ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଗୋବରୀ ନଦୀର ବିଜୟନଗର ଗାଁ ନିକଟରେ ଥିବା ଫେରିଘାଟରେ ବୁଡ଼ିଗଲା ଡଙ୍ଗା। ଡଙ୍ଗାରେ ଥିବା ୧୭ ଜଣ ଯାତ୍ରୀ ପାଣିରେ ବୁଡ଼ିଯାଇଥିଲେ। ବିଜୟନଗର ଗ୍ରାମବାସୀମାନେ ନଦୀକୁ ଡେଇଁ ବୁଡିଯାଉଥିବା ଲୋକମାନଙ୍କୁ ଉଦ୍ଧାର କରିଥଲେ। ଫଳରେ ମୃତ୍ୟୁ ମୁଖରୁ ଯାତ୍ରୀମାନେ ବର୍ତ୍ତି ଯାଇଛନ୍ତି।

ସୋମବାର ଅପରାହ୍ନରେ ମହାକାଳପଡ଼ା ବ୍ଲକ ଗୋବରୀ ନଦୀର ବିଜୟନଗର ନିକଟରେ ଥିବା ଫେରିଘାଟ ଦେଇ ୧୭ ଜଣ ଲୋକ ମହାକାଳପଡାରୁ ବିଜୟନଗର ଆସୁଥିଲେ। ଡଙ୍ଗାରେ ୬ଟି ମଟରସାଇକେଲ ସହ ୪ଟି ସାଇକେଲ ମଧ୍ୟ ଆସୁଥିଲା। ଡଙ୍ଗାଟି ବିଜୟନଗର ଗାଁର କୂଳରେ ପହଞ୍ଚିବା ବେଳକୁ ଡଙ୍ଗାରେ ବସିଥିବା ଲୋକେ ଏକ ସମୟରେ କୂଳକୁ ଡେଇଁବାକୁ ଲାଗିଥିଲେ।

ଡଙ୍ଗାର ଗୋଟିଏ ପାଖକୁ ଅଧିକ ଲୋକମାନେ ଆସିଯିବାରୁ ଡଙ୍ଗାଟି ଭାରସାମ୍ୟ ହରାଇ କୂଳରେ ବୁଡ଼ି ଯାଇଥିଲା। ଜୁଆରିଆ ଗୋବରୀ ନଦୀରେ ସେତେବେଳେ ଉଚ୍ଚ ଜୁଆର ନଥିଲା। ଫଳରେ କମ୍ ପାଣି ଯୋଗୁ ବୁଡ଼ି ଯାଉଥିବା ଲୋକମାନଙ୍କୁ ଉଦ୍ଧାର କରିବା ସହଜ ହୋଇଥିଲା।

ଏହି ଡଙ୍ଗାରେ ୧୦ ଜଣ ଲୋକ ଯିବାର କ୍ଷମତା ରହିଛି। ହେଲେ ୧୭ ଜଣ ଯାତ୍ରୀ, ୬ଟି ବାଇକ୍‌ ଏବଂ ୪ଟି ସାଇକେଲ ଥିବାରୁ ଡଙ୍ଗାଟି ବୁଡ଼ି ଯାଇଥିଲା। ଅତୀତରେ ଏହି ଫେରି ଘାଟରେ ଡଙ୍ଗାବୁଡ଼ିରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିବାର ନଜିର ରହିଛି।

ଏହି ଡଙ୍ଗା ଘାଟକୁ ଅତୀତରେ ବିଜୟନଗର ପଞ୍ଚାୟତ ନିଲାମ ଦେଉଥିଲା। ଏବେ ଏହି ଫେରିଘାଟ ନିଲାମ ନହେବାରୁ ବିଜୟନଗର ଗାଁର କାର୍ତ୍ତିକ ତରାଇ ନାମକ ଜଣେ ବ୍ୟକ୍ତି ଡଙ୍ଗା ଚଳାଉଥିଲେ।

ଡଙ୍ଗା ଚାଳକ କହିଛନ୍ତି, “ଡଙ୍ଗାରେ ଅଧିକ ଲୋକ ଚଢ଼ୁଥିବା ମୁଁ ବାରଣ କରିଥିଲି। କିନ୍ତୁ ମୋ’ କଥାକୁ ଲୋକେ ଶୁଣି ନଥିଲେ।”

ଏହି ଡଙ୍ଗା ବୁଡି ଘଟଣାରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ମହାକାଳପଡ଼ା ତହସିଲଦାର ଦାୟିତ୍ୱରେ ଥିବା ମହାକାଳପଡା ବିଡିଓ କେବଳ ଘଟଣାସ୍ଥଳ ପରିଦର୍ଶନ କରି ଫେରି ଯାଇଛନ୍ତି।

Comment