ଓଡ଼ିଶାଲାଇଭ୍‌ ବ୍ୟୁରୋ  

  • ଫେବ୍ରୁଆରି ୩ ଯାଏଁ ଚାଲିବ କନକ୍ଲେଭ୍
  • ସାମିଲ୍ ହେଲେ ୨୦ଟି ଦେଶରୁ ୮୫୦ରୁ ଅଧିକ ପ୍ରତିନିଧି
  • ୧୫୦ ବୈଦେଶିକ ପ୍ରତିନିଧି ସାମିଲ
  • ପ୍ରଦର୍ଶନୀରେ ୧୨୦ଟି ଶିଳ୍ପାନୁଷ୍ଠାନ ପକ୍ଷରୁ ବୈଷୟିକ ଜ୍ଞାନକୌଶଳର ପ୍ରଦର୍ଶନ

ସ୍ମାର୍ଟ ସିଟି ଭୁବନେଶ୍ଵରରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ଆଲୁମିନିୟମ କନକ୍ଲେଭ୍ ଇନ୍‌କାଲ୍‌-୨୦୧୯। ଏହି ସମ୍ମିଳନୀରେ କେନ୍ଦ୍ର ଖଣି ସଚିବ ଅନିଲ ମୁକିମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ୨୦ଟି ଦେଶରୁ ୮୫୦ରୁ ଅଧିକ ପ୍ରତିନିଧି ସାମିଲ ହୋଇଛନ୍ତି।

ଏହାସହ ୧୫୦ ବୈଦେଶିକ ପ୍ରତିନିଧି ମଧ୍ୟ ଏହି କନ୍‌କ୍ଲେଭ୍‌ରେ ସାମିଲ ହୋଇଛନ୍ତି। ଆଲୁମିନିୟମ ଶିଳ୍ପକୁ ଆଗକୁ ନେବା ପାଇଁ ଏହି କନକ୍ଲେଭରେ ମନ୍ଥନ କରିବେ।

ଏହି ସମ୍ମିଳନୀରେ ନାଲ୍‌କୋ ସିଏମ୍‌ଡି ତଥା ଏଏଆଇର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ, ସୋସିଆଲିଷ୍ଟ ରିପବ୍ଲିକ୍ ଅଫ୍ ଭିଏତନାମା ରାଷ୍ଟ୍ରଦୂତ ଫାମ୍ ସାନ୍ ଚାଉ, ମିଆଁମାରର ରାଷ୍ଟ୍ରଦୂତ କ୍ୟାଅ ଅଙ୍ଗ୍, ଓଡ଼ିଶା ସରକାରଙ୍କ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା, ବେଦାନ୍ତର ସିଇଓ ଅଜୟ ଦୀକ୍ଷିତ, ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ୍ ଲିମିଟେଡ୍‌ର ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମିଶ୍ର, ଇଟାଲିଆନ୍ ରିପବ୍ଲିକ କନ୍‌ସଲ୍ ଜେନେରାଲ୍ ଡାମିଆନୋ ଫ୍ୟାନ୍ସୋଭିଗ୍, କିଙ୍ଗଡମ୍ ଅଫ୍ ଥାଇଲାଣ୍ଡର କନ୍ସଲ୍ ଜେନେରାଲ୍ ସ୍ୱୀୟା ସ୍ୟାନ୍ତିପିତାକ୍ସ ପ୍ରମୁଖ ଉପସ୍ଥିତ ଥିଲେ।

କେନ୍ଦ୍ର ଖଣି ସଚିବ ଅନିଲ ମୁକିମ କହିଥିଲେ ଯେ ଅନ୍ତର୍ଜାତୀୟ ବଜାରରେ ଆଲୁମିନିୟମର ଚାହିଦା ରହିଛି। ଏହାକୁ ଅଧିକ ଉପଯୋଗ କରିବା ସହ ଆଲୁମିନିୟମକୁ ଭବିଷ୍ୟତର ଧାତୁ ଭାବେ ବିକଶିତ କରିବା ପାଇଁ ସମସ୍ତ ଅଂଶୀଦାରମାନଙ୍କୁ ସେ ଆହ୍ୱାନ ଦେଇଥିଲେ।

