ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନବୀନଙ୍କ କାଳିଆ ଯୋଜନା ପରେ ମୋଦି ସରକାରଙ୍କ ‘ପ୍ରଧାନମନ୍ତ୍ରୀ କିଷାନ ଯୋଜନା’

ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ଶୁକ୍ରବାର ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଉପସ୍ଥାପନ କରିଛନ୍ତି ବଜେଟ। ବଜେଟରେ ବିଶେଷତଃ କୃଷି, ଶ୍ରମିକ ଓ ମଧ୍ୟବିତ୍ତ ପରିବାରକୁ ଗୁରୁତ୍ୱ ଦିଆଯାଇଛି।

ବଜେଟରେ ଚାଷୀଙ୍କୁ ଖୁସି କରିବା ଲାଗି କେନ୍ଦ୍ର ସରକାର ଚେଷ୍ଟା କରିଛନ୍ତି। ଚାଷୀଙ୍କ ଲାଗି ନବୀନ ସରକାରଙ୍କ ‘କାଳିଆ’ ଯୋଜନା ପରି, ‘ପ୍ରଧାନମନ୍ତ୍ରୀ କିଷାନ ଯୋଜନା’ ଆରମ୍ଭ କରିଛନ୍ତି ମୋଦି ସରକାର।

ଆଗକୁ ନିର୍ବାଚନ ଆସୁଥିବାରୁ କେନ୍ଦ୍ର ସରକାର ସବୁ ଦିଗକୁ ଦୃଷ୍ଟିରେ ରଖି ବଜେଟ ଉପସ୍ଥାପନ କରିଛନ୍ତି।  ‘ପ୍ରଧାନମନ୍ତ୍ରୀ କିଷାନ ଯୋଜନା’ ମାଧ୍ୟମରେ ଚାଷୀଙ୍କ ସର୍ବନିମ୍ନ ଆୟକୁ ସୁନିଶ୍ଚିତ କରାଯାଇଛି।

ଦୁଇ ହେକ୍ଟର ପର୍ଯ୍ୟନ୍ତ ଜମିଥିବା ଚାଷୀଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ଦିଆଯିବ। ଏହା ତିନିଟି କିସ୍ତିରେ ଚାଷୀଙ୍କ ଆକାଉଣ୍ଟଙ୍କୁ ସିଧାସଳଖ ଯିବ। ଏହା ମାଧ୍ୟମରେ ଦେଶର ୧୨କୋଟି ଚାଷୀ ଉପକୃତ ହୋଇପାରି ବେ। ଏହି ଯୋଜାନାର ଲାଭ ଚାଷୀମାନେ ଡିସେମ୍ବରରୁ ପିଛିଲା ଭାବେ ପାଇପାରିବେ।

କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ କିଷାନ ଯୋଜନା’ ପୂର୍ବରୁ ରାଜ୍ୟରେ ‘କାଳିଆ’ ଯୋଜନାରେ ଚାଷୀମାନେ ଉପକୃତ ହୋଇସାରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଇଛି। ପାଖାପାଖି ୩୦ ଲକ୍ଷରୁ ଅଧିକ ନାମମାତ୍ର ଓ କ୍ଷୁଦ୍ର ଚାଷୀ ଏହି ଯୋଜନାରୁ ଲାଭ ପାଇପାରିବେ।

ନିକଟରେ ବିଜେପି ଶାସିତ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଭଳି ରାଜ୍ୟରେ କଂଗ୍ରେସ ଶାସନକୁ ଫେରିଛି। କଂଗ୍ରେସ ଉକ୍ତ ୩ଟି ରାଜ୍ୟରେ କ୍ଷମତା ହାସଲ କରିବାର କାରଣରେ ଚର୍ଚ୍ଚା ହୁଏ କି ନିର୍ବାଚନୀ ଇସ୍ତାହାରରେ କୃଷକଙ୍କ କାର୍ଡ ଖେଳିବା। ଏସବୁ ଯାହା ବି ହେଉ କଂଗ୍ରେସ, ଉକ୍ତ ରାଜ୍ୟରେ ଶାସନକୁ ଆସିବା ପରେ କୃଷିଋଣ ଛାଡ କରିଛି।

ଆଗକୁ ନିର୍ବାଚନ ନିକଟରେ ବିଜେପି ଶାସିତ ରାଜ୍ୟରେ ଦଳକୁ ଧକ୍କା ପରେ ଚର୍ଚ୍ଚା ହେଉଛି ମୋଦି ସରକାର କୃଷକ କାର୍ଡ ଖେଳିଛନ୍ତି। ଏହା ସହିତ ଆଉ ଏକ ଚର୍ଚ୍ଚା ବି ହେଉଛି କି ନବୀନ ସରକାରଙ୍କ କାଳିଆ ଯୋଜନାର ଲୋକପ୍ରିୟତାକୁ ଦେଖି କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଘୋଷଣା’ କରିଛନ୍ତି।

Comment