ଓଡ଼ିଶାଲାଇଭ୍‌ ବିଜିନେସ୍ ବ୍ୟୁରୋ

  • ଛୋଟ ଓ ନାମମାତ୍ର ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା
  • ଚାଷୀଙ୍କୁ ୫ ପ୍ରତିଶତର ସୁଧ ରିହାତି
  • ମତ୍ସ୍ୟ ଓ ପଶୁପାଳନ ଲାଗି ୨ ପ୍ରତିଶତ ସୁଧ ରିହାତି
  • ରାଷ୍ଟ୍ରୀୟ ଗୋକୁଳ ମିଶନ ପାଇଁ ୭୫୦ କୋଟି
  • ବ୍ୟକ୍ତିଗତ ଆୟକର ଛାଡ଼ ସୀମା ୫ ଲକ୍ଷକୁ ବୃଦ୍ଧି
  • ରେଳବାଇ ପାଇଁ ୧ ଲକ୍ଷ ୫୮ ହଜାର କୋଟି
  • ଶ୍ରମିକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନଧନ ଯୋଜନା
  • ୬୦ ବର୍ଷ ପରେ ଶ୍ରମିକଙ୍କୁ ୩ ହଜାର ଟଙ୍କା ମାସିକ ପେନ୍‌ସନ୍
  • ନିର୍ମାଣ ହେବ ୧ ଲକ୍ଷ ଡିଜିଟାଲ ଗାଁ

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମଧ୍ୟବର୍ତ୍ତିକାଳୀନ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ। ମୋଟ ୨୭ ଲକ୍ଷ ୮୪ ହଜାର ୨୦୦ କୋଟି ଟଙ୍କାର ବଜେଟ ଘୋଷଣା କରିଛନ୍ତି ପୀୟୁଷ।

ଏହି ବଜେଟରେ କୃଷକ, ଶ୍ରମିକ, କରଦାତାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ବିଶେଷକରି ଗ୍ରାମାଞ୍ଚଳ ଉପରେ ମଧ୍ୟ ମୋଦି ସରକାର ଫୋକସ୍ କରିଛନ୍ତି।

ଆଗକୁ ନିର୍ବାଚନ ଆସୁଥିବାରୁ କୃଷକ, ଶ୍ରମିକ, ମଧ୍ୟମର୍ଗ ଏବଂ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର।

ବଜେଟରେ ଚାଷୀଙ୍କୁ ଗୁରୁତ୍ୱ, ମିଳିବ ବାର୍ଷିକ ୬ ହଜାର ଟଙ୍କାର ସହାୟତା

ସାରା ଦେଶରେ ଚାଷୀଙ୍କୁ ନେଇ ରାଜନୀତି ଜୋର୍ ଧରିଛି। ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନରେ କଂଗ୍ରେସ ସରକାର କ୍ଷମତାକୁ ଆସିବା ପରେ ଏଠାରେ କୃଷିଋଣ ଛାଡ଼ କରି କଂଗ୍ରେସ ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଛି। ଏହାସହ ରାହୁଲ ଯୁଆଡ଼େ ଯାଉଛନ୍ତି ସେଠି ଚାଷୀଙ୍କ ଉପରେ ଫୋକସ୍ କରୁଛନ୍ତି।

ଏହାକୁ ଦୃଷ୍ଟିରେ ରଖି ଏବଂ ୨୦୧୯ ନିର୍ବାଚନରେ ଚାଷୀଙ୍କ ଭୋଟ ପାଇବା ପାଇଁ ଚଳିତ ବଜେଟ୍‌ରେ ଚାଷୀଙ୍କୁ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର। ଚାଷୀମାନଙ୍କୁ ସର୍ବନିମ୍ନ ଆୟ ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବା ପ୍ରଧାନମନ୍ତ୍ରି କିଷାନ ଯୋଜନା ଘୋଷଣା କରାଯାଇଛି।

ଏହି ଯୋଜନା ଅଧିନରେ ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଛୋଟ ଓ ନାମମାତ୍ର ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ତିନୋଟି କିସ୍ତିରେ ୨ ହଜାର ଟଙ୍କା କରି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ଏଥିପାଇଁ କେନ୍ଦ୍ର ସରକାର ୭୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

ଏହି ଯୋଜନା ୨୦୧୮ ଡିସେମ୍ବର ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଏଥିଲାଗି ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ଅତିରିକ୍ତ ୨୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯିବ। ଏହି ଯୋଜନାରେ ଦେଶର ୧୨ କୋଟି ଛୋଟ ଚାଷୀଙ୍କୁ ସିଧାସଳଖ ଲାଭ ମିଳିବ।

