ଓଡ଼ିଶାଲାଇଭ୍‌ ବ୍ୟୁରୋ

କେତେ ଆକୃଷ୍ଟ କରିବ ମୋଦି ସରକାରଙ୍କ ଅନ୍ତରୀଣ ବଜେଟ?

ସାଧାରଣ  ନିର୍ବାଚନ ଠିକ୍ ପୂର୍ବରୁ ଶୁକ୍ରବାର ଉପସ୍ଥାପିତ ହେବାକୁ ଥିବା ବଜେଟରେ ମୋଦି ସରକାରଙ୍କ ଫୋକସ, ଚାଷୀଙ୍କ ଉପରେ ରହିପାରେ। ବାସ୍ତବରେ ଅନ୍ତରୀଣ ବଜେଟରେ ଅଧିକ ଧ୍ୟାନ ରଖି ମୋଦି ସରକାର ଦ୍ୱିତୀୟ ଥର ପାଇଁ ଶାସନ ଗାଦିକୁ ଫେରିବା ଲକ୍ଷ୍ୟରେ ରହିବେ।

ମୋଦି ସରକାରଙ୍କ ଶାସନ କାଳରେ ଏହି ଶେଷ ବଜେଟ ଅନ୍ତରୀଣ ବଜେଟ ନୁହେଁ ବରଂ ଏହାଠାରୁ ଅଧିକ କିଛି ହେବ ବୋଲି ଚର୍ଚ୍ଚା ହେଉଛି। ସାଧାରଣ ବର୍ଗଙ୍କଠୁ ଆରମ୍ଭ କରି ଚାଷୀ ପର୍ଯ୍ୟନ୍ତ ସମସ୍ତେ ବଜେଟକୁ ନେଇ ଅନେକ ଆଶାବାଦୀ ଅଛନ୍ତି।

କାରଣ ଲୋକସଭା ନିର୍ବାଚନ ପୂର୍ବରୁ ୨୦୧୮ରେ ହୋଇଥିବା ନିର୍ବାଚନରେ ତିନି ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନରେ ଶାସନାଧୀନ ବିଜେପି ସରକାର ଚିତ୍ ପଟାଙ୍ଗ ମାରିଥିଲା । ଚାଷୀଙ୍କୁ ଋଣ ଛାଡ଼ ପ୍ରସଙ୍ଗ ହିଁ ଏହାର ମୂଳ କାରଣ ଥିଲା। ଚାଷୀ ଅସନ୍ତୋଷ ଏବେ ଧୀରେଧୀରେ ନିର୍ବାଚନୀ ପ୍ରସଙ୍ଗ ହେବାରେ ଲାଗିଛି। ଏଥିରୁ ମୁକୁଳିବା ପାଇଁ ମୋଦି ସରକାର ଅନ୍ତରୀଣ ବଜେଟରେ ବଡ଼ ଘୋଷଣା କରିପାରନ୍ତି।

ଚାଷୀଙ୍କୁ ଋଣ ଛାଡ଼ ହେବାର ସମ୍ଭାବନା ନାହିଁ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ କହିସାରିଛନ୍ତି। କିନ୍ତୁ ରାଜ୍ୟ ସରକାରଗୁଡ଼ିକ ଋଣ ଛାଡ଼ କରିବାରେ ଲାଗିଛନ୍ତି। ଗତ ସାଢ଼େ ୪ ବର୍ଷର କାର୍ଯ୍ୟକାଳ ଭିତରେ ମୋଦି ସରକାର ଚାଷୀ ଏବଂ ତାହାର ଆୟ ବୃଦ୍ଧି ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ କରିସାରିଛନ୍ତି। ତାହା ସତ୍ତ୍ୱେ  ମହଙ୍ଗା ଋଣ, କୃଷି ଉପକରଣ ମୂଲ୍ୟ ବୃଦ୍ଧି ଏବଂ ଫସଲର ଉଚିତ୍ ମୂଲ୍ୟ ମିଳୁନଥିବା ଭଳି ସମସ୍ୟାରେ ଚାଷୀ ଜଡ଼ିତ।

କେନ୍ଦ୍ର ସରକାର ୨୨ଟି ଫସଲରେ ଏମଏସପି ବୃଦ୍ଧି କରିଥିବା କହିଛନ୍ତି। ଯାହା ଆଶା କରାଯାଉଛି ମୋଦି ସରକାର କମ୍ ମୂଲ୍ୟରେ ଫସଲ ବିକୁଥିବା ଚାଷୀଙ୍କ ପାଇଁ ନୂଆ ଯୋଜନା ଘୋଷଣା କରିପାରନ୍ତି। ଏହାଛଡ଼ା ଚାଷୀ ପରିବାରକୁ ଖାଦ୍ୟ ଏବଂ କୃଷି ଉପକରଣ କ୍ରୟ ପାଇଁ ବାର୍ଷିକ ଏକ ନିଶ୍ଚିତ ଅର୍ଥରାଶି ଦେବା ଉପରେ ବିକଳ୍ପ ବିଚାର କରିପାରନ୍ତି।

Comment