ଆଲୁମିନିୟମ୍ ଉଦ୍ୟୋଗରେ ଗୁଣବତ୍ତା ବୃଦ୍ଧି ସହ ଆନୁଷଙ୍ଗିକ ଉଦ୍ୟୋଗଗୁଡ଼ିକର ବିକାଶ ଉପରେ ଗୁରୁତ୍ୱ ଆରୋପ କରିଥିଲେ କେନ୍ଦ୍ର ଖଣି ସଚିବ। ଏହାସହ ଶିଳ୍ପାନୁଷ୍ଠାନମାନେ ସାମାଜିକ ଏବଂ ପରିବେଶ ସମ୍ବନ୍ଧୀୟ ସମସ୍ୟାର ସମାଧାନ ଦିଗରେ ମଧ୍ୟ କାର୍ଯ୍ୟ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ଏହି କନକ୍ଲେଭ୍‌ରେ ସମଗ୍ର ବିଶ୍ୱରୁ ଆଲୁମିନିୟମ୍ ଉତ୍ପାଦନକାରୀ, ବୈଷୟିକବିତ୍, ଯନ୍ତ୍ରାଂଶ ଯୋଗାଣକାରୀ, କଞ୍ଚାମାଲ ଯୋଗାଣକାରୀ ଅଂଶଗ୍ରହଣ କରି ଆଲୁମିନିୟମ୍ ଉଦ୍ୟୋଗର ବିକାଶ ଓ ନିରନ୍ତର ପ୍ରଗତି ପାଇଁ ଖସଡ଼ା ପ୍ରସ୍ତୁତି କରିବାର କାର୍ଯ୍ୟକ୍ରମ ରହିଛି।

ଡକ୍ଟର ତପନ କୁମାର ଚାନ୍ଦ କହିଲେ, “ଅନ୍ତର୍ଜାତୀୟ ସ୍ତରରେ ଆଲୁମିନିୟମକୁ ଭବିଷ୍ୟତର ଧାତୁ ଭାବେ ଉପସ୍ଥାପିତ କରିବାର ଲକ୍ଷ୍ୟ ରହିଛି। ଜାତୀୟ ସ୍ତରରେ ଏହି ଧାତୁର ଘରୋଇ ଉପଯୋଗ ବୃଦ୍ଧି କରିବା ତଥା ଓଡ଼ିଶାକୁ ଭାରତର ଆଲୁମିନିୟମ୍ ରାଜଧାନୀ ଭାବେ ବିକଶିତ କରିବା ଏହି କନକ୍ଲେଭର ମୁଖ୍ୟ ଲକ୍ଷ୍ୟ।”

କେନ୍ଦ୍ର ଖଣି ମନ୍ତ୍ରାଳୟ ଆନୁକୂଲ୍ୟରେ ଏବଂ ଆଲୁମିନିୟମ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ସହଭାଗିତାରେ ଏହି କନକ୍ଲେଭ୍‌ ଆୟୋଜିତ ହେଉଛି।

ଏହି କନକ୍ଲେଭରେ କାନାଡାର ALCAN, ଯୁକ୍ତରାଷ୍ଟ୍ର ଆମେରିକାର ALCOA, ଚୀନର  CHALIECO & CHINALCO, ଦୁବାଇର DUBAL, ଲଣ୍ଡନର Rio Tinto, ଋଷିଆର RUSSAL, ନରୱେର Norsk Hydro ର ପ୍ରତିନିଧିମାନେ ଯୋଗଦେବେ।

ଅନ୍ୟମାନଙ୍କ ମଧ୍ୟରେ ଡେନମାର୍କର FL Smidth, ଜର୍ମାନୀର SMS, ଇଟାଲୀର Danielle, ALMEX & Properzi, ଫ୍ରାନ୍ସର Carbon Savoie ର ପ୍ରତିନିଧି ଯୋଗ ଦେଇଥିଲେ। ଏହି ଅନ୍ତର୍ଜାତୀୟ କନକ୍ଲେଭକୁ ସଫଳ କରିବା ପାଇଁ ନବରତ୍ନ କମ୍ପାନି ନାଲ୍‌କୋ, ବେଦାନ୍ତ ଏବଂ ହିଣ୍ଡାଲ୍‌କୋ ଏକାଠି ହୋଇଛନ୍ତି।

Comment