ଚାଷୀଙ୍କୁ ସୁଧ ରିହାତି

ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ବଜେଟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।  ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଯେ ଚାଷୀମାନଙ୍କ ପାଇଁ ରିହାତି ହସ୍ତକ୍ଷେପ ଯୋଜନା ଅଧୀନରେ ସୁଧ ରିହାତି ୨ ଗୁଣ କରାଯିବ।

ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳର ଚାଷୀମାନଙ୍କୁ ବଡ଼ ଧରଣର ସୁଧ ରିହାତି ମିଳିବ। ସୁଧ ହସ୍ତକ୍ଷେପ ଯୋଜନାରେ ଦୁଇ ପ୍ରତିଶତ ଏବଂ ଠିକ୍ ସମୟରେ ଋଣ ପରିଶୋଧ କରିଥିବା ଚାଷୀଙ୍କୁ ଆଉ ତିନି ପ୍ରତିଶତ ଏହିପରି ମୋଟ ୫ ପ୍ରତିଶତ ସୁଧ ରିହାତି ମିଳିବ।

ଇତିମଧ୍ୟରେ କେନ୍ଦ୍ର ସରକାର ୨୨ଟି ପ୍ରମୁଖ ଫସଲ ଉପରେ ଉତ୍ପାଦନ ଖର୍ଚ୍ଚକୁ ସମର୍ଥନ ଦେଇଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ କୃଷିଋଣ ପରିମାଣ ଧାର୍ଯ୍ୟ ଲକ୍ଷ୍ୟଠାରୁ ବୃଦ୍ଧି ପାଇ ୧୧.୬୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ।

ମତ୍ସ୍ୟ ଓ ପଶୁପାଳନ ଉଦ୍ୟୋଗକୁ ପ୍ରୋତ୍ସାହନ

ଚାଷୀମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଚଳିତ ବଜେଟରେ ମତ୍ସ୍ୟ ଓ ପଶୁପାଳନ ଉଦ୍ୟୋଗକୁ ଅଧିକ ପ୍ରୋତ୍ସାହନ ଦିଆଯାଇଛି। ଦେଶରେ ପ୍ରଥମ ଥର ପାଇଁ ମତ୍ସ୍ୟଚାଷ ବିଭାଗ ଗଠନ କରିବା ପାଇଁ ଅର୍ଥମନ୍ତ୍ରୀ ଏକ ପ୍ରସ୍ତାବ ଘୋଷଣା କରିଛନ୍ତି। ମତ୍ସ୍ୟ ଓ ପଶୁପାଳନ ଲାଗି ଚାଷୀଙ୍କୁ ୨ ପ୍ରତିଶତ ସୁଧ ରିହାତି ଦେବାକୁ ଘୋଷଣା କରାଯାଇଛି।

ରାଷ୍ଟ୍ରୀୟ ଗୋକୁଳ ମିଶନ ଲାଗି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୭୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଦେଶୀୟ ପ୍ରଜାତିର ଗାଈ ସଂରକ୍ଷଣ ଲାଗି ରାଷ୍ଟ୍ରୀୟ କାମଧେନୁ ଆୟୋଗ ଗଠନ ପାଇଁ ଘୋଷଣା କରାଯାଇଛି।

ମଧ୍ୟମ ବର୍ଗଙ୍କୁ ବଡ଼ ଉପହାର – ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକରଛାଡ଼

ସାଧାରଣ ନିର୍ବାଚନରେ ମଧ୍ୟମବର୍ଗର ଭୋଟରମାନଙ୍କର ବଡ଼ ଭୂମିକା ରହିଥାଏ। ଏହି ବର୍ଗର ଭୋଟରଙ୍କ ପାଇଁ ମଧ୍ୟବର୍ତ୍ତିକାଳୀନ ବଜେଟରେ ବଡ଼ ବ୍ୟବସ୍ଥା କରାଯାଇଛି।

କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ବ୍ୟକ୍ତିଗତ ଆୟକର ଛାଡ଼ ସୀମା ବାର୍ଷିକ ଅଢେଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହାସହ ଷ୍ଟାଣ୍ଡାର୍ଡ ଡିଡକ୍ସନ ପରିମାଣ ୪୦ ହଜାରରୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ବ୍ୟାଙ୍କ ଓ ପୋଷ୍ଟ ଅଫିସ ସଂଚୟ ଜମା ରାଶିରେ ମିଳୁଥିବା ସୁଧ ଉପରେ ଟିଡିଏସ୍ ରିହାତି ପରିମାଣ ୧୦ ହଜାରରୁ ୪୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

