ଓଡ଼ିଶାଲାଇଭ୍‌ ବିଜିନେସ୍‌ ବ୍ୟୁରୋ  

“ଆଲୁମିନିୟମ ସେକ୍ଟରକୁ ଆମେ ସମୃଦ୍ଧ କରିବାକୁ ଚାହୁଁଛୁ। ବିଗତ ଦିନ ତୁଳନାରେ ଏବେ ବେଦାନ୍ତ ଲାଞ୍ଜିଗଡ଼ ପ୍ଲାଣ୍ଟରୁ ଅଧିକରୁ ଅଧିକ ଆଲୁମିନା ଉତ୍ପାଦନ କରୁଛି। ଆଗାମୀ ଦିନରେ ଆହୁରି ଅଧିକ ଆଲୁମିନା ଉତ୍ପାଦନ କରି ରାଜ୍ୟ ତଥା ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାକୁ ଚାହୁଁଛୁ। ଆଲୁମିନିୟମ ସେକ୍ଟରରେ ଆମେ ଭାରତକୁ ସ୍ୱାବଲମ୍ବୀ କରିବାକୁ ଚାହୁଁଛୁ”, କହିଛନ୍ତି ବେଦାନ୍ତ ସିଇଓ ଅଜୟ ଦୀକ୍ଷିତ।

ଭୁବନେଶ୍ଵରରେ ଗୁରୁବାରଠାରୁ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ଆଲୁମିନିୟମ କନକ୍ଲେଭ। ଏହି କନକ୍ଲେଭରେ ଆଲୁମିନିୟମ ସେକ୍ଟର ସହ ଜଡ଼ିତ ବିଭିନ୍ନ କମ୍ପାନିର ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ଆଲୁମିନିୟମ ଶିଳ୍ପକୁ କିପରି ଆଗକୁ ନିଆଯିବ ସେନେଇ ମତ ରଖିଛନ୍ତି।

ଏହି କନକ୍ଲେଭରେ ଯୋଗ ଦେଇଥିଲେ ବେଦାନ୍ତ ସିଇଓ ଅଜୟ ଦୀକ୍ଷିତ। ଅନ୍ତର୍ଜାତୀୟ ଆଲୁମିନିୟମ କନକ୍ଲେଭ ଅବସରରେ ସେ ସାମ୍ବାଦିକ ସମ୍ମିଳନୀ କରି ଆଲୁମିନିୟମର ଚାହିଦା ସମ୍ପର୍କରେ ସୂଚନା ଦେଇଥିଲେ।

“ଓଡ଼ିଶା ଖଣି ନିଗମରୁ ଆମେ ବକ୍ସାଇଟ୍ ଆଣୁଛୁ ଏବଂ ବାହାର ଦେଶରୁ କିଛି ଆମଦନୀ କରୁଛୁ। ଆଗାମୀ ଦିନରେ ଆମେ ଅଧିକ ବକ୍ସାଇଟ ପାଇଁ ଅକ୍ସନ ପ୍ରକ୍ରିୟାରେ ସାମିଲ ହେବୁ। ଫଳରେ ଆମେ ଅଧିକ ଆଲୁମିନା ଉତ୍ପାଦନ କରିବାରେ ସମର୍ଥ ହେବୁ। ଲାଞ୍ଜିଗଡ଼ ରିଫାଇନାରୀ ପ୍ରକଳ୍ପରୁ ବର୍ତ୍ତମାନ ୨ ମିଲିଅନ ଟନ୍ ଆଲୁମନା ଉତ୍ପାଦନ ହେଉଛି। ଆଗାମୀ ଦିନରେ ଆମେ ଅଧିକ ଆଲୁମିନା ଉତ୍ପାଦନ କରିବା ଉପରେ ଆମେ ଗୁରୁତ୍ୱ ଦେଉଛୁ”, କହିଛନ୍ତି ଅଜୟ ଦୀକ୍ଷିତ।

ଏହାସହ ସେ ଓଡ଼ିଶାରେ ଆଲୁମିନା ପାର୍କ ପ୍ରତିଷ୍ଠା ସମ୍ପର୍କରେ ସୂଚନା ଦେଇଥିଲେ।

ସେ କହିଛନ୍ତି, “ପ୍ରସ୍ତାବିତ ଆଲୁମିନା ପାର୍କ ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇଛି। କିନ୍ତୁ ଜମିର ପ୍ରତିବନ୍ଧକ ରହିଛି। ଜମି ମିଳିଗଲେ ଆମେ ପାର୍କ ପ୍ରତିଷ୍ଠା କରିବୁ। ଏଥିପାଇଁ ଆମେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୫ଟି କମ୍ପାନି ସହ ଆଲୋଚନା କରିଛୁ। ସେମାନେ ମଧ୍ୟ ଏଥିରେ ଆଗ୍ରହ ପ୍ରକାଶ କରିଛନ୍ତି।”

“ଓଡ଼ିଶା ହେଉଛି ବକ୍ସାଇଟର ଗନ୍ତାଘର। ସାରା ଭାରତରେ ଯେତିକି ବକ୍ସାଇଟ ଅଛି ସେଥିମଧ୍ୟରୁ କେବଳ ଓଡ଼ିଶାରେ ୭୦ ପ୍ରତିଶତ ବକ୍ସାଇଟ ଅଛି। ଏହି ବକ୍ସାଇଟ ଖଣି ଉପରେ ଓଡ଼ିଶାର ପ୍ରାୟ ୨ ହଜାରରୁ ଅଧିକ ପରିବାରର ନିର୍ଭରଶୀଳ। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସେମାନଙ୍କୁ ରୋଜଗାର ମିଳୁଛି”, କହିଛନ୍ତି ଅଜୟ ଦୀକ୍ଷିତ।

ଏହାସହ ସେ ଆହୁରି କହିଛନ୍ତି ସେ ଲାଞ୍ଜିଗଡ଼ରେ ବେଦାନ୍ତ ଆଲୁମିନା ରିଫାଇନାରୀ ପ୍ରକଳ୍ପ ପ୍ରତିଷ୍ଠା ହେବା କଳାହାଣ୍ଡି ଜିଲ୍ଲାର ରୂପରେଖ ବଦଳିଛି। ଏଠାରେ ପରିବେଶ ସୁରକ୍ଷା ଉପରେ କମ୍ପାନି ଧ୍ୟାନ ଦେବା ସହ ବିଭିନ୍ନ ସ୍ଥାନରେ ଗଛ ଲଗାଇଛି। ପିଲାମାନଙ୍କ ପାଇଁ ଭଲ ସ୍କୁଲ ପ୍ରତିଷ୍ଠା ହୋଇପାରିଛି। ଆଗାମୀ ଦିନରେ କମ୍ପାନି ଆହୁରି ଭଲ ପଦକ୍ଷେପ ନେବ।

Comment