ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭିଣୋଇ ତଥା ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମି ଉଦ୍ୟୋଗପତି ରବର୍ଟ ଭଦ୍ରାଙ୍କୁ ଆଶ୍ୱସ୍ତି ମିଳିଛି। ଟଙ୍କା ହେରଫେର ମାମଲାରେ ଦିଲ୍ଲୀର ପଟିଆଲା କୋର୍ଟ ରବର୍ଟ ଭଦ୍ରାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ଭଦ୍ରାଙ୍କୁ ଆସନ୍ତା ଫେବ୍ରୁଆରି ୧୬ ପର୍ଯ୍ୟନ୍ତ ଗିରଫ ହେବାର ଭୟ ନାହିଁ।
ବେଆଇନ ଟଙ୍କା କାରବାରକୁ ନେଇ ରବର୍ଟ ଭଦ୍ରାଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମାମଲା ରୁଜୁ କରିଥିଲା। ଏହାର ଆଗୁଆ ଜାମିନ ପାଇଁ ଭଦ୍ରା କୋର୍ଟରେ ଆବେଦନ କରିଥିଲେ। ଶନିବାର ଏନେଇ କୋର୍ଟ ଭଦ୍ରାଙ୍କୁ ମଞ୍ଜୁରି ଦେଇଛନ୍ତି। ଏଥିପାଇଁ କୋର୍ଟରେ ୧ ଲକ୍ଷ ଟଙ୍କାର ସିଓରିଟି ଦାଖଲ ଲାଗି କୋର୍ଟ ଭଦ୍ରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ପଚରାଉଚରା ପାଇଁ ଫେବ୍ରୁଆରି ୬ରେ ଇଡି ଆଗରେ ହାଜର ହେବେ ରବର୍ଟ ଭଦ୍ରା।
ସୂଚନାଯୋଗ୍ୟ, ଲଣ୍ଡନରେ ୧.୯ ମିଲିୟନ ପାଉଣ୍ଡର ସମ୍ପତ୍ତି କିଣିଥିଲେ ରବର୍ଟ ଭଦ୍ରା। ଏଥିରେ ବେଆଇନ ଅର୍ଥ କାରବାର ହୋଇଥିବା ନେଇ ଭଦ୍ରାଙ୍କ ନାଁରେ ମାମଲା ରୁଜୁ କରିଥିଲା ଇଡି।