୨ ଲକ୍ଷ ୪୦ ହଜାରକୁ ବୃଦ୍ଧି ପାଇଲା ଘର ଭଡ଼ା ଟିଡିଏସ୍‌

ଘର ଭଡ଼ା ଉପରେ ଟିଡିଏସ୍ ପରିମାଣ ୧ ଲକ୍ଷ ୮୦ ହଜାରରୁ ୨ ଲକ୍ଷ ୪୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଅବସର ନେଉଥିବା କର୍ମଚାରୀମାନଙ୍କ ପାଇଁ ଗ୍ରାଚ୍ୟୁଇଟି ସୀମା ୧୦ ଲକ୍ଷରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହାଦ୍ୱାରା ପ୍ରାୟ ୩ କୋଟି ମଧ୍ୟବିତ୍ତ କରଦାତା ଲାଭ ପାଇବେ ଏବଂ ଏଥିଲାଗି କେନ୍ଦ୍ର ସରକାରଙ୍କ ଉପରେ ୨୩ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ।

ରେଳବାଇ ପାଇଁ ୧ ଲକ୍ଷ ୫୮ ହଜାର କୋଟି

୨୦୧୯-୨୦ ମଧ୍ୟବର୍ତ୍ତିକାଳୀନ ବଜେଟରେ ରେଳବାଇର ବିକାଶ ପାଇଁ  ମୋଟ  ୧ ଲକ୍ଷ ୫୮ ହଜାର କୋଟି ଟଙ୍କାର ବଜେଟ ବ୍ୟୟବରାଦ କରାଯାଇଛି। ସେଥିମଧ୍ୟରୁ କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୬୪ ହଜାର ୫୮୭ କୋଟି ଟଙ୍କାର ବଜେଟ୍ ସହାୟତା ଦେବେ। ଦିଲ୍ଲୀରୁ ବାରଣାସୀ ମଧ୍ୟରେ ଦେଶର ଅତ୍ୟାଧୁନିକ ଦ୍ରୁତଗାମୀ ଟ୍ରେନ୍ -୧୮ ଚଳାଚଳ କରିବ। ଏହି ଟ୍ରେନର ନାମ ରଖାଯାଇଛି ‘ବନ୍ଦେ ଭାରତ ଏକ୍ସପ୍ରେସ୍’।

ପ୍ରତିରକ୍ଷା, ମନରେଗା, ଶିକ୍ଷାକୁ ଗୁରୁତ୍ୱ

ଚଳିତ ବଜେଟ୍‌ରେ ପ୍ରତିରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ। ୨୦୧୯-୨୦ ଆର୍ଥିକ ବର୍ଷରେ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରାଯାଇଛି।

ସେହିପରି ମନରେଗା ପାଇଁ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବାର ପ୍ରସ୍ତାବ ରହିଛି। ରାଷ୍ଟ୍ରୀୟ ଶିକ୍ଷା ମିଶନ ଅଧୀନରେ ୨୦୧୯-୨୦ ବର୍ଷ ଲାଗି ୩, ୫୭୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହା ଗତ ବର୍ଷ ଅପେକ୍ଷା ୨୦ ପ୍ରତିଶତ ଅଧିକ। ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନରେ ବ୍ୟୟବରାଦ ଗତବର୍ଷ ତୁଳନାରେ ୧୮ ପ୍ରତିଶତ ବୃଦ୍ଧି ପାଇ ୨୭, ୫୮୪ କୋଟି ଟଙ୍କାରେ ଧାର୍ଯ୍ୟ କରାଯାଇଛି।

ତଫସିଲଭୁକ୍ତ ଜାତି, ଜନଜାତିଙ୍କୁ ଫୋକସ୍‌

ବଜେଟରେ ତଫସିଲଭୁକ୍ତ ଜାତି ଏବଂ ଜନଜାତିଙ୍କ କଲ୍ୟାଣ ନିମନ୍ତେ ୭୬,୮୦୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହା ଗତ ଆର୍ଥିକ ବର୍ଷଠାରୁ ୩୫.୬ ପ୍ରତିଶତ ଅଧିକ। ସେହିପରି ତଫସିଲଭୁକ୍ତ ଜନଜାତି ବର୍ଗର କଲ୍ୟାଣ ଲାଗି ବଜେଟ୍ ପରିମାଣ ୫୦,୦୮୬ କୋଟି ଟଙ୍କା ଧାର୍ଯ୍ୟ ହୋଇଛି। ଏହା ୨୦୧୮-୧୯ ବର୍ଷର ବଜେଟରୁ ୨୮ ପ୍ରତିଶତ ଅଧିକ।

