି, ଏହି ସଂଖ୍ୟାକୁ ୫ଲକ୍ଷକୁ ବୃଦ୍ଧି କରାଯିବ। ୧୨ ହଜାର ୫୦୦ ଟଙ୍କା ମଧ୍ୟରୁ ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ସେମାନଙ୍କୁ ଦିଆଯିବ ଓ ବାକି ଅର୍ଥରାଶି ଦୁଇଟି କିସ୍ତିରେ ଚାଷୀ ପାଇବେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ଖରିଫ ଫସଲ ସହାୟତା ଚାଷୀଙ୍କୁ ଅକ୍ଷୟ ତୃତୀୟା ଦିନ ଓ ରବି ଫସଲ ସହାୟତା ନୂଆଖାଇ ଦିନ ପ୍ରଦାନ କରାଯିବ। ତେବେ ଚଳିତବର୍ଷ ଏ ବାବଦରେ ୧୬୬୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଯେଉଁ ଅଟକଳ କରାଯାଇଥିଲା, ସେଥିରେ କୌଣସି ବୃଦ୍ଧି ଘଟିବ ନାହିଁ।

Comment