ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ହାତବାରିସି ସାଜିଛି ସିବିଆଇ – ଲୋକସଭାରେ ଏହା କହି ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

ନିର୍ବାଚନ ଆସିଲା, ସିବିଆଇ ଫେରିଲା! ଏକଥା ଆମେ କହୁନୁ, ବିଜେପି ବିରୋଧୀ ନେତାମାନଙ୍କ ମୁହଁରୁ ଏହା ଶୁଣିବାକୁ ମିଳୁଛି। ସାଧାରଣ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ସିବିଆଇ ତନାଘନା କରିବାକୁ ନେଇ ବିରୋଧୀ ସିଧା ମୋଦି ସରକାରଙ୍କୁ ଘେରିଛନ୍ତି। ଫଳରେ ମୋଦିଙ୍କ ପାଇଁ ସିବିଆଇ ଅଡୁଆରେ ପଡ଼ିଥିବା ଚର୍ଚ୍ଚା ହେଉଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୧୪ରୁ ସିବିଆଇ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ପ୍ରବେଶ କରିଥିଲା। ଚିଟଫଣ୍ଡ ସ୍କାମର ତଦନ୍ତ କରିବା ପାଇଁ ସିବିଆଇ ଏହି ଦୁଇ ରାଜ୍ୟରେ ପଶିଥିଲା। ହେଲେ ଏହି ଦୁଇ ରାଜ୍ୟରେ ଗତ କିଛିଦିନ ହେଲା ସିବିଆଇ ତଦନ୍ତ ଧିମେଇ ଯାଇଥିଲା। ସାଧାରଣ ନିର୍ବାଚନକୁ ଆଉ ଦୁଇ ମାସ ଥିବାରୁ ସିବିଆଇ ପୁଣି ଚିଟଫଣ୍ଡ ଦୁର୍ନୀତିର ତଦନ୍ତକୁ ଜୋର୍ କରିଛି।

ଏହାକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି ଏବଂ ସିବିଆଇର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଡୁଆରେ ସିବିଆଇ!

୨୦୧୯ ଆରମ୍ଭରୁ ବିବାଦରେ ପଡ଼ିଛି ସିବିଆଇ। ସିବିଆଇର ନମ୍ବର ୱାନ ଅଫିସର ରାକେଶ ଆସ୍ଥାନା ଏବଂ ନମ୍ବର-୨ ଅଫିସର ଆଲୋକ ବର୍ମାଙ୍କ ଭିତରେ ବିବାଦ ଦେଖାଦେଇଥିଲା। ଏହି ବିବାଦ ନାଟକୀୟ ମୋଡ଼ ନେଇଥିଲା। ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଆସ୍ଥାନା ଚାକିରି ହରାଇବା ପରେ ଆଲୋକ ବର୍ମାଙ୍କୁ ୨୦୧୮ ଅକ୍ଟୋବର ୨୩ରେ ଛୁଟିରେ ପଠାଇ ଦେଇଥିଲେ କେନ୍ଦ୍ର ସରକାର।

ଏହାର ପ୍ରତିବାଦରେ ଆଲୋକ ବର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କୁ ସିବିଆଇ ନିର୍ଦ୍ଦେଶକ ଭାବେ ପୁନଃଅବସ୍ଥାପିତ କରାଯାଇଥିଲା।

ପୁନଃଅବସ୍ଥାପିତ ହେବାର ୨୪ ଘଣ୍ଟା ନପୂରୁଣୁ ଆଲୋକ ବର୍ମାଙ୍କୁ ହଟାଇବା ପାଇଁ ଆରମ୍ଭ ହୋଇଯାଇଥିଲା ଯୋଜନା। ଏଥିପାଇଁ ମୋଦିଙ୍କ ବାସଭବନରେ ବସିଥିଲା ହାଇଲେଭଲ କମିଟି ବୈଠକ। ଏହି ବୈଠକରେ ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦବୀରୁ ପୁଣି ହଟାଇ ଦିଆଯାଇଥିଲା। ଶେଷରେ ବର୍ମା ଆଇପିଏସ୍‌ ଚାକିରିକୁ ଛି କରିଦେଇଥିଲେ।