ଗ୍ରାମାଞ୍ଚଳକୁ ଫୋକସ୍ କଲେ ମୋଦି ସରକାର

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦି ସରକାର ୨୦୧୯-୨୦ ମଧ୍ୟବର୍ତ୍ତିକାଳୀନ ବଜେଟରେ ଗ୍ରାମାଞ୍ଚଳ ଉପରେ ଫୋକସ୍ କରିଛନ୍ତି।

ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ କହିଥିଲେ, “ଦେଶର ଗ୍ରାମାଞ୍ଚଳରେ ୯୮ ପ୍ରତିଶତ ଅଞ୍ଚଳରେ ପରିମଳ ବ୍ୟବସ୍ଥା ପହଞ୍ଚି ପାରିଛି। ୫.୪୫ ଲକ୍ଷ ଗ୍ରାମକୁ ଖୋଲା ଶୌଚମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି। ମୋଟ ୧୭ ଲକ୍ଷ ଜନବସତି ମଧ୍ୟରୁ ୧୫ ଲକ୍ଷ ବସତିକୁ ପକ୍କା ରାସ୍ତା ନିର୍ମାଣ ହୋଇଛି। ସବୁ ଗାଁକୁ ଏବେ ବସ୍ ଯାତାୟତ କରୁଛି। ଏଥିଲାଗି ୨୦୧୯-୨୦ ଆର୍ଥିକ ବର୍ଷରେ ୧୯ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।”

ଅର୍ଥମନ୍ତ୍ରୀ ଆହୁରି କହିଥିଲେ ଯେ ଦେଶରେ ଦୈନିକ ୨୭ କିଲୋମିଟର ସଡ଼କ ନିର୍ମାଣ କରାଯାଉଛି। ଗତ ୫ ବର୍ଷ ମଧ୍ୟରେ ୧.୫୩ କୋଟି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କରାଯାଇଛି। ଗତ ସାଢେ ୪ ବର୍ଷରୁ ଅଧିକ ସମୟ ମଧ୍ୟରେ ଦେଶରେ ୧୪୩ କୋଟି ଏଲ୍ଇଡି ବଲ୍‌ବ ବିତରଣ କରାଯାଇଛି। ଫଳରେ ୫୦ ହଜାର କୋଟି ଟଙ୍କା ବିଦ୍ୟୁତ ବିଲ୍ ବାବଦରେ ଲୋକମାନେ ସଂଚୟ କରିପାରିଛନ୍ତି। ଆସନ୍ତା ମାର୍ଚ୍ଚ ୨୦୧୯ ସୁଦ୍ଧା ସବୁ ଆଗ୍ରହୀ ଘରକୁ ବିଜୁଳି ଯୋଗାଇ ଦିଆଯିବ।

ଶ୍ରମିକ କାର୍ଡ ଖେଳିଲେ ମୋଦି ସରକାର

ଶ୍ରମିକମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୋଦି ସରକାର। ବଜେଟ୍ ଆଗତ ବେଳେ ଶ୍ରମିକମାନଙ୍କ ପାଇଁ ବିଶ୍ୱର ସର୍ବବୃହତ ପେନ୍‌ସନ୍‌ ଯୋଜନା ଆରମ୍ଭ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଯୋଜନାର ନାମ ରଖାଯାଇଛି – ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନଧନ ଯୋଜନା।

ପ୍ରସ୍ତାବିତ ଯୋଜନା ଆଧାରରେ ଜଣେ ଶ୍ରମିକ ମାସକୁ ୧୦୦ ଟଙ୍କା ଜମା କରିବେ। ୬୦ ବର୍ଷ ପରେ ତାଙ୍କୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ପେନ୍‌ସନ୍ ମିଳିବ। ଏହି ଯୋଜନା ଚଳିତ ୨୦୧୮-୧୯ ଆର୍ଥିକ ବର୍ଷରୁ ପାଇଲଟ୍ ଭିତ୍ତିରେ ଲାଗୁ କରାଯିବ। ବଜେଟରେ ଏଥିପାଇଁ ୫୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟବସ୍ଥା କରାଯାଇଛି।

