ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ  


କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ସଂସଦରେ ଆଜି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ମୋଟ ୨୭ ଲକ୍ଷ ୮୪ ହଜାର ୨୦୦ କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ।

ଏହି ବଜେଟ୍‌ ବିଜେପି ମହଲରେ ସ୍ୱାଗତ କରାଯାଇଥିବା ବେଳେ ବିରୋଧୀ ସମାଲୋଚନା କରି ନିର୍ବାଚନମୁଖି ବଜେଟ ବୋଲି କହିଛନ୍ତି। ଏ ସମ୍ପର୍କରେ ଓଡ଼ିଶାର ତିନି ପ୍ରମୁଖ ଦଳର ସଭାପତି ନବୀନ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ଏବଂ ବସନ୍ତ ପଣ୍ଡା ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।

ବଜେଟ୍‌କୁ ଅଢ଼େଇ ମାର୍କ ଦେଲେ ନବୀନ

୨୦୧୯ ବଜେଟରେ ମଧ୍ୟମ ବର୍ଗପାଇଁ ବ୍ୟକ୍ତିଗତ ଆୟକର ଛାଡ଼ ସୀମା ବୃଦ୍ଧିକୁ ପସନ୍ଦ କରିଛନ୍ତି ନବୀନ। କୃଷକଙ୍କ ପାଇଁ ‘କାଳିଆ’ ଯୋଜନା ଭଳି ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ପଇସା ଯିବା ବ୍ୟବସ୍ଥାକୁ ସ୍ୱାଗତ କରିଥିବା ବେଳେ ଚାଷୀଙ୍କ  ସହାୟତା ରାଶିକୁ ୬ ହଜାରରୁ ୧୦ ହଜାର ଟଙ୍କା କରିବା ଦରକାର ଥିଲା ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

ଚଳିତ ବଜେଟରେ ବାର୍ଦ୍ଧକ୍ୟ ଭତ୍ତା ତଥା ଅନ୍ୟ ଭତ୍ତା ବାବଦରେ କେନ୍ଦ୍ର ସରକାର କୌଣସି ପରିବର୍ତ୍ତନ କରିନାହାନ୍ତି। ଏହାକୁ ନୈରାଶ୍ୟଜନକ ବୋଲି କହିଛନ୍ତି ନବୀନ। ବଜେଟରେ ତଫସିଲଭୁକ୍ତ ଜାତି ଏବଂ ଜନଜାତିଙ୍କ କଲ୍ୟାଣ ନିମନ୍ତେ ଯଥେଷ୍ଟ ବ୍ୟୟବରାଦ କରାଯାଇନାହିଁ ବୋଲି ମଧ୍ୟ ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ।

ଗ୍ରାମାଞ୍ଚଳରେ ଗୃହ ନିର୍ମାଣ, ଯୋଗାଯୋଗ ଓ ପାନୀୟ ଜଳ ପାଇଁ ବଜେଟରେ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ୨୦୧୫ ରୁ ୨୦୨୦ ମଧ୍ୟରେ ରାଜ୍ୟକୁ ୧ ଲକ୍ଷ ୮୪ ହଜାର ୭୦ କୋଟି ଟଙ୍କା ମିଳିବା କଥା। ତେବେ ୨୦୧୫ ରୁ ୨୦୧୮ ମଧ୍ୟରେ ରାଜ୍ୟକୁ ମିଳିଥିବା ଅର୍ଥ ଓ ୨୦୧୮-୧୯ର ରିଭାଇଜଡ ଏଷ୍ଟିମେଟ ଏବଂ ୨୦୧୯-୨୦ର ଅନୁଦାନକୁ ମିଶାଇଲେ ରାଜ୍ୟକୁ ମିଳୁଛି ୧ ଲକ୍ଷ ୫୭ ହଜାର ୮୨୮ କୋଟି। ଯଦି ଏହାକୁ ହିସାବ କରାଯାଏ ତେବେ ଓଡ଼ିଶା୨୬ ହଜାର ୩୪୨ କୋଟି ଟଙ୍କାର କ୍ଷତି ସହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ତେଣୁ ଚଳିତ ବଜେଟକୁ ନୈରାଶ୍ୟଜନକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଏହି ବଜେଟକୁ ୧୦ରୁ ଅଢ଼େଇ ମାର୍କ ଦେଇଛନ୍ତି ସେ।

ଯୁବକ ହତାଶ, ଚାଷୀଙ୍କୁ ଅପମାନ: ନିରଞ୍ଜନ

କେନ୍ଦ୍ର ବଜେଟକୁ ନୈରାଶ୍ୟଜନକ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି ଯେ ଯୁବକମାନଙ୍କ ପାଇଁ ବଜେଟରେ କିଛି ବ୍ୟବସ୍ଥା କରାଯାଇ ନାହିଁ। ଚାଷୀଙ୍କୁ ଅପମାନିତ କରାଯାଇଛି।

“ଶାସନକୁ ଆସିବା ପୂର୍ବରୁ କେନ୍ଦ୍ରର ବିଜେପି ସରକାର ଚାଷୀଙ୍କୁ ବହୁ ପ୍ରତିଶ୍ରୁତି ଦେଇଥିଲେ। ଏବେ ଚାଷୀଙ୍କୁ ଦିନକୁ ୧୭ ଟଙ୍କା ଦେଇ ଖୁସି କରିବାକୁ ଚାହୁଁଛନ୍ତି। ଆୟକର ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବାରୁ ମଧ୍ୟମ ବର୍ଗର ଲୋକ କିଛିଟା ଆଶ୍ୱସ୍ତ ପାଇବେ। କିନ୍ତୁ ଯୁବକମାନଙ୍କୁ ବଜେଟରେ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି”, କହିଛନ୍ତି ନିରଞ୍ଜନ।

ଯୁଗାନ୍ତକାରୀ ବଜେଟ: ବସନ୍ତ ପଣ୍ଡା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଆଣିଥିବା ବଜେଟକୁ ଯୁଗାନ୍ତକାରୀ କହିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା।

ସେ କହିଛନ୍ତି, “ବଜେଟ ସବୁ ବର୍ଗକୁ ସୁହାଇଲା ଭଳି ହୋଇଛି। ମଧ୍ୟବିତ୍ତ, ଶ୍ରମିକ ଏବଂ କୃଷକମାନଙ୍କୁ ବଜେଟରେ ପ୍ରାଧାନ୍ୟ ଦିଆଯାଇଛି। ଆୟକର ଛାଡ଼ ପରିମାଣ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିବାରୁ ୩ କୋଟି ମଧ୍ୟବିତ୍ତ ପରିବାର ଏଥିରେ ଉପକୃତ ହୋଇପାରିବେ। ଶ୍ରମିକ, ଚାଷୀ, ଗୋସମ୍ପଦ, ମତ୍ସ୍ୟ ଚାଷୀଙ୍କୁ ବଜେଟରେ ଗୁରୁତ୍ୱ ଦିଆଯାଇଛି।

Comment