ଚର୍ଚ୍ଚା ହେଲା ଯେ ସିବିଆଇକୁ ହାତବାରିସି କରିବାକୁ ଚାହୁଁଛନ୍ତି ମୋଦି ସରକାର।

ସିବିଆଇରେ କ୍ଷମତା ଯୁଦ୍ଧକୁ ନେଇ ଚର୍ଚ୍ଚା ନଥମୁଣୁ ଏବେ ପୁଣି ଅଡୁଆରେ ପଡ଼ିଛି ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ।

ମମତା ବନାମ ସିବିଆଇ

ପଶ୍ଚମବଙ୍ଗର ବହୁ ଚର୍ଚ୍ଚିତ ସାରଦା ଚିଟଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ କରୁଛି ସିବିଆଇ। ୨୦୧୪ରୁ ଏହି ତଦନ୍ତ ଆରମ୍ଭ ହୋଇଥିଲେ ମଧ୍ୟ ଏହାର ଏଯାଏଁ ଅନ୍ତ ହେଉନି। ଚିଟଫଣ୍ଡ ଠକେଇ ଅଭିଯୋଗରେ ବିଗତ ଦିନରେ ତୃଣମୂଳ କଂଗ୍ରେସର ଅନେକ ନେତାଙ୍କୁ ଜେରା କରିଛି ସିବିଆଇ।

ଏହାସହ ତୃଣମୂଳ କଂଗ୍ରେସର ଆଗଧାଡ଼ିର ନେତା ସୁଦୀପ ବନ୍ଦୋପାଧ୍ୟାୟ ଏବଂ ମଦନ ମିତ୍ରଙ୍କୁ ଗିରଫ କରିବା ପରେ ମମତା ମୋଦି ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଥିଲେ। ମୋଦି ସରକାର ଆକ୍ରୋଶମୂଳକ ଭାବେ ଟିଏମ୍‌ସି ନେତାଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ କରିଥିଲେ।

କିଛିଦିନର ନୀରବତା ପରେ ପୁଣି ପଶ୍ଚିମବଙ୍ଗରେ ସିବିଆଇ ମାତିଛି। କୋଲକାତା ପୋଲିସ କମିଶନରଙ୍କୁ ସିବିଆଇ ଜେରା କରିବା ପ୍ରସଙ୍ଗକୁ ନେଇ ମମତା ରାଜରାସ୍ତାକୁ ଓହ୍ଲାଇଛନ୍ତି। ରବିବାର ରାତିରୁ ମମତା ସିବିଆଇ ବିରୋଧରେ ଅନଶନରେ ବସିଛନ୍ତି। ଏହାକୁ ନେଇ ସଂସଦରେ ହଙ୍ଗାମା ହୋଇଛି।

ମୋଦି ସରକାରଙ୍କୁ ବିରୋଧୀ ଦଳ ସମାଲୋଚନା କରିବା ସହ ସିବିଆଇ ହାତବାରିସି ସାଜି କାମ କରୁଥିବା ଅଭିଯୋଗ ଆଣିଛନ୍ତି।

