ଓଡ଼ିଶାଲାଇଭ୍‌ ବିଜନେସ ବ୍ୟୁରୋ

ଏଥର ବଜେଟରେ ଭାରତୀୟ ଆୟକର ଦାତାଙ୍କ ପାଇଁ ରହିଛି ଖୁସି ଖବର। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସର୍ବନିମ୍ନ ଆୟକର ସୀମା ୫ ଲକ୍ଷ କରାଯାଇଛି। ନୂଆ ହିସାବ ଅନୁଯାୟୀ ଆପଣଙ୍କର ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କା ହୋଇଥିଲେ ବି ଆପଣଙ୍କୁ ପଡ଼ି ନପାରେ ଆୟକର। ଜାଣନ୍ତୁ କିପରି?

ଧରନ୍ତୁ ଆପଣଙ୍କର ବାର୍ଷିକ ଦରମା ବା ମୋଟ ଆୟ ୧୦ ଲକ୍ଷ ଟଙ୍କା। ଆସନ୍ତୁ ପ୍ରଥମେ ଜାଣିବା ଆପଣଙ୍କ ପାଇଁ କ’ଣ ଆୟକର ବ୍ୟବସ୍ଥା ରହିଛି।

୧. ଆୟକର ଧାରା ୮୦-ସି ଅଧୀନରେ ପ୍ରତ୍ୟେକ ଆୟକର ଦାତାଙ୍କୁ ମିଳୁଛି ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି। ତା’ ମଧ୍ୟରେ ରହିଛି ଜୀବନ ବୀମା ପ୍ରିମିୟମ, ପିଲାଙ୍କ ସ୍କୁଲ କଲେଜ ଟ୍ୟୁସନ୍‌ ଫି, ଜାତୀୟ ସଞ୍ଚୟ ସାର୍ଟିଫିକେଟରେ ଜମା, ଗୃହଋଣ ବାବଦ ମୂଳ ପରିଶୋଧ (ପ୍ରିନ୍‌ସପାଲ) ଏବଂ ଆୟକର ରିହାତି ପ୍ରଦାନ କରୁଥିବା ମ୍ୟୁଚୁଆଲ ଫଣ୍ଡରେ (ଇଏଲଏସଏସ) ନିବେଶ ଇତ୍ୟାଦି।

୨. ୫୦ ହଜାର ଟଙ୍କାର ଷ୍ଟାଣ୍ଡର୍ଡ ଡିଡକ୍ସନ୍‌

୩. ଯଦି ଆୟକରଦାତା ଗୃହୠଣ ନେଇଥାନ୍ତି ତେବେ ସେ ଗୃହୠଣ ସୁଧ ବାବଦରେ ବ୍ୟାଙ୍କଙ୍କୁ ଯେଉଁ ଟଙ୍କା ପରିଶୋଧ କରିଥାନ୍ତି ତା ଉପରେ ମଧ୍ୟ ଆୟକର ରିହାତି ମିଳିଥାନ୍ତି। ନିୟମ ଅନୁଯାୟୀ ଜଣେ ଏ ବାବଦରେ ବାର୍ଷିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ନେଇପାରିବେ। ଅର୍ଥାତ ଆୟକର ହିସାବ କଲାବେଳେ ଆପଣଙ୍କ ମୋଟ ଆୟରୁ ଏହି ୨ ଲକ୍ଷ ଟଙ୍କା ସିଧାସଳଖ କଟିଯିବ।

୪. ଜାତୀୟ ପେନ୍‌ସନ୍‌ ଯୋଜନାରେ(ଏନ୍‌ପିଏସ୍) ନିବେଶ କ୍ଷେତ୍ରରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା ପାଇଁ ଜଣେ ଆୟକରଦାତ ରିହାତି ନେଇପାରିବେ।

୫. ସ୍ୱାସ୍ଥ୍ୟ ବୀମା ବାବଦରେ ଆୟକର ରିହାତି ଲାଗି ମଧ୍ୟ ବ୍ୟବସ୍ଥା ରହିଛି। ନିଜ ପାଇଁ, ପରିବାର ପାଇଁ ତଥା ପିର୍ଭରଶୀଳ ପିତାମାତାଙ୍କ ପାଇଁ ଜଣେ ବ୍ୟକ୍ତି କରୁଥିବା ସ୍ୱାସ୍ଥ୍ୟବୀମା ମାଧ୍ୟମରେ ଏହି ନିୟମ ଲାଗୁ ହୋଇଥାଏ। ଆୟକର ବ୍ୟବସ୍ଥା ଅନୁଯାୟୀ ଜଣେ ଭାରତୀୟ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ବାବଦରେ ଏଡି ରିହାତି ପାଇପାରିବେ।

ଉପରେ ବର୍ଣ୍ଣନା କରାଯାଇଥିବା ୫ଟି ପଏଣ୍ଟରେ ଜଣେ ଆୟକରଦାତା ମୋଟ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ରିହାତି ପାଇପାରିବେ। ତେଣୁ ଆପଣଙ୍କ ମୋଟ ଆୟ ୧୦ ଲକ୍ଷ ଟଙ୍କା ହୋଇଥିଲେ ତା ଭିତରୁ ୫ ଲକ୍ଷ ଟଙ୍କା ଲାଗି ଆପଣଙ୍କୁ କୌଣସି କର ଦେବାକରୁ ପଡ଼ିବ ନାହିଁ।

ବାକି ୫ ଲକ୍ଷ ଟଙ୍କାର ଆୟ ପାଇଁ ଆପଣଙ୍କର ଆୟକର ପରିମାଣ ହେଉଛି ୧୨ ହଜାର ୫ ଶହ ଟଙ୍କା। ତେବେ ଆୟକର ନିୟମ ୮୭-ଏରେ ଏହି ସର୍ବନିମ୍ନ ଆୟ ପାଇଁ ଆପଣଙ୍କୁ ୧୨ ହଜାର ୫ ଶହ ଟଙ୍କାର ରିହାତି ମିଳିପାରେ।

ଆପଣଙ୍କ ମୋଟ ଆୟ ୧୦ ଲକ୍ଷ। ଆପଣ ବିଭିନ୍ନ ଥାକରେ ରିହାତି ପାଇଲେ ୧୦ ଲକ୍ଷ। ଅର୍ଥାତ ଆପଣଙ୍କ ଆୟକର ପରିମାଣ ଶୂନ।

ଆଉଥରେ କପିକୁ ପଢ଼ି ନିଅନ୍ତୁ ଏବଂ ସେହି ଅନୁଯାୟୀ ୨୦୧୯-୨୦ ବର୍ଷ ଆରମ୍ଭରୁ ବୁଦ୍ଧିମାନ କାର୍ଯ୍ୟ କରନ୍ତୁ।

Comment