ବର୍ଷ ଶେଷ ସୁଦ୍ଧା ୮ କୋଟି ହିତାଧିକାରୀଙ୍କୁ ଏଲ୍‌ପିଜି

ଉଜ୍ଜଳା ଯୋଜନା ସଂପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ ଆସନ୍ତା ବର୍ଷ ସୁଦ୍ଧା ଦେଶରେ ୮ କୋଟି ଗରିବ ମହିଳାଙ୍କୁ ଏଲ୍‌ପିଜି ସଂଯୋଗ ଯୋଗାଇ ଦିଆଯିବ। ପ୍ରତି ଗରିବ ଘରକୁ ସ୍ୱଚ୍ଛ ଇନ୍ଧନ ଯୋଗାଇବା ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ଦ୍ୱାରା ବର୍ତ୍ତମାନ ସୁଦ୍ଧା ୬ କୋଟି ବିପିଏଲ୍ ମହିଳାଙ୍କୁ ଏଲ୍‌ପିଜି ସଂଯୋଗ ପ୍ରଦାନ କରାଯାଇଛି।

ନିର୍ମାଣ ହେବ ୧ ଲକ୍ଷ ଡିଜିଟାଲ ଗାଁ

ଡିଜିଟାଲ ଇଣ୍ଡିଆକୁ ବଜେଟରେ ଦିଆଯାଇଛି ଗୁରୁତ୍ୱ। ଗତ ସାଢେ ଚାରିବର୍ଷ ମଧ୍ୟରେ ମୋବାଇଲ ନିର୍ମାତାଙ୍କ ସଂଖ୍ୟା ୨ରୁ ୨୬୮କୁ ବୃଦ୍ଧି ପାଇଛି। ଏବେ କେନ୍ଦ୍ର ସରକାର ୧ ଲକ୍ଷ ଡିଜିଟାଲ ଗ୍ରାମ ନିର୍ମାଣର ପ୍ରସ୍ତାବ ରଖିଛନ୍ତି। କୃତ୍ରିମ ବୌଦ୍ଧିକତା କ୍ଷେତ୍ରର ବିକାଶ ଲାଗି ୯ଟି ପ୍ରମୁଖ କ୍ଷେତ୍ର ବଛାଯାଇଛି ଏବଂ ଏଥିଲାଗି ଏକ ଜାତୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଦେଶର ୧ କୋଟି ଯୁବକଙ୍କୁ କୌଶଳ ବିକାଶ କାର୍ଯ୍ୟକ୍ରମ ଅଧୀନରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ସେମାନେ ଆତ୍ମନିଯୁକ୍ତିର ସୁବିଧା ପାଇବେ ଏବଂ ଅନ୍ୟ ଲାଗି ନିଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟି କରିପାରିବେ।

“ବିମୁଦ୍ରାକରଣ ପରେ ଦେଶରେ ୩.୩୮ ଲକ୍ଷ ଜାଲ୍ ଓ ନକଲି କମ୍ପାନିର ପଞ୍ଜିକରଣ ରବ୍ଦ କରାଯାଇଛି। ୧.୩ କୋଟି ଲୋକ ଆୟକର ନେଟର୍କ  ମଧ୍ୟକୁ ଆସିଛନ୍ତି । ବିଭିନ୍ନ ଉପାୟରେ ୫୦ ହଜାର କୋଟି ଟଙ୍କାର କଳାଧନ ଜବତ କରାଯାଇଛି।  ଭାରତ ଏବେ ୫ ଟ୍ରିଲିୟନ ଅର୍ଥ ବ୍ୟବସ୍ଥା ଆଡକୁ ଅଗ୍ରସର ହେଉଛି। ଅପରପକ୍ଷରେ ୩୬ଟି ମହତ୍ୱପୂର୍ଣ୍ଣ ସାମଗ୍ରୀ ଉପରୁ ସୀମାଶୁଳ୍କ ସଂପୂର୍ଣ୍ଣରୂପେ ପ୍ରତ୍ୟାହାର କରାଯାଇଛି। ଏହା ଅର୍ଥ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବ। ଆଗାମୀ ୮ ବର୍ଷ ମଧ୍ୟରେ ଆମ ଦେଶ ୧୦ ଟ୍ରିଲିୟନ ଡଲାରର ଅର୍ଥ ବ୍ୟବସ୍ଥା ହୋଇପାରିବ”, କହିଥିଲେ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ।

Comment