ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲଙ୍କ ବଜେଟରେ ଆଇନ ମନ୍ତ୍ରାଳୟ ପାଇଁ ୬୬୬.୬୬ କୋଟି ଟଙ୍କା ଅଧିକ ବ୍ୟୟବରାଦ କରାଯାଇଛି। ଏହି ଟଙ୍କା ଲୋକସଭା ନିର୍ବାଚନ ପାଇଁ ଖର୍ଚ୍ଚ ହେବ। ନିର୍ବାଚନ କମିଶନର ପ୍ରଶାସନିକ ମନ୍ତ୍ରାଳୟ ହେଉଛି ଆଇନ ବିଭାଗ। ଏହି କାରଣରୁ ସେହି ମନ୍ତ୍ରାଳୟ ପାଇଁ ଅଧିକ ଅର୍ଥ ଦିଆଯାଇଛି।

ଏହାଛଡ଼ା ଗୃହ ମନ୍ତ୍ରାଳୟ ପାଇଁ ମଧ୍ୟ କିଛି ଅର୍ଥ ବରାଦ କରାଯାଇଥାଏ। ଏହା ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ ଖର୍ଚ୍ଚ ହୋଇଥାଏ। ଲୋକସଭା ନିର୍ବାଚନ ଦେଶର  ଏକ ବଡ଼ କସରତ ଓ ଏଥିରେ ହଜାର ହଜାର ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥାଏ।
ଚଳିତ ଲୋକସଭାର କାର୍ଯ୍ୟକାଳ ଜୁନ ୩ରେ ଶେଷ ହେବ। ଏହି ତାରିଖ ପୂର୍ବରୁ ନୂଆ ଲୋକସଭା ଗଠନ ହେବା ଜରୁରୀ। ଆଶା କରାଯାଉଛି ନିର୍ବାଚନ କମିଶନ ଗତ ନିର୍ବାଚନରେ ଯାହା ହୋଇଥିଲା ତାହାକୁ ହିଁ ମୋଟାମୋଟି ପାଳନ କରିବ। ଏ ବର୍ଷ ଲୋକସଭା ନିର୍ବାଚନ ସହିତ ଓଡ଼ିଶା, ଅରୁଣାଚଳ ପ୍ରଦେଶ, ସିକିମ ଓ ଆନ୍ଧ୍ର ପ୍ରଦେଶରେ ବିଧାନସଭା ନିର୍ବାଚନ କରାଯିବ।

ଜାମ୍ମୁ କାଶ୍ମୀର ବିଧାନସଭାକୁ ନିର୍ଦ୍ଧାରିତ ସମୟ ଆଗରୁ ଭାଙ୍ଗି ଦିଆଯାଇଥିଲା। ସେଠି ୬ ମାସ ମଧ୍ୟରେ ନିର୍ବାଚନ କରାଯିବା ଆବଶ୍ୟକ। ନଭେମ୍ବର ୧୮ ତାରିଖରେ କାଶ୍ମୀର ବିଧାନସଭା ଭାଙ୍ଗିଦିଆଯାଇଥିଲା।

ଏଣୁ ମେ ମାସ ସୁଦ୍ଧା ନୂଆ ବିଧାନସଭା ଗଠନ ଜରୁରୀ। ଲୋକସଭା ନିର୍ବାଚନ ସହିତ ଜାମ୍ମୁ କାଶ୍ମୀରରେ ମଧ୍ୟ ବିଧାନସଭା ନିର୍ବାଚନ ହୋଇପାରେ। କିନ୍ତୁ ସୁରକ୍ଷା ବ୍ୟବସ୍ଥା ଉପରେ ସବୁ କିଛି ନିର୍ଭର କରିବ। ଓଡ଼ିଶା ବିଧାନସଭାର କାର୍ଯ୍ୟକାଳ ଜୁନ ୧୮ରେ ପୂରୁଛି।

୨୦୧୪ ସାଧାରଣ  ନିର୍ବାଚନ ପାଇଁ ତାରିଖ ଘୋଷଣା ମାର୍ଚ୍ଚ ୫ରେ ହୋଇଥିଲା। ଗତ ଥର ଭୋଟଦାନ ଏପ୍ରିଲ ୭ରେ ଆରମ୍ଭ ହୋଇ ମେ’ ୧୨ରେ ଶେଷ ହୋଇଥିଲା।

Comment