ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଜେଟ୍ କଣ? ଏହାକୁ ଗଠନ କରିବା ପାଇଁ କେଉଁ ସବୁ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିଥାଏ? ଦେଶର ଅର୍ଥ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଦିଗରେ ଏହା କେତେ ସହାୟକ? ଏପରି ବହୁ ପ୍ରଶ୍ନ ସାଧାରଣ ଜନତାଙ୍କ ମନରେ ଉଙ୍କିମାରିଥାଏ। ବଜେଟ୍ ହେଉଛି କେନ୍ଦ୍ର ସରକାରଙ୍କ ଆର୍ଥିକ ବ୍ୟାପାରର ବିସ୍ତୃତ ରିପୋର୍ଟ। ଯେଉଁଥିରେ ସରକାରଙ୍କ ରାଜସ୍ୱ ଉତ୍ସ ଓ ଅନ୍ୟାନ୍ୟ ଗତିବିଧି ସହିତ ବ୍ୟୟ ଅଟକଳର ବିବରଣୀ ପ୍ରଦାନ କରାଯାଏ।

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଫେବ୍ରୁଆରି ୧ରେ ସଂସଦରେ କାମଚଳା ବଜେଟ୍ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅସୁସ୍ଥତା ପାଇଁ ତାଙ୍କ ସ୍ଥାନରେ ପୀୟୁଷ ଗୋଏଲ ବଜେଟ୍ ଉପସ୍ଥାପନ କରିବେ। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ବଜେଟ୍ ଉପସ୍ଥାପନ ହେବ। ନିର୍ବାଚନ ପୂର୍ବରୁ ଏହା ମୋଦି ସରକାରଙ୍କ ଶେଷ ବଜେଟ ରହିବ।  ନିର୍ବାଚନ ଫଳାପଳ ପରେ ପୁଣି ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରାଯିବ। ବଜେଟ୍ ଅଧିବେଶନ ଆସନ୍ତା ଫେବ୍ରୁଆରି ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।

ବଜେଟ୍‌ର ପ୍ରକ୍ରିୟା କ’ଣ ଥାଏ?

ପ୍ରଥମେ ଅର୍ଥମନ୍ତ୍ରାଳୟରୁ ବଜେଟ୍ ପେପର ଲୋକସଭାକୁ ଅଣାଯିବ। ଏହାପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିବ। ବୈଠକରେ ବଜେଟ୍ ସମ୍ପର୍କିତ ନିଷ୍ପତ୍ତି ଉପରେ ଆଲୋଚନା ହେବ। କ୍ୟାବିନେଟ୍ ବୈଠକ ପରେ ଅର୍ଥମନ୍ତ୍ରୀ ଲୋକସଭାରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ। ବଜେଟରେ ଅର୍ଥମନ୍ତ୍ରୀଙ୍କ ଘୋଷଣା ପାଖାପାଖି ୨ ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ଏହି ହିସାବରେ ଦିନ ୨ଟା ସୁଦ୍ଧା ବଜେଟ୍ ପ୍ରକ୍ରିୟା ସମ୍ପନ୍ନ ହେବାର ସମ୍ଭାବନା ରହିଛି।

ପୂର୍ବରୁ ରେଳ ବଜେଟ୍ ଅଲଗା ଉପସ୍ଥାପନ କରାଯାଉଥିଲା, କିନ୍ତୁ ଏବେ ରେଳ ବଜେଟ ମଧ୍ୟ ସାଧାରଣ ବଜେଟ ସହ ଏକ ସଙ୍ଗେ ଉପସ୍ଥାପିତ ହେଉଛି।

ଇତିହାସ ଉପରେ ନଜର ପକାଇଲେ ପୂର୍ବରୁ ବଜେଟ ଉପସ୍ଥାପନ ସନ୍ଧ୍ୟା ସମୟରେ ହେଉଥିଲା। ୧୯୯୯ ମସିହା ପୂର୍ବରୁ ସନ୍ଧ୍ୟା ୫ଟାରେ ବଜେଟ୍ ଉପସ୍ଥାପନ ହେଉଥିଲା। ୧୯୯୯ରେ ପ୍ରଥମ ଥର ପାଇଁ ତତ୍କାଳୀନ ଅର୍ଥମନ୍ତ୍ରୀ ୟଶୱନ୍ତ ସିହ୍ନା ଏହି ପରମ୍ପରାକୁ ଭଙ୍ଗ କରି ପୂର୍ବାହ୍ନ ୧୧ଟା ସମୟରେ କରିଥିଲେ। ବଜେଟର ଗୋଟିଏ ଦିନ ପୂର୍ବରୁ ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେଉଥିଲା କିନ୍ତୁ ଚଳିତ ବର୍ଷ ଅନ୍ତରୀଣ ବଜେଟ କାରଣରୁ ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପନ  କରାଯାଇନାହିଁ। ମୋଦି ସରକାରଙ୍କ ଏହି ବଜେଟ ଉପରେ ଲୋକଙ୍କ ନଜର ରହିଛି।

Comment