ସଂସଦରେ ହଙ୍ଗାମା, କେନ୍ଦ୍ରକୁ ଟାର୍ଗେଟ

କୋଲକାତାରେ ଚାଲିଥିବା ହାଇଭୋଲଟେଜ ଡ୍ରାମାକୁ ନେଇ ଆଜି ସଂସଦରେ ହଙ୍ଗାମା ଦେଖିବାକୁ ମିଳିଛି। ସିବିଆଇର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇ ବିରୋଧୀ ଦଳ ନେତା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, “କେନ୍ଦ୍ର ସରକାରଙ୍କ ହାତବାରିସି ସାଜିଛି ସିବିଆଇ। କେନ୍ଦ୍ର ସରକାର ସବୁ ବିରୋଧୀଙ୍କୁ ଖତମ୍ କରିଦେବାକୁ ଚାହୁଁଛନ୍ତି। ଯେଉଁମାନେ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି ସେମାନଙ୍କ ସ୍ୱରକୁ ଚାପିଦେବା ପାଇଁ ଉଦ୍ୟମ କରାଯାଉଛି। ବିଜେପି ତାର ଶକ୍ତି ବୃଦ୍ଧି କରିବା ପାଇଁ ସିବିଆଇକୁ ଦୁରୁପୋଯୋଗ କରୁଛି। କେବଳ ପଶ୍ଚିମବଙ୍ଗରେ ନୁହେଁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ମଧ୍ୟ କେନ୍ଦ୍ର ସରକାର ଏଭଳି କାମ କରୁଛନ୍ତି ଏହା ନିନ୍ଦନୀୟ।

ଲୋକସଭାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ”ସିବିଆଇକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଇଛି। ଓଡ଼ିଶାରେ ସିବିଆଇର ପଦକ୍ଷେପ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ସିବିଆଇ ନିରପେକ୍ଷ ଭାବେ ତାର କାମ କରିବା ଉଚିତ।”

ଏହାସହ ମହତାବ ଆହୁରି କହିଛନ୍ତି ଯେ ସିବିଆଇ ଏବେ ରାଜନୈତିକ ଅସ୍ତ୍ର ପାଲଟିଛି। ଚିଟଫଣ୍ଡ ଦୁର୍ନୀତିର ତଦନ୍ତ ଲାଗି କୌଣସି ଆପତ୍ତି ନାହିଁ, ମାତ୍ର ଯେଉଁଭଳି ଢଙ୍ଗରେ ତଦନ୍ତ ହେଉଛି ତାହା ଠିକ୍‌ ନୁହଁ। ସିବିଆଇ ଏକ ପେସାଦାର ସଂସ୍ଥା ଭଳି କାମ କରିବା ଦରକାର।

ସିବିଆଇର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଲା ବିଜେଡି

ମମତା ବାନାର୍ଜୀଙ୍କ ଅନଶନକୁ ପରୋକ୍ଷରେ ସମର୍ଥନ କରିଛି ବିଜେଡି। ଦଳର ସାଂସଦ ଭର୍ତ୍ତୃହରି ମହତାବ ଯେଉଁ କଥା କହିଥିଲେ ସେହି କଥାକୁ ଦୋହରାଇଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। ସେ କହିଛନ୍ତି ଯେ ରାଜନୀତି ଆକ୍ରୋଶ ରଖି ସିବିଆଇକୁ ବ୍ୟବହାର କରାଯାଉଛି।

ଦୀର୍ଘ ଦିନର ନୀରବତା ପରେ କିଛିଦିନ ତଳେ ସିବିଆଇ ଓଡ଼ିଶାରେ ପୁଣି ମାତିଥିଲା। ବିଜେଡିର ଦୁଇ ଜଣ ଆଗାଧଡ଼ିର ବିଧାୟକଙ୍କୁ ସିବିଆଇ ନୋଟିସ୍ ଦେଇଥିଲା। ନିର୍ବାଚନ ପାଖେଇ ଆସିଥିବାରୁ ଦୁଇ ବିଧାୟକଙ୍କୁ ନୋଟିସ୍ ଦେବା ଘଟଣାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଯାଇଥିଲା। ଏବେ ପଶ୍ଚିମଙ୍ଗରେ ସମାନ ଘଟଣା ଘଟିଥିବାରୁ ବିଜେଡି ମମତାଙ୍କ ସାଥ୍ ଦେଇଛି।

Comment